ଚେନ୍ନାଇର ପ୍ରତିଶୋଧ ଚେନ୍ନାଇରେ: ୩୪ ବର୍ଷର କୀର୍ତ୍ତିମାନ ତୁଟିଲା, ଦ୍ବିତୀୟ ଟେଷ୍ଟ୍‌କୁ ୩୧୭ ରନ୍‌ରେ ଜିତିଲା ଭାରତ

ଅଟକିଲା ଇଂଲଣ୍ଡର ବିଦେଶ ବିଜୟ ଧାରା, ଶୃଙ୍ଖଳା ୧-୧ ସ୍ଥିତିରେ, ୨୪ରୁ ଗୋଲାପି ବଲ୍ ଟେଷ୍ଟ୍

ଚେନ୍ନାଇ: ଯେ କୌଣସି ବିଫଳତା ଏବଂ ବାଧାବିଘ୍ନକୁ କଠିନ ପରିଶ୍ରମ, ଉଚ୍ଚ ଆତ୍ମବିଶ୍ବାସ ଓ ଦୃଢ଼ ସଙ୍କଳ୍ପ ଦ୍ବାରା ଦୂର କରିହୁଏ। ଏକଥାକୁ ସତ ପ୍ରମାଣିତ କରି ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତର ସଫଳ ତଥା ଐତିହାସିକ ଲେଉଟାଣୀକୁ ସ୍ବଦେଶ ମାଟିରେ ଦୋହରାଇଛି। ଚେନ୍ନାଇରେ ପ୍ରତିଶୋଧ ମଧ୍ୟ ଚେନ୍ନାଇରେ ନେଇଛି କୋହଲିଙ୍କ ଦଳ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌କୁ ୩୧୭ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇ ପ୍ରଥମ ମୁକାବିଲାରେ ବରଣ କରିଥିବା ଅପ୍ରତ୍ୟାଶିତ ଓ ଲଜ୍ଜାଜନକ ପରାଜୟ ଦୁଃଖକୁ ଦୂର କରିଛି। ତା’ ସହ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ପ୍ରଥମ ଟେଷ୍ଟ୍‌କୁ ୨୨୭ ରନ୍‌ରେ ଜିତି ଚମତ୍କାର ଢଙ୍ଗରେ ଗସ୍ତ ଆରମ୍ଭ କରିଥିବା ଭାରତର ସ୍ପିନ୍ ଚକ୍ରବ୍ୟୂହରେ ପୂରା ଛନ୍ଦି ହୋଇ ଇଂଲଣ୍ଡ ଉଭୟ ପାଳିରେ ୨୦୦ ରନ୍ ବି ଛୁଇଁ ପାରି ନାହିଁ। ଦୁଇଟି ଯାକ ପାଳିରେ ଏହି ଦଳର ଜଣେ ହେଲେ ବି ଖେଳାଳି ୪୩ ରନ୍ ଆଗକୁ ବଢ଼ି ପାରି ନାହାନ୍ତି।

ପ୍ରଥମ ପାଳିରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଏବଂ ଦ୍ବିତୀୟରେ ଆର୍‌ ଅଶ୍ବିନଙ୍କ ସ୍ମରଣୀୟ ଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ୪୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ। ଇଂଲଣ୍ଡ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୬୪ ରନ୍‌ରେ ଅଟକି ଯାଇଥିଲା। ଫଳରେ ବିଦେଶ ମାଟିରେ ଏହି ଦଳର ଲଗାତାର ୬ ବିଜୟ ହାସଲ କରିବା ଧାରା ମଧ୍ୟ ବିଭାଜିତ ହୋଇଥିଲା। ଅସମତଳ ଉଚ୍ଛାଳ, ଟର୍ନ ଓ ଅତ୍ୟନ୍ତ ମନ୍ଥର ଚେପକ୍‌ ପିଚ୍‌ରେ ଜୋ ରୁଟ୍‌ଙ୍କ ଦଳ ସୋମବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ମାତ୍ର ୫୩ ରନ୍ କରିଥିଲା। ଫଳରେ ଏହି ଦଳର ପରାଜୟ ଏକ ପ୍ରକାର ପକ୍କା ହୋଇ ଯାଇଥିଲା। ମଙ୍ଗଳବାର ଚତୁର୍ଥ ଦିବସର ମାତ୍ର ୩୫.୨ ଓଭର ଖେଳରେ ହିଁ ଭାରତୀୟ ବୋଲର ବଳକା ୭ ୱିକେଟ୍ କରାୟତ୍ତ କରି ଦେଢ଼ ଦିନ ପୂର୍ବରୁ ମ୍ୟାଚ୍ ଜିତି ନେଇଥିଲେ। ଏହି ବିଜୟ ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଟେବୁଲରେ ଭାରତର ପଏଣ୍ଟ୍‌ ପର୍ସେଣ୍ଟେଜ୍ ୬୯.୭କୁ ବଢ଼ିଛି। ଫଳରେ ଟିମ୍ ଇଣ୍ଡିଆର ଫାଇନାଲ୍ ଖେଳିବା ଆଶା ବଢ଼ିଯାଇଛି।

