ବୁମ୍‌ରା ବିସ୍ଫୋରଣ ପରେ ବ୍ୟାଟିଂ ବିପର୍ଯ୍ୟୟ: ୩୪୬ ରନ୍ ଅଗ୍ରଣୀ ସହ ଭାରତ ଦୃଢ଼

ମେଲବର୍ନ: ଯଶପ୍ରୀତ୍ ବୁମ୍‌ରାଙ୍କ ବୋଲିଂ ‌ବିସ୍ଫୋରଣ (୧୫.୪-୪-୩୩-୬) ଅଷ୍ଟ୍ରେଲିଆକୁ ୧୫୧ ରନ୍‌ରେ ସୀମିତ ରଖି ଦେଇଥିଲା। କିନ୍ତୁ ପ୍ୟାଟ୍‌ କମିନ୍ସଙ୍କ ଘାତକ ବୋଲିଂ (୬-୨-୧୦-୪) ଭାରତକୁ ଦ୍ବିତୀୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର (୫୪/୫) ସମ୍ମୁଖୀନ କରାଇଛି। ତେବେ ମୋଟ ଉପରେ ୩୪୬ ରନ୍‌ରେ ଅଗ୍ରଣୀ ନେଇ ସାରିଥିବାରୁ ବିରାଟ କୋହଲି ବାହିନୀ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ଏଥି ସହିତ ବିଗତ ଦୁଇ ଦିନ ଧରି ଭାରତର ମନ୍ଥର ବ୍ୟାଟିଂ ଏବଂ ପିଚ୍‌ ସ୍ବଭାବକୁ ନେଇ ଯେଉଁମାନେ ମ୍ୟାଚ୍ ଅମୀମାଂସିତ ଆଶଙ୍କା କରୁଥିଲେ ତାହା ଏକ ପ୍ରକାର ଟଳିଯାଇଛି। ତୃତୀୟ ଦିନ ୧୫ ୱିକେଟ୍‌ର ପତନ ଏହି ଟେଷ୍ଟ୍‌ରେ ଜୀବନ ଭରି ଦେଇଛି। ଭ୍ରମଣକାରୀ ଭାରତ ଫାଇଦା ପାର୍ଶ୍ବରେ ରହିଛି।

ବକ୍ସିଂ ଡେ’ ଟେଷ୍ଟ୍‌ର ତୃତୀୟ ଦିନ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟରେ ରହିବା ସହିତ ଶୁକ୍ରବାର ନିର୍ଣ୍ଣାୟକ ମୋଡ଼ ନେଇଛି। ବିଗତ ଦୁଇ ଦିନ ବୋଲରମାନେ ୱିକେଟ ପାଇଁ ସଂଘର୍ଷ କରିଥିଲେ। ୧୭୫.୪ ଓଭରରେ ମାତ୍ର ୭ ୱିକେଟ୍ ପଡ଼ିଥିଲା। ଶୁକ୍ରବାର କିନ୍ତୁ ୮୭.୫ ଓଭରରେ ଝଡ଼ିଛି ୧୫ ୱିକେଟ୍‌। ରବୀନ୍ଦ୍ର ଜାଦେଜାଙ୍କ ୨ ୱିକେଟ୍‌କୁ ଛାଡ଼ିଦେଲେ ଅନ୍ୟ ୧୩ଟି ମିଳିଛି ଦ୍ରୁତ ବୋଲରଙ୍କୁ। ସକାଳେ ଅଷ୍ଟ୍ରେଲିଆ ୮/୦ରୁ ଖେଳିଥିଲା। ଆରୋନ୍ ଫିଞ୍ଚ୍‌ (୮ ରନ୍‌, ୩୬ ବଲ୍‌)ଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଈଶାନ୍ତ ଶର୍ମା ତାଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଫିଞ୍ଚ୍‌ ଫ୍ଲିକ୍ ଖେଳିବାକୁ ଯାଇ ସର୍ଟ ମିଡ୍‌ୱିକେଟ୍‌ରେ ମୟଙ୍କ ଅଗ୍ରୱାଲଙ୍କ ହାତରେ ଧରାପଡ଼ିଥିଲେ। ଏହା ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମାର୍କସ ହାରିସ (୨୨) ବୁମ୍‌ରାଙ୍କ ଛାତି ଉଚ୍ଚା ବଲ୍‌କୁ ହୁକ୍‌ ଖେଳି ଲଙ୍ଗ ଲେଗ୍‌ରେ ଈଶାନ୍ତଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଉସ୍‌ମାନ ଖୱାଜା କିନ୍ତୁ ରବୀନ୍ଦ୍ର ଜାଦେଜାଙ୍କ ବୋଲିଂରେ ସର୍ଟ ଲେଗ୍‌ରେ ମୟଙ୍କଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ସନ୍‌ ମାର୍ସଙ୍କୁ ଲେଗ୍‌ ବିଫୋର କରି ବୁମରା ମଧ୍ୟାହ୍ନ ଭୋଜନ ସୁଦ୍ଧା କଙ୍ଗାରୁ ଦଳକୁ ୮୯/୪ରେ ସଂଘର୍ଷ କରାଇଥିଲେ। ବିରତି ପରେ ଟ୍ରାଭିସ୍ ହେଡ୍‌ଙ୍କୁ ବୁମ୍‌ରା ୟର୍କରରେ ବୋଲଡ୍‌ କରିଥିଲେ। କିଛି ସମୟ ପରେ ମିଚେଲ ମାର୍ସଙ୍କୁ ଜାଦେଜା ସ୍ଲିପ୍‌ରେ ରାହାଣେଙ୍କ ଜରିଆରେ ରାସ୍ତା‌ ଦେଖାଇଦେଇଥିଲେ। ଅଷ୍ଟ୍ରେଲିଆ ଦଳ ୧୪୫/୭ରେ ଚା’ ବିରତିକୁ ଯାଇଥିଲା। ବିରତି ପରେ ଟିମ୍ ପେନଙ୍କୁ ବୁମରା ୱିକେଟ୍‌ ପଛପଟେ ଆଉଟ୍ କରିବା ପରେ ପ୍ୟାଟ୍ କମିନ୍ସଙ୍କୁ ମହମ୍ମଦ ସାମି ବୋଲଡ୍ କରିଦେଇଥିଲେ। ଶେଷ ଦୁଇ ୱିକେଟ୍‌କୁ ବୁମରା (ଲାୟନ ଏବଂ ହାଜେଲଉଡ୍‌) ଦୁଇ ବଲ୍‌ ବ୍ୟବଧାନରେ ଅକ୍ତିଆର କରି ଅଷ୍ଟ୍ରେଲିଆ ପାଳିକୁ ୧୫୧ ରନ୍‌ରେ ଶେଷ କରି ଦେଇଥିଲେ। ବୁମ୍‌ରା ନିଜ ଖେଳ ଜୀବନର‌‌ ଶ୍ରେଷ୍ଠ ବୋଲିଂ ଚିତ୍ର (୧୫.୪-୪-୩୩-୬)କୁ ମେଲବର୍ନରେ‌ ନେଇ ଭାରତ ପାଇଁ ଐତିହାସିକ ସଫଳତାର ଆଶା ଦେଖାଇଛନ୍ତି।

