କୁଚ୍‌ ବେହାର୍‌ ଟ୍ରଫି: ହରିଆଣାଠୁ ଓଡ଼ିଶାର ପାଳି ପରାଜୟ

ସମ୍ବଲପୁର: ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା ହରିଆଣା ବିପକ୍ଷ କୁଚ୍‌ ବେହାର ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପାଳି ପରାଜୟ ବରଣ କରିଛି। ଟସ୍‌ ଜିତିଥିବା ଓଡ଼ିଶା ପ୍ରଥମ ପାଳିରେ ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ହରିଆଣା ପ୍ରଥମ ପାଳିରେ ୫୧୧ ରନ୍‌ କରିଥିଲା। ଓଡ଼ିଶା ତା’ର ଦ୍ବିତୀୟ ପାଳିରେ ୨୯୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ହରିଆଣା ଏକ ପାଳି ଓ ୧୮ ରନ୍‌ରେ ବିଜୟ ହାସଲ କରିଛି। ଓଡ଼ିଶା ଦ୍ବିତୀୟ ପାଳିରେ ହରିଆଣା ପକ୍ଷରୁ ସାମନ୍ତ ଜଖାର ୪ ଵିକେଟ୍‌ ହାସଲ କରିଥିଲେ। ତେବେ ୧୨୯ ରନ୍‌ କରିବା ସହ ୪ ଵିକେଟ୍‌ ହାସଲ କରିଥିବା ହରିଆଣାର ମୟଙ୍କ ସାଣ୍ଡିଲ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ଅଲ୍‌ରାଉଣ୍ଡର୍‌ ଭୂମିକା ତୁଲାଉଥିବା ହରିଆଣା ଅଧିନାୟକ ନିଶାନ୍ତ ସିନ୍ଧୁ ୬୩ ରନ୍‌ କରିବା ବ୍ୟତୀତ ୫ ଵିକେଟ୍‌ ନେଇଥିଲେ।

ପ୍ରଥମ ପାଳିରେ ୩୧୭ ରନ୍‌ ପଛୁଆ ଥିବା ଓଡ଼ିଶା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳିରେ ୪ ଵିକେଟ୍‌ ହରାଇ ୨୪୨ ରନ୍‌ କରିଥିଲା। ମଙ୍ଗଳବାର ଚତୁର୍ଥ ଦିବସରେ ଆଉ ମାତ୍ର ୫୭ ରନ୍‌ ଯୋଡ଼ି ଅବଶିଷ୍ଟ ୬ ଵିକେଟ୍‌ ହରାଇବାରୁ ପାଳି ପରାଜୟ ଏଡ଼ାଇ ପାରିନଥିଲା। ଓଡ଼ିଶା ପାଇଁ ଅଧିନାୟକ ସାଇଦୀପ ମହାପାତ୍ର ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିବା ସହ ୩ ଵିକେଟ୍‌ ଅକ୍ତିଆର କରିଥିଲେ। ଦ୍ବିତୀୟ ପାଳିରେ ସାଇଦୀପ ୫୪ ରନ୍‌ (୧୦୭ ବଲ୍‌, ୪ ଚୌକା, ୨ ଛକା) କରିଥିଲେ। ଚଳିତ ବର୍ଷ କୁଚ୍‌ ବେହାର ଟ୍ରଫିରେ ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ ବିହାର ବିପକ୍ଷରେ ଡ୍ର’ ରଖି ପାଳି ଅଗ୍ରଣୀ ପାଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ମଣିପୁର ବିପକ୍ଷରେ ପାଳି ବିଜୟ ହାସଲ କରିଥିଲା। ହେଲେ ଘରୋଇ ମାଟିରେ ଖେଳିଥିବା ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ରେ ଯଥାକ୍ରମେ ଆନ୍ଧ୍ର ଓ ହରିଆଣାଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଓଡ଼ିଶା ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ବିଦର୍ଭକୁ ଭେଟିବ।

ସମ୍ବନ୍ଧିତ ଖବର