ଅନ୍ୟପକ୍ଷରେ ଇଂଲଣ୍ଡ ଚତୁର୍ଥ ସ୍ଥାନକୁ ଖସି ଯାଇଛି। ଏକମାତ୍ର ଦଳ ଭାବେ ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ‌ନେଇଥିଲା ବେଳେ ବଳକା ଗୋଟିଏ ସ୍ଥାନ ଦୌଡ଼ରେ ଏବେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଅଛନ୍ତି। ଅଶ୍ବିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ହୋଇଥିଲା ବେଳେ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପଦାର୍ପଣକାରୀ ଅକ୍ଷର ପଟେଲ ମଧ୍ୟ ନିଜ ପ୍ରଥମ ଟେଷ୍ଟ୍‌କୁ ସବୁଦିନ ପାଇଁ ସ୍ମରଣୀୟ କରି ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଅର୍ଜନ କରିବାର ଗୌରବ ହାସଲ କରିଥିଲେ। ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନର ଖୁସି ସହ ନିଜ ନେତୃତ୍ବରେ ୨୧ତମ ଘରୋଇ ଟେଷ୍ଟ୍ ବିଜୟ ହାସଲ କରି ଭାରତୀୟ ଅଧିନାୟକ କୋହଲି ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସମକକ୍ଷ ହୋଇଥିଲେ। ଶୃଙ୍ଖଳା ୧-୧କୁ ପହଞ୍ଚିବା ପରେ ଅହମ୍ମଦାବାଦଠାରେ ଚଳିତ ମାସ ୨୪ ତାରିଖରୁ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୋଲର ପ୍ରାଧାନ୍ୟବିସ୍ତାର କରିଥିବା ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଭାରତ ୩୨୯ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୧୩୪ ରନ୍ କରି ଅଳ୍ପକେ ଫଲୋଅନ୍‌ରୁ ବର୍ତ୍ତି ଯାଇଥିଲା।

ଚେନ୍ନାଇ: ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ମଙ୍ଗଳବାର ୩୧୭ ରନ୍ ବିଜୟ ସହିତ ଭାରତ ଏକ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ ସର୍ବବୃହତ ରନ୍‌ ବ୍ୟବଧାନ ବିଜୟ ପାଇଛି। ୧୯୮୬ ଜୁନ୍‌ ମାସରେ ଲିଡ୍‌ସରେ ଭାରତୀୟ ଦଳ ୨୭୯ ରନ୍‌ରେ ଜିତିଥିଲା। ଘରୋଇ ମାଟିରେ ମଧ୍ୟ ଭାରତ ଇଂଲଣ୍ଡ ବିପକ୍ଷ ପୂର୍ବ ବୃହତ୍ ବିଜୟକୁ ପଛରେ ପକାଇଛି। ୨୦୧୬ରେ ବିଶାଖାପାଟଣାରେ ଭାରତ ୨୪୬ ରନ୍‌ରେ ଜିତିଥିଲା। ଭାରତ ମଧ୍ୟ ୬ ଥର ଇଂଲଣ୍ଡକୁ ପାଳି ବ୍ୟବଧାନରେ ହରାଇଛି। ଭାରତର ୩୧୭ ରନ୍ ବିଜୟ ମଧ୍ୟ ମୋଟ ଉପରେ ଭାରତର ପଞ୍ଚମ ବୃହତ୍ ବ୍ୟବଧାନ। ଚେପକ୍‌ରେ ଭାରତ ନିଜ ୧୫ତମ ବିଜୟ ପାଇଛି। କୌଣସି ପଡ଼ିଆରେ ଏହା ଭାରତ ପାଇଁ ସର୍ବାଧିକ। ଦିଲ୍ଲୀ ଓ କୋଲ୍‌କାତାରେ ୧୩ ଲେଖାଏଁ ବିଜୟ ପାଇଛନ୍ତି।

ଧୋନିଙ୍କ ସମକକ୍ଷ ହେଲେ କୋହଲି
ଅଧିନାୟକ ଭାବେ ବିରାଟ କୋହଲିଙ୍କ ଅଧୀନରେ ଭାରତ ଘରୋଇ ମାଟିରେ ୨୧ତମ ଟେଷ୍ଟ୍ ଜିତିଲା। ଏ କ୍ଷେତ୍ରରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ମୋଟ ଉପରେ କୋହଲିଙ୍କ ଦଳ କିନ୍ତୁ ୩୪ତମ ବିଜୟ ପାଇ ମହେନ୍ଦ୍ର ସିଂହ ଧୋନି (୨୭)ଙ୍କୁ ବହୁ ପଛରେ ଛାଡ଼ି ଦେଇଛନ୍ତି।

ଅର୍ଦ୍ଧଶତକବିହୀନ ରୁଟ୍‌
ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଜୋ ରୁଟ୍‌ ବିନା ଅର୍ଦ୍ଧଶତକରେ ଫେରିଛନ୍ତି। ଭାରତ ବିପକ୍ଷରେ ସେ‌ ଖେଳିଥିବା ୮ଟି ଟେଷ୍ଟ୍‌ରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ କିନ୍ତୁ ଦ୍ବିତୀୟ ଟେଷ୍ଟ୍‌ରେ ସୁଇପ୍‌ ସଟ୍‌ରୁ ୮.୧୬ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ୬ ଥର ଆଉଟ୍ ହୋଇ ସେମାନେ ୪୯ ରନ୍ କରିଥିବା ବେଳେ ପ୍ରଥମ ଟେଷ୍ଟ୍‌ରେ ୩୮.୭୫ ହାରରେ ରନ୍‌ ସଂଗ୍ରହ କରିଥିଲେ। ୧୫୫ ରନ୍‌ ସଂଗ୍ରହ କରି ୪ ଥର ଆଉଟ୍ ହୋଇଥିଲେ। ଇଂଲଣ୍ଡ ଏହି ଟେଷ୍ଟରେ ଉଭୟ ପାଳିରୁ ମୋଟ ୨୯୮ ରନ୍ ସଂଗ୍ରହ କରି ୨୦ ୱିକେଟ୍ ହରାଇଥିଲା। ଭାରତ ବିପକ୍ଷରେ ଏହା ଇଂଲଣ୍ଡର ତୃତୀୟ ସର୍ବନିମ୍ନ। ଏସିଆରେ ଏହା ଇଂଲଣ୍ଡର ଦ୍ବିତୀୟ ସର୍ବନିମ୍ନ। ସବୁଠୁ ସର୍ବନିମ୍ନ ୨୩୦ ରନ୍ (୧୦୨ ଓ ୧୨୮) ୧୯୮୬ରେ ଇଂଲଣ୍ଡ ହେଡିଂଲେରେ କରିଥିଲା।

ବଡ଼ ବିଜୟ ପରେ ବଡ଼ ପରାଜୟ
କୌଣସି ଦେଶ ପ୍ରଥମ ଟେଷ୍ଟରେ ୨୦୦ରୁ ଊର୍ଧ୍ବ ରନ୍‌ ବିଜୟ ପରେ ଦ୍ବିତୀୟ ଟେଷ୍ଟ୍‌କୁ ସେଭଳି ଭାବେ ହାରିବାର ଏହା ଚତୁର୍ଥ ଉଦାହରଣ। ୨୦୧୭ରେ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା, ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଦକ୍ଷିଣ ଆଫ୍ରିକା, ୧୯୫୦ରେ ଇଂଲଣ୍ଡରେ ୱେଷ୍ଟଇଣ୍ଡିଜ୍‌ ଏଭଳି ଦଶା ଭୋଗିଥିଲେ। ଦକ୍ଷିଣ ଅଫ୍ରିକା ପ୍ରଥମ ଟେଷ୍ଟ୍‌ ଲଢ଼ୁଆ ଖେଳି ଦ୍ବିତୀୟ ଟେଷ୍ଟ୍ ଜିତିଥିଲା।

ପଦାର୍ପଣରେ ୫ ୱିକେଟ୍‌ ନେବାରେ ଅକ୍ଷର ନବମ
ବାମହାତୀ ସ୍ପିନର ଅକ୍ଷର ପଟେଲ୍ ପଦାର୍ପଣ ଟେଷ୍ଟ୍‌ରେ ୫ ୱିକେଟ୍ ସଫଳତା ଅର୍ଜନ କରିବାରେ ନବମ ଭାରତୀୟ ବୋଲର ହୋଇଛନ୍ତି। ଇଂଲଣ୍ଡର ଦ୍ବିତୀୟ ପାଳିରେ ଅକ୍ଷର ୬୦ ରନ୍‌ ବିନିମୟରେ ୫ ୱିକେଟ୍ ନେଇଥିଲେ। ଏଭଳି ସଫଳତା ଅର୍ଜନ କରିବାରେ ଅନ୍ୟ ଏକମାତ୍ର ଭାରତୀୟ ବାମହାତୀ ସ୍ପିନର୍‌ ଥିଲେ ଦିଲୀପ ଦୋଶୀ। ୧୯୭୯ରେ ଚେନ୍ନାଇରେ ଦିଲୀପ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୩ ରନ୍ ବିନିମୟରେ ୬ ୱିକେଟ୍ ନେଇଥିଲେ। ଭିଭି କୁମାର, ଦିଲୀପ ଦୋଶୀ, ନରେନ୍ଦ୍ର ହିରୱାନି, ଆର୍‌ ଅଶ୍ବିନ ଓ ଅମିତ ମିଶ୍ରାଙ୍କ ପରେ ଅକ୍ଷର ପଟେଲ୍ ଷଷ୍ଠ ଭାରତୀୟ ସ୍ପିନର୍‌ ଭାବେ ମଧ୍ୟ ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅକ୍ଷର ପଟେଲଙ୍କ ମ୍ୟାଚ୍‌ ଚିତ୍ର ୭/୧୦୦ ଭାରତ ପାଇଁ ପଦାର୍ପଣରେ ଅଷ୍ଟମ ଶ୍ରେଷ୍ଠ।

ସମ୍ବନ୍ଧିତ ଖବର