ପ୍ରଥମ ପାଳିରେ ୨୯୨ ରନ୍ ଅଗ୍ରଣୀ ପାଇବା ସତ୍ତ୍ବେ ପିଚ୍‌ ବ୍ୟବହାରକୁ ଦେଖି କୋହଲି ଫଲୋଅନ୍‌ ନ ଡାକି ଦ୍ବିତୀୟ ପାଳି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ ଯୋଡ଼ି ହନୁମା ବିହାରୀ ଏବଂ ମୟଙ୍କ ଅଗ୍ରୱାଲ ପ୍ରଥମ ଘଣ୍ଟାକୁ ୱିକେଟ୍‌ଶୂନ୍ୟ ରଖିଥିଲେ ମଧ୍ୟ ହଠାତ ପ୍ୟାଟ୍‌ କମିନ୍ସଙ୍କ ଘାତକ ବୋଲିଂ ଘରୋଇ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି। ଭାରତ ୨୮/୦ରୁ ୪୪/୫ରେ ପହଞ୍ଚିଯାଇଥିଲା। ବିହାରୀ, ପୂଜାରା, କୋହଲି ଏବଂ ରାହାଣେଙ୍କ ୱିକେଟ୍‌ କମିନ୍ସ ନେଇଥିଲେ। ବିହାରୀ ପ୍ରଥମ ପାଳି ଭଳି ବାଉଁସରର ଶିକାର ହୋଇଥିବା ବେଳେ ପୂଜାରା ଓ କୋହଲି ଗୋଟିଏ ଓଭରରେ ଲେଗ୍ ଗଲିରେ ହାରିସଙ୍କ ହାତରେ ଧରାପଡ଼ିଥିଲେ। ରାହାଣେଙ୍କ କ୍ୟାଚ୍ ଲେଗ୍ ସାଇଡ୍‌ରୁ ସଂଗ୍ରହ କରିଥିଲେ ଟିମ୍ ପେନ୍‌। ହାଜଲଉଡ୍‌ଙ୍କ ବୋଲିଂରେ ରୋହିତ ଶର୍ମା ସ୍ଲିପ୍‌ରେ ସନ୍ ମାର୍ସଙ୍କୁ କ୍ୟାଚ୍ ଦେଇ‌ ଫେରିଥିଲେ। ଏକଦା ୪ ରନ୍‌ରେ ୪ ୱିକେଟ୍‌ ନେଇ କମିନ୍ସ ମଧ୍ୟ ଭାରତକୁ ବିପର୍ଯ୍ୟୟ ମୁହଁକୁ‌ ଠେଲିଦେବାର ଧମକାଇଛନ୍ତି। ତେବେ ହାତରେ ୫ ୱିକେଟ୍‌ ଥାଇ ଭାରତ ୩୪୬ ରନ୍ ଆଗୁଆ ଥିବାରୁ ଆଶ୍ବସ୍ତ ରହିଛି। ପ୍ରଥମ ପଦାର୍ପଣ କରି ପ୍ରଥମ ପାଳିରେ ୭୬ ରନ୍ କରିଥିବା ମୟଙ୍କ ଅଗ୍ରୱାଲ କିନ୍ତୁ ଲଢ଼ୁଆ ୨୮* ରନ୍ କରି ପ୍ରାଚୀର ଭଳି ଛିଡ଼ା ହୋଇଛନ୍ତି।

ସମ୍ବନ୍ଧିତ ଖବର