ବୀରେନ୍ଦ୍ର ଲାକ୍ରା ଥିଲେ ଭାରତୀୟ ଦଳର ଅଭେଦ୍ୟ ରକ୍ଷାପ୍ରାଚୀର

ବୀରେନ୍ଦ୍ର ଲାକ୍ରା ଥିଲେ ଭାରତୀୟ ଦଳର ଅଭେଦ୍ୟ ରକ୍ଷାପ୍ରାଚୀର। ଦକ୍ଷ ଡିଫେଣ୍ଡର ଓ ରକ୍ଷଣାତ୍ମକ ହକିର ଶ୍ରେଷ୍ଠ ଉଦାହରଣ। ସେଲ୍ ହକି ଏକାଡେମିରୁ ଖେଳାଳି ଜୀବନ ଆରମ୍ଭ କରି ଟୋକିଓ ଅଲିମ୍ପିକ୍ସର ପୋଡିୟମ୍‌ରେ ଛିଡ଼ା ହେବାର ଅନନ୍ୟ ଓ ଗୌରବମୟ ସଫଳତା ଭିତରେ ବୀରେନ୍ଦ୍ର ଛୁଇଁଛନ୍ତି ଅନେକ ସ୍ମରଣୀୟ ମାଇଲଖୁଣ୍ଟ। ଏସୀୟ କ୍ରୀଡ଼ା, ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭଳି ପ୍ରତିଯୋଗିତାର ବିଜେତା ମୁକୁଟ ପିନ୍ଧିଛନ୍ତି ସେ। ହକି ଇଣ୍ଡିଆ ଲିଗ୍‌ରେ ରାଞ୍ଚି ରାଇନୋଜ୍ ଦଳର ପ୍ରତିନିଧିତ୍ବ କରି ନିଜ ଉଚ୍ଚକୋଟୀର ଖେଳ ପାଇଁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ ସେ। ତାଙ୍କ ଅବସର ପରେ ଭାରତୀୟ ହକିରେ ଗୋଟିଏ ଯୁଗର ଅବସାନ ଘଟିଛି। ଓଡ଼ିଶା ହକି ମଧ୍ୟ ଜାତୀୟ ହକି ଦଳରେ ନିଜର ବଳିଷ୍ଠ ପ୍ରତିନିଧିତ୍ବର ଅନ୍ୟତମ ସାରଥୀଙ୍କ ସେବାରୁ ବଞ୍ଚିତ ହୋଇଛି।

୨ ବିଶ୍ବକପ୍, ୨ ଅଲିମ୍ପିକ୍ସ
୩୧ ବର୍ଷୀୟ ବୀରେନ୍ଦ୍ର ୧୯୯୦ ମସିହା ଫେବ୍ରୁଆରି ୩ ତାରିଖରେ ସୁନ୍ଦରଗଡ଼ର ଲଚ୍ଛଡ଼ାଠାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଚମକ ଦେଖାଇ ସେଲ୍ ହକି ଏକାଡେମି, ରାଉରକେଲାରୁ ନିଜ ହକି ଜୀବନ ଆରମ୍ଭ କରିଥିଲେ ସେ। ନିଜ ପ୍ରଚଣ୍ଡ ପ୍ରତିଭା ବଳରେ ୨୦୦୭ ମସିହାରେ ପ୍ରଥମେ ଭାରତୀୟ କନିଷ୍ଠ ହକି ଦଳରେ ସ୍ଥାନ ପାଇ ସିଙ୍ଗାପୁର ଗସ୍ତ କରିଥିଲେ। ୨୦୦୯ ମସିହ‌ା‌ରେ ସିଡ୍‌ନିରେ ଅନୁଷ୍ଠିତ ଯୁବ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ୨୦୦୯ କନିଷ୍ଠ ବିଶ୍ବକପ୍ ଖେଳିବା ପରେ ବରିଷ୍ଠ ଦଳରୁ ଖେଳିବାର ସୁଯୋଗ ୨୦୧୦ରେ ପାଇଥିଲେ। ସେହିବର୍ଷର ସାଫ୍ କ୍ରୀଡ଼ାରେ ସେ ନିଜ ପ୍ରଥମ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହା ପରେ ଭାରତୀୟ ଦଳର ଅନେକ ଐତିହାସିକ ସଫଳତାର ଅଂଶବିଶେଷ ହୋଇଥିଲେ। ୨୦୧୨ରେ ଲଣ୍ଡନରେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ବୀରେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସ ଆଘାତ ଜନିତ ସମସ୍ୟା ପାଇଁ ଖେଳି ପାରିନଥିଲେ। ଏହା ପୂର୍ବରୁ ୨୦୧୪ରେ ନିଜ ପ୍ରଥମ ହକି ବିଶ୍ବକପ୍ ଖେଳିଥିଲେ। ତେବେ ଏହା ପରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରି ୨୦୧୮ ବିଶ୍ବକପ୍ ଖେଳିଥିଲେ। ସେ ମଧ୍ୟ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୯ରେ ଭୁବନେଶ୍ବରରେ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ ସେ।

