ୟୁଏଇରେ ଧୋନିଙ୍କ ହେଲିକପ୍ଟର ସଟ୍‌ ଦେଖିବାକୁ ମିିଳିବ: ରାଇନା

ଚେନ୍ନାଇ: କରୋନା ମହାମାରୀ ଯୋଗୁଁ ପ୍ରାୟ ୫ ମାସ ହେଲା ଭାରତୀୟ କ୍ରିକେଟର୍‌ ‌ପଡ଼ିଆକୁ ଆସିନାହାନ୍ତି। ‌କରୋନା ପାଇଁ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ବକପ୍‌ ଗୋଟିଏ ବର୍ଷ ଘୁଞ୍ଚିବାରୁ ସ୍ଥଗିତ ଥିବା ଧନି କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ ଲାଗି ବାଟ ଫିଟିଥିଲା। ଏହା ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏହି ପ୍ରତିଯୋଗିତାରେ ୨୦୧୯ ବିଶ୍ବକପ୍‌ଠୁ କ୍ରିକେଟ୍‌ଠୁ ଦୂରେଇ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ଦେଖିବାକୁ ମିଳିବ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ତାଙ୍କ ଅଧିନାୟକ ତଥା ସାଥୀ ‌ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ପ୍ରଶ୍ନ: ଶେଷରେ ଆଇପିଏଲ୍ ହେଉଛି। ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବା କିପରି ଅନୁଭବ କରୁଛନ୍ତି?
ରାଇନା: ଆଇପିଏଲ୍‌ ପାଇଁ ଫେରିବା ଭଲ। ଏହି ଋତୁ ପାଇଁ ଆମେ ସମସ୍ତେ ଉତ୍ସାହିତ ଅଛୁ। ଏଥିପାଇଁ ଆମେ ପ୍ରକୃତରେ କଠିନ ପରିଶ୍ରମ କରିଛୁ ଏବଂ ମୁଁ ନିଶ୍ଚିତ ଯେ ସମସ୍ତେ ଏହାକୁ ଉପଭୋଗ କରିବେ।
ପ୍ରଶ୍ନ: ଏହି ମହାମାରୀରେ ପଡ଼ିଆକୁ ଫେରିବା ପୂର୍ବରୁ ଖେଳାଳିମାନେ ଚିନ୍ତାରେ ଅଛନ୍ତି କି?
ରାଇନା: ନିଶ୍ଚିତ, ଏହି ମହାମାରୀରେ ଅନେକ ଘଟଣା ଘଟିଛି। ୨୦୨୦ ଆମ ସମସ୍ତଙ୍କ ପାଇଁ ସବୁଠୁ ଖରାପ ବର୍ଷ ରହିଛି। ମୁଁ କହିବି ଏହି ଅସମୟରେ ଭାରତୀୟ ଭାବେ ଆମେ ପ୍ରକୃତରେ ଯୁଦ୍ଧ କରିଛୁ। ଏହି ଯୁଦ୍ଧର ଆଗ ଧାଡ଼ିରେ ଥିବା ଡାକ୍ତର ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିଛୁ। ଆମେ ପ୍ରକୃତରେ ପଛକୁ ଚାଲିଯାଇଛୁ। ଅସମୟରେ ଆମକୁ ଭଲ ସ୍ଥାନକୁ ଫେରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। କ’ଣ ହେଉଛି ତାହାକୁ ଭୁଲି ଆଗକୁ ବଢ଼ିବା। ଚାଲ ଏବେ କ୍ରିକେଟ୍ ଖେଳିବା। ଏହା ଦ୍ବାରା ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କ ମୁହଁରେ ହସ ଫୁଟାଇବା।
ପ୍ରଶ୍ନ: ଆଇପିଏଲ୍‌ ଖେଳିବାକୁ ଗଲା ବେଳେ ପରିବାରକୁ ନେବେ କି?
ରାଇନା: ଖେଳାଳି ଏବଂ କର୍ମଚାରୀଙ୍କ ପାଇଁ ବିସିସିଆଇ ସ୍ୱାସ୍ଥ୍ୟ ପରାମର୍ଶଦାତା ସହ ଅନେକ ନିର୍ଦେଶାବଳୀ ଜାରି କରିବ। ଏହି ଆଇପିଏଲ୍ ଖେଳାଳିମାନଙ୍କ ପାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହେବ। ଆମକୁ ଉପଯୁକ୍ତ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ। ପହଞ୍ଚିବା ପରେ ନିୟମାବଳୀ ବିଷୟରେ ଜାଣିବୁ। ଏହି ସମୟରେ କେବଳ ଭଲ ଅଶା ରଖିଛୁ।
ପ୍ରଶ୍ନ: ଭାରତରେ ଆୟୋଜିତ ନେଇ ସମସ୍ତ ଦଳ ନିଲାମରେ ଖେଳାଳି କିଣିଥିଲେ। ୟୁଏଇରେ ସିଏସ୍‌କେ ସ୍ପିନର୍‌ ଫାଇଦା ପାଇବେ କି?
ରାଇନା: ମୁଁ ଭାବୁଛି ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ ହେବ। ୟୁଏଇରେ ବହୁତ ବଡ଼ ଗ୍ରାଉଣ୍ଡ ଅଛି। ବିଶ୍ବର ଅନେକ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଥିବା ୱାଟସନ, ଡ୍ବାନ୍‌ ବ୍ରାଭୋଙ୍କ ଭଳି ଆମର ଅନେକ ଗୁଣାତ୍ମକ ଖେଳାଳି ଅଛନ୍ତି। ଧୋନିଙ୍କ ସହ ଏସବୁକୁ ମୁକାବିଲା କରିବା ପାଇଁ ଆମର ଅନେକ ଅଭିଜ୍ଞ ଅଛନ୍ତି। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ କହିବି ଯେ ପଡ଼ିଆରେ ଆମେ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ। ପୂର୍ବରୁ ଏଠାରେ ଖେଳିଛୁ। ଆମେ ସେଠାରେ ପହଞ୍ଚି ଅଭ୍ୟାସ କଲା ପରେ ପଡ଼ିଆକୁ ଭଲ ଭ‌ାବେ ଜାଣିପାରିବୁ।
ପ୍ରଶ୍ନ: ଖ‌ାଲି ଷ୍ଟିଡିୟମରେ ଖେଳିବାକୁ କିପରି ଅନୁଭବ କରିବେ?
ରାଇନା: ଏହା ଏକ ଆହ୍ବାନ ହେବ। ମୁଁ ଶୁଣିବାକୁ ପାଉଥିଲି ଯେ ୩୦-୪୦ ପ୍ରତିଶତ ଦର୍ଶକଙ୍କୁ ‌ଷ୍ଟାଡିୟମକୁ ଯିବାର ସୁଯୋଗ ମିଳିପାରେ। ଚେନ୍ନାଇ ଦର୍ଶକଙ୍କୁ ହରାଇଥିବାରୁ ଏହା ମଧ୍ୟ ଆମକୁ କଷ୍ଟ ଦେବ। କିନ୍ତୁ ଏହି ବର୍ଷ ଆମର ଅତିରିକ୍ତ ଦାୟିତ୍ବ ଅଛି। କାରଣ ପ୍ରଶଂସକ ଟିଭିରେ ଖେଳ ଦେଖିବାକୁ ଥିବାରୁ ଆମକୁ ନିଶ୍ଚିତ ଭଲ ଖେଳିବାକୁ ପଡ଼ିବ।
ପ୍ରଶ୍ନ: ଧୋନି ବର୍ଷକ ପରେ ଫେରୁଛନ୍ତି, କ’ଣ କହିବେ?
ରାଇନା: ମହାମାରୀ ପୂର୍ବରୁ ଆମେ କଠିନ ପରିଶ୍ରମ କରିଥିଲୁ। ‌ଆଇପିଏଲ୍‌ ପାଇଁ ସେ ପୂରା ପ୍ରସ୍ତୁତ ଅଛନ୍ତି। ଆପଣ ଶୀଘ୍ର ତାଙ୍କ ହେଲିକପ୍ଟର ସଟ୍‌ ଦେଖିବାକୁ ପାଇବେ। ଏହି ମହାନ କ୍ରିକେଟର୍‌ ଆଇପିଏଲର ଜଣେ ପ୍ରମୁଖ ଦୂତ। ତାଙ୍କ ନିକଟରେ ଲଢ଼େଇ କରିବାର ସ୍ପିରିଟ୍‌ ଭରି ରହିଛି। ମୋର ଆଶା ସେ ନିଶ୍ଚିତ ତାଙ୍କ ପ୍ରଶଂସକମାନଙ୍କୁ ମନୋରଂଜନ ଦେବେ।
ପ୍ରଶ୍ନ: ଚଳିତ ବର୍ଷ ଆଇପିଏଲ୍‌ କିଏ ଜିତିବ ଆଶା ରଖିଛନ୍ତି?
ରାଇନା: ମୁଁ ଭାବୁଛି ଯେହେତୁ ଆମେ ୪-୫ ମାସ ପରେ ଖେଳୁଛୁ। ସମସ୍ତ ଦଳ ଭଲ କରିବେ। ପ୍ରତ୍ୟେକ ଦଳ ମଧ୍ୟରେ ଭଲ ଲଢ଼େଇ ଦେଖିବାକୁ ମିଳିବ। ଖେଳାଳିମାନେ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି। ମୁଁ ଭାବୁଛି ପ୍ରତ୍ୟେକ ଦଳ ଦୃଢ଼। ଏହି ଆଇପିଏଲ୍ ଅତ୍ୟନ୍ତ ରୋମାଞ୍ଚକର ହେବ।

ସମ୍ବନ୍ଧିତ ଖବର