ମହିଳା ଟି-୨୦ରେ ଦେବିନ୍‌ଙ୍କ ଦ୍ରୁତତମ ଶତକ କୀର୍ତ୍ତିମାନ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ ଅଧିନାୟିକା ‌ସୋଫି ଦେବିନ୍‌ ଗୁରୁବାର ମହିଳା ଟି-୨୦ କ୍ରିକେଟ୍‌ରେ ଦ୍ରୁତତମ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଘରୋଇ ସୁପର ସ୍ମାସ୍‌ ପ୍ରତିଯୋଗିତାରେ ୩୬ ବଲ୍‌ରେ ଶତକ ହାସଲ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।‌ ଏହି କୀର୍ତ୍ତିମାନ ଭରା ପାଳିରେ ସେ ୯ ଲେଖାଏଁ ଛକା ଓ ଚୌକା ମାରିବା ସହିତ ୧୦୮* ରନ୍‌ରେ ଅପରାଜିତ ରହିଥିଲେ। ୩୧ ବର୍ଷୀୟା ଦେବିନ୍‌ଙ୍କ ଏହି ବିସ୍ଫୋରକ ପାଳି ବଳରେ ତାଙ୍କ ଦଳ ୧୦ ୱିକେଟ୍‌ରେ ଓଟଗା ସ୍ପାର୍କସକୁ ପରାସ୍ତ କରିଥିଲା।

ଦୁନେଦିନର ୟୁନିଭରସିଟି ‌ଓଭାଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମଧ୍ୟ ଏକ ଅଘଟଣ ଘଟିଥିଲା। ଦେବିନ୍‌ଙ୍କ ଏକ ଛକା ଖେଳ ଦେଖୁଥିବା ଜଣେ ଝିଅର ମୁହଁରେ ବାଜିଥିଲା। ହେଲେ ବଡ଼ ଧରଣର ଆଘାତ ଲାଗିନଥିଲା। ମ୍ୟାଚ୍‌ ପରେ ଦେବିନ୍‌ ଆହତ ଝିଅ ନିକଟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ଏବଂ ଆଶ୍ବାସନା ଦେଇଥିଲେ। ପୂର୍ବରୁ ଏହି ଦ୍ରୁତତମ ଶତକର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍‌ର ଦେନ୍ଦ୍ରା ଡଟ୍ଟିନଙ୍କ ନାମରେ ଥିଲା। ଡଟ୍ଟିନ ୨୦୧୦ ମସିହାରେ ୩୮ ବଲ୍‌ରେ ଶତକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର