ଧୋନି-ରାୟୁଡୁ ଧମାଲ: ରାଜସ୍ଥାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଲା ଚେନ୍ନାଇ

ଜୟପୁର: ନାଟକୀୟ ଶେଷ ଓଭରରେ ୧୮ ରନ୍ ସଂଗ୍ରହ କରି ଚେନ୍ନାଇ ସୁପରକିଙ୍ଗ୍ସ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଚେନ୍ନାଇ ସପ୍ତମରୁ ଷଷ୍ଠ ବିଜୟ ପାଇଛି। ରାଜସ୍ଥାନ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ମ୍ୟାଚ୍ ଶେଷ ଓଭରରେ ଶେଷ ହେବା ଆଇପିଏଲ୍‌ ଉତ୍କଣ୍ଠାକୁ ଦ୍ବିଗୁଣିତ କରିଛି।

ଚଳିତ ଆଇପିଏଲ୍‌ର ୨୫ତମ ମ୍ୟାଚ୍‌ରେ ରାଜସ୍ଥାନ ଆଜି ୭ ୱିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ୬ ଓଭର ପାୱାର ପ୍ଲେରେ ୪ ଜଣ ଖେଳାଳିଙ୍କୁ ହରାଇ ଘୋର ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ତେବେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୮ ରନ୍, ୪୩ ବଲ୍, ୨ ‌ଚୌକା, ୩ ଛକା) ଓ ଅମ୍ବାତି ରାୟୁଡୁ (୫୭ ରନ୍, ୪୭ ବଲ୍, ୨ ଚୌକା, ୩ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ବିଜୟର ସ୍ବାଦ ଚାଖିଥିଲା। ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ଅନ୍ୟନ୍ତ ଖରାପ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ହିଁ ଦଳ ସେନ୍ ୱାଟସନଙ୍କୁ ହରାଇଥିଲା। ଫାଫ୍ ଡୁ ପ୍ଲେସିସ୍ ଓ ସୁରେଶ ରାଇନା ବି ନିରାଶ କରିଥିଲେ। ହେଲେ ଧୋନି ଏବଂ ରାୟୁଡୁ ପଞ୍ଚମ ୱିକେଟ୍‌ରେ ୯୫ ରନ୍ ଯୋଡ଼ି ଚେନ୍ନାଇକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଚେନ୍ନାଇ ଦ୍ରୁତ ଗତିରେ ବିଜୟ ପଥରେ ଅଗ୍ରସର ହେଉଥିଲା ବେଳେ ବେନ୍ ‌ଷ୍ଟୋକ୍ସଙ୍କ ବଲ୍‌ରେ ଡାହାଣ ପାର୍ଶ୍ବକୁ ଦୀର୍ଘପଥ ଦୌଡ଼ି ଦର୍ଶନୀୟ କ୍ୟାଚ୍ ନେବା ସହ ରାୟୁଡୁଙ୍କୁ ଶ୍ରେୟସ୍ ଗୋପାଳ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ରାଜସ୍ଥାନ ପାଇଁ ସେହିଠାରେ ଆଶା ସଂଚାର ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୮ ରନ୍‌ ଦରକାର ଥିଲା ବେଳେ ପରବର୍ତୀ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଦେଜା ଷ୍ଟୋକ୍ସଙ୍କ ପ୍ରଥମ ବଲ୍‌କୁ ଛକା ମାରିଥିଲେ। ଷ୍ଟୋକ୍ସ ତୃତୀୟ ବଲ୍‌ରେ ଧୋନିଙ୍କୁ ‌ବୋଲ୍ଡ କରି ଦେଇଥିଲେ। ଫଳରେ ମ୍ୟାଚ୍ ପୁଣି ଥରେ ନୂଆ ମୋଡ଼ ନେଇଥିଲା। ଶେଷ ବଲ୍‌ରୁ ୩ ରନ୍‌ର ଦରକାର ଥିଲା ବେଳେ ମିଚେଲ ସାଣ୍ଟନର ଏହାକୁ ଛକା ମାରି ଚେନ୍ନାଇକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ।

ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ସେଥିପାଇଁ ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଥିଲା। ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଦଳକୁ ଫେରିଥିଲେ ମଧ୍ୟ ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୫୧ ରନ୍ କରି ପାରିଥିଲା। ରାହୁଲ ଚହର ଓ ଜୋଫ୍ରା ଆର୍ଚର ଶେଷ ଓଭରରେ କରିଥିବା ୧୮ ରନ୍ ବଳରେ ହିଁ ଏହି ଦଳ ଦେଢ଼ ଶହ ରନ୍ ଛୁଇଁଥିଲା। ରାଜସ୍ଥାନର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ (୧୪) ଓ ଜୋସ୍ ବଟଲର (୨୩) ୪୭ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ସାମସନ ମଧ୍ୟ ୬ ରନ୍ ଆଗକୁ ବଢ଼ି ପାରି ନଥିଲେ। ଷ୍ଟିଭେନ୍ ସ୍ମିଥ୍ (୧୫)ଙ୍କ ବିଫଳତା ଧାରା ଜାରି ରହିଥିଲା ବେଳେ ବେନ୍ ଷ୍ଟୋକ୍ସ (୨୮) ମଧ୍ୟ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲେ। ଅନ୍ୟପକ୍ଷରେ ଚେନ୍ନାଇର ଦୁଇ ଦ୍ରୁତ ବୋଲର ଦୀପକ ଚହର (୨/୩୩) ଓ ସାର୍ଦୁଲ ଠାକୁର (୨/୪୪)ଙ୍କ ସହ ସ୍ପିନର ରବୀନ୍ଦ୍ର ଜାଦେଜା (୨/୨୦) ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ଜାଦେଜା ରାହୁଲ ତ୍ରିପାଠୀ (୧୦)ଙ୍କୁ ଆଉଟ୍ କରି ଆଇପିଏଲରେ ୧୦୦ ୱିକେଟ୍ ପୂରଣ କରିଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୫୧/୭ (ବେନ୍ ଷ୍ଟୋକ୍ସ ୨୮, ଜୋସ୍ ବଟଲର ୨୩, ଶ୍ରେୟସ୍ ଗୋପାଳ ୧୯*, ରିଆନ୍ ପରାଗ ୧୬, ରବୀନ୍ଦ୍ର ଜାଦେଜା ୨/୨୦, ଦୀପକ ଚହର ୨/୩୩, ସାଦୁର୍ଲ ଠାକୁର ୨/୪୪)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୫/୬ ( ମହେନ୍ଦ୍ର ସିଂହ ଧୋନି ୫୮, ଅମ୍ବାତି ରାୟୁଡୁ ୫୭, ମିଚେଲ ସାଣ୍ଟନର ୧୦*, ରବୀନ୍ଦ୍ର ଜାଦେଜା ୯*, ବେନ୍ ଷ୍ଟୋକ୍ସ ୨/୩୯, ଧବଲ କୁଲକର୍ଣ୍ଣି ୧/୧୪, ଜୋଫ୍ରା ଆର୍ଚର ୧/୧୯)।

ଜାଦେଜାଙ୍କୁ ୧୦୦ ୱିକେଟ୍‌

ଚେନ୍ନାଇ ସୁପର କିଙ୍ଗ୍ସର ବାମହାତୀ ‌ସ୍ପିନର ରବୀନ୍ଦ୍ର ଜାଦେଜା ଗୁରୁବାର ୧୦୦ ଆଇପିଏଲ୍‌ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଦୁଇ ୱିକେଟ୍‌ ଅକ୍ତିଆର କରି ପ୍ରଥମ ବାମହାତୀ ସ୍ପିନର ଭାବେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ୧୬୧ ମ୍ୟାଚ୍‌ ଖେଳି ଜାଦେଜା ଏହି ସଫଳତା ପାଇଥିଲେ। ତାଙ୍କ ପୂର୍ବରୁ ଏହି କ୍ଲବ୍‌ରେ ୮ ଭାରତୀୟଙ୍କ ସହ ମୋଟ ୧୨ ଜଣ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର