ଶ୍ରୀଲଙ୍କା ଗଲା ଧାୱନ ସେନା

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ସୀସିତ ଓଭର ଶୃଙ୍ଖଳା ଖେଳିବା ଲାଗି ଶିଖର ଧାୱନଙ୍କ ନେତୃତ୍ବାଧିନ ଭାରତୀୟ ଦଳ ସୋମବାର କଲମ୍ବୋ ଗସ୍ତ କରିଛି। ବିସିସିଆଇ ତା ଟ୍ବିଟର୍ ହ୍ୟାଣ୍ଡଲରେ ସମ୍ପୂର୍ଣ୍ଣ ଦଳର ଏକ ଗ୍ରୁପ୍‌ ଫଟୋ ସହ ଏହି ସୂଚନା ଦେଇଛି। ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରି ଚଳିତ ବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ନିଜ ଦାବି ରଖିବେ ବୋଲି ରବିବାର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପ୍ରକାଶ କରିଥିଲେ। ଏହ‌ି ଗସ୍ତରେ ଭାରତ ଜୁଲାଇ ୧୩ରୁ ଆରମ୍ଭ କରି ୩ ଲେଖାଏଁ ଦିନିକିଆ ଓ ‌ଟ୍ବେଣ୍ଡି-୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ଅବସରରେ ସଞ୍ଜୁ ସାମସନ୍, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ନିଜ ସ୍ଥାନକୁ ପକ୍କା କରିବାକୁ ନିଶ୍ଚିତ ଆଶା ରଖିଥିବେ। ଏଥି ସହିତ ଶୃଙ୍ଖଳା ଜିତିବା ସମସ୍ତଙ୍କ ମୁଖ୍ୟ ଭୂମିକା ହେବ। ଏ ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିସାରିଛୁ।

ପ୍ରଥମ ଥର ଦଳର ନେତୃତ୍ବ ନେବାକୁ ଯାଉଥିବା ଧାୱନ କହିଛନ୍ତି ‘ଭାରତୀୟ ଦଳର ନେତୃତ୍ବ ନେବା ଏକ ବଡ଼ ସମ୍ମାନ, ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ମୁଁ ପୂର୍ବରୁ ବି ଖେଳିଛି। ‌ସେତେବେ‌ଳେ ମୁଁ ଭାରତ ‘ଏ’ ଦଳର ଅଧିନାୟକ ଥାଇ ବାଂଲାଦେଶ ବିପକ୍ଷରେ ଖେଳିଥିଲି। ଭଲ ପରିବେଶରେ ଖେଳାଳିମାନେ ନିଜ ନିଜକୁ ପରିପ୍ରକାଶ କରିବା ସହ ସକାରାତ୍ମକ ଭାବନାରେ ଖେଳିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।’’
ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ଦେବଦତ୍ତ ପଡ଼ିକଲ, ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶନ (ୱିକେଟରକ୍ଷକ), ସଞ୍ଜୁ ସାମସନ୍‌ (ୱିକେଟରକ୍ଷକ), ୟୁଝବେନ୍ଦ୍ର ଚହଲ, ରାହୁଲ ଚହର, ‌କୃଷ୍ଣାପ୍ପା ଗୌତମ, କୃନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ବର କୁମାର (ଉପଅଧିନାୟକ), ଦୀପକ ଚହର, ନଭଦୀପ୍ ସୈନି, ଚେତନ ସାକାରିଆ। ନେଟ୍ ବୋଲର: ଈଶାନ ପୋରେଲ, ସନ୍ଦୀପ ୱାରିୟର୍‌, ଅର୍ଶଦୀପ ସିଂହ, ସାଇ କିଶୋର, ସିମରଜିତ୍‌ ସିଂହ।

ସମ୍ବନ୍ଧିତ ଖବର