ସଂକ୍ଷେପରେ ବୀରେନ୍ଦ୍ର
ଜନ୍ମ: ଫେବ୍ରୁଆରି ୩, ୧୯୯୦
ସ୍ଥାନ: ଲାଛଡ଼ା, ସୁନ୍ଦରଗଡ଼
ଖେଳିବା ଶୈଳୀ: ରକ୍ଷଣଭାଗ
ପ୍ରଶିକ୍ଷଣ: ସେଲ୍ ହକି ଏକାଡମି, ରାଉରକେଲା
ଦଳ: ଭାରତ, ରାଞ୍ଚି ରାଇନୋଜ୍, ଚଣ୍ଡିଗଡ କମେଟ୍ସ, ଓଡ଼ିଶା ଷ୍ଟିଲର୍ସ
ଅନ୍ତର୍ଜାତୀୟ ପଦାର୍ପଣ: ସାଫ୍ ଗେମ୍ସ, ଢାକା
ପ୍ରଥମ ଗୋଲ୍: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ବନାମ ଫ୍ରାନ୍ସ
ମ୍ୟାଚ୍: ୨୦୧, ଅଲିମ୍ପିକ୍ସ ଅଂଶଗ୍ରହଣ-୨
ବିଶ୍ବକପ୍: ୨ (୨୦୧୪, ୨୦୧୮)
୨୦୧୩ ଏସିଆ କପ୍‌, ଇପୋ: ରୌପ୍ୟ
୨୦୧୪ ଏସୀୟ କ୍ରୀଡ଼ା, ଇଞ୍ଚିଅନ୍: ରୌପ୍ୟ
୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଗ୍ଲାସଗୋ : ରୌପ୍ୟ
୨୦୧୫ ବିଶ୍ବ ଲିଗ୍, ଭୁବନେଶ୍ବର: କାଂସ୍ୟ
୨୦୧୫ ବିଶ୍ବ ଲିଗ୍, ରାଏପୁର: କାଂସ୍ୟ
୨୦୧୨ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି, ‌ଦୋହା: ରୌପ୍ୟ
୨୦୧୬ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି, କାଆନ୍ତାନ: ସ୍ବର୍ଣ୍ଣ
୨୦୧୮ ଚାମ୍ପିଅନ୍ସ ଟ୍ରଫି, ବ୍ରେଡା: ରୌପ୍ୟ
୨୦୧୮ ଏସୀୟ କ୍ରୀଡ଼ା, ଜାକର୍ତା: କାଂସ୍ୟ
୨୦୨୦ ଅଲିମ୍ପିକ୍ସ, ଟୋକିଓ କାଂସ୍ୟ

ସମ୍ବନ୍ଧିତ ଖବର