ଏନ୍‌ଆଇଏ ଚଢ଼ଉ ଉପରେ ମୁଫ୍‌ତିଙ୍କ ପ୍ରଶ୍ନ: ନିର୍ବାଚନ ପାଖେଇଲେ ଏଭଳି ଘଟେ

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଇଏସ୍‌ ଭାରତ ଶାଖାର ୧୦ ସନ୍ଦିଗ୍ଧଙ୍କୁ ଗିରଫ କରି ୧୨ ଦିନ ରିମାଣ୍ଡରେ ନେବା ପରେ ମୋଦୀ ସରକାର ଏହାକୁ ପ୍ରଶଂସା କରୁଛନ୍ତି। ଏହା ଏନ୍‌ଆଇଏ ଓ ଗୃହ ମନ୍ତ୍ରାଳୟ ବଡ଼ ସଫଳତା ବୋଲି ସରକାର କହୁଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏନ୍‌ଆଇଏର ଏହି ଚଢ଼ଉ ଉପରେ ପ୍ରଶ୍ନ କରି ଆଜି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିଶେଷକରି ଚଢ଼ଉର ସମୟକୁ ଦୃଷ୍ଟିରେ ରଖି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟ୍ବିଟ୍‌ କରି ମେହବୁବା କହିଛନ୍ତି, ଏନ୍‌ଆଇଏର କାର୍ଯ୍ୟାନୁଷ୍ଠାନ ଦେଶର ଜାତୀୟ ସୁରକ୍ଷା ପାଇଁ ନିହାତି ଆବଶ୍ୟକ। କିନ୍ତୁ ଗିରଫ ହୋଇଥିବା ୧୦ ଜଣ ଲୋକଙ୍କୁ ଏତେଶୀଘ୍ର ଆଇଏସ୍‌ ସହ ଯୋଡ଼ିବା ଠିକ୍‌ ନୁହେଁ। ଏନ୍‌ଆଇଏର ଏଭଳି ଦାବି ଯୋଗୁ ଗିରଫ ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଜୀବନ ବରବାଦ ହୋଇଯାଇଛି। ପୂର୍ବରୁ ମଧ୍ୟ ଏନ୍‌ଆଇଏ କିଛି ଲୋକଙ୍କୁ ଗିରଫ କରି ସେମାନଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା। କିନ୍ତୁ ତଦନ୍ତ ପରେ ସେମାନଙ୍କୁ ମୁକ୍ତ କରିଥିଲା। ଏଥିରୁ ଏନ୍‌ଆଇଏ ଉଚିତ ଶିକ୍ଷା ନେବାର ଥିଲା। ୧୦ ଜଣ ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ଏବଂ ସେମାନଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ହିଁ ସେମାନେ ଆତଙ୍କବାଦୀ କି ନାହିଁ ତାହା ସ୍ପଷ୍ଟ ଭାବେ କୁହାଯାଇ ପାରିବ। ମେହବୁବା ଆହୁରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ସହରୀ ନକ୍ସଲ ନାମରେ ଅନେକ ଧରପଗଡ଼ କରିଥିଲେ। ଏଥିପାଇଁ ସାମାଜିକ କର୍ମୀମାନଙ୍କୁ ଗିରଫ କରାଯାଇଥିଲା। ସେହିଭଳି ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଏନ୍‌ଆଇଏ ଦ୍ବାରା ଏଭଳି ଗିରଫଦାରୀ କରାଯାଇଛି। ଏହା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ କଥା। ଜାତୀୟ ସୁରକ୍ଷା ନାମରେ ଏଜେନ୍ସିକୁ କୌଣସି ଗୋଟିଏ ସମୁଦାୟକୁ ସନ୍ଦେହ କରି ପଦକ୍ଷେପ ନେବା ଅନୁଚିତ। ବରଂ ସମ୍ପୂର୍ଣ୍ଣ ଦେଶର ପ୍ରତିଟି କ୍ଷେତ୍ରକୁ ସମାନ ଦୃଷ୍ଟିରେ ରଖି ଏନ୍‌ଆଇଏ ପଦକ୍ଷେପ ନେବା ଉଚିତ। ଏନ୍‌ଆଇଏ କହିଥିଲା ଯେ ଦିଲ୍ଲୀରୁ ୫ ଜଣ ଏବଂ ଉତ୍ତର ପ୍ରଦେଶରୁ ୫ ଜଣଙ୍କୁ ଗିରଫ କରାଯାଇଛି। ଆଇଏସ୍‌ର ଭାରତ ଶାଖା କୁହାଯାଉଥିବା ହରକତ୍‌-ଉଲ୍‌-ହର୍ବ-ଏ-ଇସ୍‌ଲାମ୍‌ର ଏମାନେ ସଦସ୍ୟ ଏବଂ ଏମାନଙ୍କୁ ବିଦେଶରୁ ଏକ ଗୋଷ୍ଠୀ ନିୟନ୍ତ୍ରଣ କରୁଛି। ବୁଧବାର ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ମୋଟ ୧୭ଟି ଜାଗାରେ ମାରାଥନ୍‌ ଚଢ଼ଉ କରିବା ପରେ ଏନ୍‌ଆଇଏ ଏହି ୧୦ ଜଣଙ୍କୁ ଗିରଫ କରିଥିଲା। ଗତକାଲି ସେମାନଙ୍କୁ ଏନ୍‌ଆଇଏ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଇଥିଲା। ମାମଲା ଅତ୍ୟନ୍ତ ସାଙ୍ଘାତିକ ହୋଇଥିବାରୁ ଏମାନଙ୍କୁ ଜେରା କରିବା ଲାଗି ଅତିକମ୍‌ରେ ୧୫ ଦିନ ‌ହେପାଜତକୁ ନେବା ପାଇଁ ଏଜେନ୍ସି ଆବେଦନ କରିଥିଲା।

ସମ୍ବନ୍ଧିତ ଖବର