ଦ୍ବୈତସ୍ବାର୍ଥ ମାମଲା: ଦ୍ରାବିଡ଼ ୨୬ରେ ହାଜର ହେବେ

ନୂଆଦିଲ୍ଲୀ: ଦ୍ବୈତସ୍ବାର୍ଥ ମାମଲାରେ କିମ୍ବଦନ୍ତୀ କ୍ରିକେଟର୍‌ ତଥା ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ମୁଖ୍ୟ ରାହୁଲ ଦ୍ରାବିଡ଼ ସେପ୍ଟେମ୍ବର ୨୬ ତାରିଖରେ ବିସିସିଆଇ ନୈତିକ ଅଧିକାରୀ ଡିକେ ଜୈନ୍‌ଙ୍କ ନିକଟରେ ହାଜର ହେବେ। ସେହିଦିନ ସେ ନିଜ ପକ୍ଷ ରଖି‌ବେ ବୋଲି ବିସିସିଆଇ କର୍ମଚାରୀ ମୟଙ୍କ ପାରିଖ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଦ୍ରାବିଡ଼ ଏନ୍‌ସିଏର ଅଧ୍ୟକ୍ଷ ସହ ଇଣ୍ଡିଆ ସିମେଣ୍ଟ୍‌ ଗ୍ରୁପ୍‌ର ଉପସଭାପତି ଅଛନ୍ତି। ଇଣ୍ଡିଆ ସିମେଣ୍ଟ ମାଲିକାନାରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ରହିଛି। ଏହି ଦୁଇଟି ସଂସ୍ଥା ସହ ଦ୍ରାବିଡ଼ ଜଡ଼ିତ ଥିବାରୁ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ଆଜୀବନ ସଦସ୍ୟ ସଞ୍ଜୟ ଗୁପ୍ତା ତାଙ୍କ ନାମରେ ଅଭିଯୋଗ ଆଣିଥିଲେ। ଗୁପ୍ତାଙ୍କ ଅଭିଯୋଗ ପରେ ନୈତିକ ଅଧିକାରୀ ଶ୍ରୀ ଜୈନ ଦ୍ରାବିଡ଼ଙ୍କୁ ନୋଟିସ କରିଥିଲେ। ସଂପ୍ରତି ମୋର ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ ସହ କୌଣସି ସମ୍ପର୍କ ନାହିଁ। ଆଉ ମୁଁ ‌ଏହି କମ୍ପାନିରୁ ଇସ୍ତାଫା ଦେବା ସହ କାର୍ଯ୍ୟରେ ଯୋଗ ଦେଉନାହିଁ ବୋଲି ଦ୍ରାବିଡ଼ ଉତ୍ତର ରଖିଛନ୍ତି।

ସମ୍ବନ୍ଧିତ ଖବର