ଦଲିପ୍‌ ଟ୍ରଫି, ଅକ୍ଷତ ରେଡ୍ଡୀଙ୍କ ଶତକ; ଇଣ୍ଡିଆ ଗ୍ରିନ୍‌ ୩୦୮/୪

ଅଲୁର: ସ୍ଥାନୀୟ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହୋଇଛି ଦଲିପ୍‌ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌। ଇଣ୍ଡିଆ ରେଡ୍‌ ଏବଂ ଇଣ୍ଡିଆ ଗ୍ରିନ୍‌ ମଧ୍ୟରେ ଏହି ମୁକାବିଲା ଚାଲିଛି। ପୂର୍ବରୁ ଇଣ୍ଡିଆ ରେଡ୍‌ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିସାରିଥିଲା ବେଳେ ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ ଖେଳିବାକୁ ଏହି ମ୍ୟାଚ୍‌ ଗ୍ରିନ୍‌ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ମ୍ୟାଚ୍‌ ଜିତିଲେ ହିଁ ଗ୍ରିନ୍‌ ଦଳ ଫାଇନାଲ୍‌ ଯୋଗ୍ୟତା ହାତେଇବ। ଫଳରେ ଏଭଳି ‘କର ବା ମର’ ମ୍ୟାଚ୍‌ରେ ଗ୍ରିନ୍‌ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଉ ଅଧିନାୟକ ଫେଜ୍‌ ଫଜଲ୍‌ଙ୍କ ଏହି ନିଷ୍ପତ୍ତିକୁ ବାଟ୍‌ସମ୍ୟାନ୍‌ମାନେ ଯଥାର୍ଥ ସାବ୍ୟସ୍ତ କରି ପ୍ରଥମ ଦିବସରେ ହିଁ ମଜ୍‌ବୁତ ସ୍ଥିତି ଦେଇଛନ୍ତି। ବିଶେଷକରି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅକ୍ଷତ ରେଡ୍ଡୀଙ୍କ ଦମ୍‌ଦାର ଶତକ ଏବଂ ସିଦେଶ ଲାଡ୍‌ଙ୍କ ଅର୍ଧଶତକ ବଳରେ ଗ୍ରିନ୍‌ ଦଳ ଗୁରୁବାର ପ୍ରଥମ ଦିବସରେ ୪ ୱିକେଟ୍‌ ବିନିମୟରେ ୩୦୮ ରନ୍‌ କରିନେଇଛି। ଅକ୍ଷତ ୧୭ ଚୌକା ଓ ୩ ଛକା ସହାୟତାରେ ୧୪୬ ରନ୍‌ କରିଥିଲା ବେଳେ ଲାଡ୍‌ ୮ ଚୌକା ଓ ୨ ଛକା ସହାୟତାରେ ୬୪ ରନ୍‌ କରିଥିଲେ। ଉଭୟେ ତୃତୀୟ ୱିକେଟ୍‌ରେ ୧୩୭ ରନ୍‌ ଯୋଡ଼ି ସ୍ଥିତି ଦୃଢ଼ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫଜଲ୍‌ ୧୮, ଧ୍ରୁବ ସୋରେ ୪୪ ରନ୍‌ କରି ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପ୍ରିୟମ ଗର୍ଗ ୩୦ ଏବଂ ଅକ୍ଷୟ ୱଦେକର୍‌ ୫ ରନ୍‌ରେ ଅପରାଜିତ ରହିଛନ୍ତି। ପ୍ରିୟଙ୍କ ପାଞ୍ଚଲ୍‌ଙ୍କ ନେତୃତ୍ବାଧୀନ ଇଣ୍ଡିଆ ରେଡ୍‌ ଦଳ ପକ୍ଷରୁ ସଫଳ ବୋଲର ଭାବେ ଅଭେଶ ଖାନ୍‌ ଏବଂ ଅକ୍ଷୟ ୱାଖେରେ ୨ ଲେଖାଏଁ ୱିକେଟ୍‌ ବାଣ୍ଟି ନେଇଛନ୍ତି।

ସମ୍ବନ୍ଧିତ ଖବର