ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ

ଚେନ୍ନାଇ : ଚେନ୍ନାଇର ଏମଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୧୩ତମ ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି । ମୁମ୍ବାଇ ଦ୍ବାରା ରଖାଯ଼ାଇଥିବା ୧୩୮ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଶେଷ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦିଲ୍ଲୀ ପକ୍ଷରୁ ଶିଖର ଧଓ୍ବନ ୪୫, ଷ୍ଟିଭ ସ୍ମିଥ ୩୩ ଓ ଲଲିତ ଯ଼ାଦବ ଅପରାଜିତ ୨୨ ରନ କରିଥିଲେ ।

ଆଜି ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ମାତ୍ର ୯ ରନ ହୋଇଥିବାବେଳେ କ୍ବିଣ୍ଟନ ଡିକକ୍ ଆଉଟ ହୋଇଥିଲେ । ତେବେ ରୋହିତ ଶର୍ମା ଓ ସୂର୍ୟ୍ୟକୁମାର ଯାଦବଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ଶର୍ମା ସର୍ବାଧିକ ୪୪ ରନ କରିଥିବାବେଳେ ସୂର୍ୟ୍ୟକୁମାର ୨୪ ଓ ଇଶାନ କିଷନ ୨୬ ରନ କରିଥିଲେ । ପାଣ୍ଡ୍ୟା ଭ୍ରାତା (ହାର୍ଦ୍ଦିକ ଓ କ୍ରୁନାଳ) ଶସ୍ତାରେ ଆଉଟ ହୋଇଯାଇଥିବାବେଳେ ଜୟନ୍ତ ଯାଦବ ୨୩ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ର ୪ଟି ଓ ଅଭେସ ଖାଁ ୨ଟି ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ଦିଲ୍ଲୀ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନକୁ ଉନ୍ନୀତ ହୋଇଛି ।

ସମ୍ବନ୍ଧିତ ଖବର