ପାକିସ୍ତାନର ସାନ୍ତ୍ବନାମୂଳକ ବିଜୟ

 

ସାରଜା : ଆଫଗାନିସ୍ତାନ ନିକଟରୁ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଯିବା ପରେ ପାକିସ୍ତାନ ଦଳ ସୋମବାର ସାନ୍ତ୍ବନାମୂଳକ ବିଜୟ ପାଇଛି। ଫଳରେ ୩ ମ୍ୟାଚ୍ ଶୃଙ୍ଖଳାକୁ ଆଫଗାନିସ୍ତାନ ୨-୧ରେ ଜିତିଯାଇଛି। ସୋମବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ସଦାବ ଖାନ୍‌ଙ୍କ ପାକିସ୍ତାନ ଦଳ ୬୬ ରନ୍‌ରେ ଆଫଗାନିସ୍ତାନକୁ ହରାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳଗତ ଭାବେ ଲଢ଼େଇ କରି ୭ ୱିକେଟ୍‌ରେ ୧୮୨ ରନ୍ କରିଥିଲା। ସୈମ ଆୟୂବ (୪୯), ଇଫତିକାର ଅହମ୍ମଦ (୩୧), ସଦାବ ଖାନ୍ (୨୮), ଅବଦୁଲ୍ଲା ସଫିକ (୨୩) ଉପ‌ଯୋଗୀ ପାଳି‌ ଖେଳିଥିଲେ। ଆଫଗାନିସ୍ତାନର ୬ ଜଣ ବୋଲର ଅନ୍ୟୁନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମଜୀବ ଉର୍ ରହମାନ ୨ ୱିକେଟ୍ ପାଇଥିଲେ। ଜବାବରେ ସଦାବ ଖାନ୍ (୪-୦-୧୩-୩) ଏବଂ ଇସାନୁଲ୍ଲା (୪-୦-୨୯-୩)ଙ୍କୁ‌ ଖେଳିନପାରି ଆଫଗାନିସ୍ତାନ ୧୧୬ ରନ୍‌ରେ ଅଟକି ଯାଇଥିଲା।

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଶୃଙ୍ଖଳା ବିଜୟ

ରବିବାର ରାତିରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ଲଗାତାର ମ୍ୟାଚ୍‌ରେ ହରାଇଥିଲା ଆଫଗାନିସ୍ତାନ। ପାକିସ୍ତାନ ପ୍ରଥମ ଓଭରରେ ଖାତା ‌ଖୋଲିବା ପୂର୍ବରୁ ୨ ୱିକେଟ୍ ହରାଇବା ପରେ କଷ୍ଟେମଷ୍ଟେ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା। ଇମଦ ୱାସିମ୍ (୫୭ ବଲ୍‌ରୁ ୬୪ ରନ୍‌, ୩ ଚୌକା, ୨ ଛକା) କେବଳ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ଅଭିଜ୍ଞ ୱିକେଟରକ୍ଷକ ଓପନର୍‌ ରହମନୁଲ୍ଲା ଗୁରବାଜ (୪୯ ବଲ୍‌ରୁ ୪୪ ରନ୍‌) ଏବଂ ଇବ୍ରାହିମ୍‌ ଜଦ୍ରାନ (୪୦ ବଲ୍‌ରୁ ୩୮ ରନ୍‌) ଦ୍ବିତୀୟ ୱିକେଟ୍ ପାଇଁ ୫୬ ରନ୍‌ ଯୋଡ଼ି ମୂଳଦୁଆ ପକାଇଥିଲେ। ଶେଷ ଦୁଇ ଓଭରରୁ ଆଫଗାନିସ୍ତାନକୁ ୨୨ ରନ୍ ଆବଶ୍ୟକ ପଡ଼ିଥିବାବେଳେ ନଜିବୁଲ୍ଲା ଜଦ୍ରାନ (୧୨ ବଲ୍‌ରୁ ୨୩*) ଏବଂ ମହମ୍ମଦ ନବି (୯ ବଲ୍‌ରୁ ୧୪*) ଗୋଟିଏ ବଲ୍ ପୂର୍ବରୁ ଦଳକୁ ବିଜୟୀ କରିଥିଲେ। ଫାରୁକି ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର