ଡିଆରଏସ୍‌କୁ କୋହଲିଙ୍କ ସମାଲୋଚନା

ମୋହାଲି: ଡିଆରଏସ୍ (ଅମ୍ପାୟାର ଡିସିସନ୍ ରିଭ୍ୟୁ ସିଷ୍ଟମ)ର ବିଶ୍ବସନୀୟତା ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଶ୍ନ ଉଠାଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାର ଦୁଇଟି ମ୍ୟାଚ୍‌ରେ ଡିଆରଏସ୍ ଜରିଆରେ ବିବାଦୀୟ ନିଷ୍ପତ୍ତି ହେବା‌ ନେଇ କୋହଲି ମଧ୍ୟ ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜାହିର କରିଛନ୍ତି। ରବିବାର ମୋହାଲି ଦିନିକିଆରେ ଆଷ୍ଟନ୍ ଟର୍ନରଙ୍କ କଟ୍ ବିହାଇଣ୍ଡ ଆବେଦନ ନାକଚ ହେବା ପରେ ଡିଆରଏସ୍ ଅସ୍ଥିର, ଏହା ଆଦୌ ସଠିକ୍ ନୁହେଁ। ଅଷ୍ଟନଙ୍କୁ ନଟଆଉଟ୍ ଘୋଷଣା କରାଯିବା ମୋତେ ଚକିତ କରିଥିଲା। ପ୍ରତ୍ୟେକ ମ୍ୟାଚ୍ ପରେ ଡିଆରଏସ୍‌କୁ ନେଇ ତର୍କ ବିତର୍କ ହେଉଛି। ଏହା ସ୍ଥିର ଫଳାଫଳ ଦେଉନି। ଆଷ୍ଟନଙ୍କୁ ନେଇ ହୋଇଥିବା ସେହି ନିଷ୍ପତ୍ତି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା ବୋଲି କୋହଲି କହିଥିଲେ। ତେବେ ଭାରତୀୟ ଖେଳାଳିମାନେ ଏକାଧିକ କ୍ୟାଚ୍ ହାତଛଡ଼ା କରିବା ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ଥିଲା ବୋଲି ସେ ସ୍ବୀକାର କରିଥିଲେ।

ଏହି ବିବାଦୀୟ ଘଟଣା କିନ୍ତୁ ଅଷ୍ଟ୍ରେଲିଆ ପାଳିର ୪୪ତମ ଓଭରରେ ଘଟିଥିଲା। ୟୁଜବେନ୍ଦ୍ର ଚହଲଙ୍କ ବଲ୍‌କୁ କଟ୍ କରିବା ବେଳେ ଟର୍ନରଙ୍କ ବ୍ୟାଟ୍‌ ଧାରରେ ବଲ୍ ବାଜିଥିବା ଭଳି ପ୍ରତ୍ୟେୟମାନ ହୋଇଥିଲା। ଫଳରେ ଭାରତୀୟ ଖେଳାଳିମାନେ ଆଉଟ୍ ଆବେଦନ କରିଥିଲେ। ଅମ୍ପାୟାର ଅନୀଲ ଚୌଧୁରୀ କିନ୍ତୁ ଏହାକୁ ଖାରଜ କରି ଦେଇଥିଲେ। ହେଲେ ଚୌଧୁରୀଙ୍କ ଏହି ନିଷ୍ପତ୍ତିର ରିଭ୍ୟୁ ନେବାକୁ ୱିକେଟ୍ ରକ୍ଷକ ଋଷବ ପନ୍ତ କୋହଲିଙ୍କୁ ଅନୂରୋଧ କରିଥିଲେ। କୋହଲି ମଧ୍ୟ ଏହାକୁ ମାନି ନେଇଥିଲେ। ଅଲଟ୍ରା ଏଜ୍‌ରୁ ବଲ୍ ବ୍ୟାଟ୍‌କୁ ଅତିକ୍ରମ କଲା ବେଳେ କିଛି ଶବ୍ଦ ହୋଇଥିବା ଜଣାପଡ଼ିଥିଲା। ହେଲେ ତୃତୀୟ ଅମ୍ପାୟାର ଜୋଏଲ୍ ୱିଲସନ୍ ଭାରତ ରିଭ୍ୟୁକୁ ଖାରଜ କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ଆଷ୍ଟନ୍ ଏହା ପରେ ମାତ୍ର ୪୩ ବଲ୍‌ରୁ ୮୪ ରନ୍‌ର ପାଳି ଖେଳିବା ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଭାରତ ଧାର୍ଯ୍ୟ କରିଥିବା ୩୫୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ମଧ୍ୟ ଅଷ୍ଟ୍ରେଲିଆ ୧୩ ବଲ୍ ପୂର୍ବରୁ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର