ଝାରସୁଗୁଡ଼ା ଆଲୁମିନିୟମ୍ ପାର୍କ‌ରେ ୨୦୦୦ କୋଟି ନିବେଶ ସୁଯୋଗ

ଭୁବନେଶ୍ବର: ଝାରସୁଗୁଡ଼ାର ପ୍ରସ୍ତାବିତ ଆଲୁମିନିୟମ୍ ପାର୍କରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ଦ୍ବାରା ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାର ସୁଯୋଗ ରହିଛି। ଏହି ପାର୍କ ୧୦୦ରୁ ଅଧିକ ଏମ୍ଏସ୍‌ଏମ୍ଇକୁ ଆକୃଷ୍ଟ କରିପାରିବ। ଆନ୍ତର୍ଜାତିକ ଏମ୍ଏସ୍‌ଏମ୍ଇ ଦିବସ ୨୦୨୧ ପରିପ୍ରେକ୍ଷୀରେ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି) ପକ୍ଷରୁ ଆୟୋଜନ କରାଯାଇଥିବା ଏକ ୱେବିନାର୍‌ରେ ଅଂଶଗ୍ରହଣ କରିଥିବା ବକ୍ତମାନେ ଏଭଳି ଆକଳନ କରିଛନ୍ତି। ଆଇଆଇଭିସିସିର ଜାତୀୟ ସଂଯୋଜକ ଅଭୟ ରାଜ ମିଶ୍ର କହିଛନ୍ତି େଯ କେବଳ ଝାରସୁଗୁଡ଼ା ଆଲୁମିନିୟମ୍ ପାର୍କ ଦ୍ବାରା ୪୫୦୦ କୋଟି ଟଙ୍କାର ଅର୍ଥନୈତିକ ମୂଲ୍ୟ ସୃଷ୍ଟି ହୋଇପାରିବ। ଏହା ଜରିଆରେ ୧ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଏମ୍ଏସ୍‌ଏମ୍ଇ ଶିଳ୍ପର ବିକାଶ ଲାଗି ଆଇଆଇଭିସିସି ତରଫରୁ ପାଞ୍ଚ ସୂତ୍ରୀ ପ୍ରସ୍ତାବ ଜାରି କରାଯାଇଛି। ତାହା ହେଉଛି ଆନୁ‌ଷଙ୍ଗିକ ଶିଳ୍ପରେ ତୁରନ୍ତ ପୁଞ୍ଜିନିବେଶର ପୁନରୁଦ୍ଧାର କରିବା, ଆଲୁମିନିୟମ୍ ପାର୍କ ଭଳି ପ୍ରକଳ୍ପକୁ ଫାଷ୍ଟ୍‌ଟ୍ରାକ୍ କରିବା, ନିବେଶରେ ରହିଥିବା ପ୍ରତିବନ୍ଧକ ଦୂର କରିବା, ପାଣ୍ଠି ପାଇଁ ଅଭିନବ ବ୍ୟବସ୍ଥା ଗ୍ରହଣ କରିବା ଏବଂ କୌଶଳ ବିକାଶ। ଏହି ପାଞ୍ଚଟି ବିଷୟ ଉପରେ କାର୍ଯ୍ୟ କଲେ ରାଜ୍ୟରେ ଏମ୍ଏସ୍‌ଏମ୍ଇ ଶିଳ୍ପର ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ବକ୍ତାମାନେ କହିଛନ୍ତି। ଏହି ଅବସରରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇ ଶିଳ୍ପର ବିକାଶ ଲାଗି ପ୍ରାଥମିକ ଉତ୍ପାଦ ଉତ୍ପାଦନ କରୁଥିବା ବଡ଼ ସଂସ୍ଥାଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ। ଏହି େକ୍ଷତ୍ରର ବିକାଶ ଲାଗି ମିଳିତ ଉଦ୍ୟମ ଲୋଡ଼ା ବୋଲି ସେ କହିଛନ୍ତି। ଏସ୍‌ଏମ୍ଇ ଷ୍ଟ୍ରିଟ୍‌ର ପ୍ରତିଷ୍ଠାତା ଫୈଜ୍ ଅନ୍‌ସାରିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶା ଶିଳ୍ପ ମହାସଂଘର ନିର୍ଦେଶକ ଡକ୍ଟର ଶରତ ସାହୁ ଏମ୍ଏସ୍ଏମ୍ଇଗୁଡ଼ିକ ବିଦ୍ୟୁତ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର