‘କଥା କୁହା ବିଶେଷଜ୍ଞ ଗଲେ କୁଆଡ଼େ’

ଡର୍ବାନ ବିଜୟ ପରେ ଶାସ୍ତ୍ରୀଙ୍କ କଟାକ୍ଷ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ହାରିବା ପରେ ଚୂଡ଼ାନ୍ତ ଏକାଦଶ ଚୟନ ଏବଂ ଦଳୀୟ ରଣନୀତି ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ତୀବ୍ର ସମାଲୋଚିତ ହୋଇଥିଲେ। ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ରୋହିତ ଶର୍ମାଙ୍କୁ କାହିଁକି ଦଳରେ ନିଆଗଲା। ଯଶ୍ରପୀତ ବୁମରାଙ୍କୁ ଟେଷ୍ଟ ଦଳରେ କାହିଁକି ରଖାଗଲା। କେପଟାଉନରେ ୬ ଓ୍ଵିକେଟ୍‌ ସଫଳତା ପାଇବା ପରେ ମଧ୍ୟ ସେଞ୍ଚୁରିଅନରେ ଭୁବନେଶ୍ୱର କୁମାରଙ୍କୁ କାହିଁକି ଦଳରୁ ବାଦ ଦିଆଗଲା ଏସବୁ ପ୍ରଶ୍ନବାଣ ଶସ୍ତ୍ରୀଙ୍କୁ ଘାଇଲା କରି ଦେଇଥିଲା। ଜୋହାନେସବର୍ଗରେ ଭାରତୀୟ କ୍ରିକେଟ୍‌ ଦଳର ଜବରଦସ୍ତ ବିଜୟ ପରେ ଯାଇ ସେ ଶାନ୍ତିର ନିଶ୍ୱାସ ମାରିଥିଲେ। ଡର୍ବାନ ଦିନିକିଆରେ ଭାରତର ଏକତରଫା ବିଜୟ ପରେ ସେ ପୂର୍ବରୁ ସମାଲୋଚିତ ହୋଇଥିବା କାରଣ ଉପରେ ନିଜ ପକ୍ଷ ରଖିଛନ୍ତି। ବିଭିନ୍ନ ବିତର୍କିତ ବିନ୍ଦୁ ଉପରେ ଖୋଲା ମନ୍ତବ୍ୟ ଦେଇଛନ୍ତି।

ରାହାଣେଙ୍କ ପରିବର୍ତେ ରୋହିତ କାହିଁକି
ଶୃଙ୍ଖଳା ଆରମ୍ଭରୁ ଆମେ ଜାଣିଥିଲୁ ଯେ ରୋହିତ ଭଲ ଲୟରେ ଅଛନ୍ତି। ଅନ୍ୟ ପକ୍ଷରେ ରାହାଣେ ସଂଘର୍ଷ କରୁଛନ୍ତି। କେବଳ ପଡ଼ିଆରେ ନୁହେଁ ନେଟ୍ସରେ ବି ରାହାଣେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରୁ ନଥିଲେ। ଟେଷ୍ଟରେ ରୋହିତଙ୍କ ହାରାହାରି ଥିଲା ୨୦୦ରୁ ଅଧିକ। ଦିନିକିଆରେ ସେ ୧୨୦୦ରୁ ଅଧିକ ରନ୍‌ କରିଥିଲେ। ଦଳରେ ନ ନେଇଥିଲେ ଆମେ ତାଙ୍କୁ କ’ଣ କହି ଥାଆନ୍ତୁ। ତୁମ ପ୍ରଦର୍ଶନର କୌଣସି ମୂଲ୍ୟ ନାହିଁ। ଅଜିଙ୍କ୍ୟ କ’ଣ କରିପାରିବେ, ସେ ବିଷୟରେ ଆମେ ସମସ୍ତେ ଜାଣଛେ। ହେଲେ ଦକ୍ଷିଣ ଆଫ୍ରିକା ଆସିବା ପୂର୍ବରୁ ତାଙ୍କ ହାରାହାରି ଥିଲା ମାତ୍ର ୩୦।

ବୁମରାଙ୍କୁ ଟେଷ୍ଟ୍‌ ଟିକେଟ୍‌
ଏହି ନିଷ୍ପତ୍ତି ରାତିକ ଭିତରେ ନେଇ ନଥିଲୁ। ଗତ ୬ ମାସ ହେବ ଏଥିଲାଗି ପ୍ରସ୍ତୁତି ଚାଲିଥିଲା। ବୁମରା ସର୍ପାଇଜ୍‌ ପ୍ୟାକେଜ୍‌ ଥିଲେ। ନିଜ ପ୍ରଥମ ଟେଷ୍ଟ୍‌ରେ ଏତେ ଆତ୍ମବିଶ୍ୱାସର ସହ କେଉଁ ବୋଲର ବୋଲିଂ କରିଥିଲେ ମୋତେ କୁହନ୍ତୁ! ନୂଆ ହେଲେ ମଧ୍ୟ ସେ ସ୍ଥିର ପ୍ରଦର୍ଶନ ଦେଇଛନ୍ତି। କେପଟାଉନ୍‌ରେ ସେ ଆମକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲେ। ଜୋହାନେସବର୍ଗରେ ପ୍ରତିପକ୍ଷଙ୍କ ଭିତରେ ଭୟ ସୃଷ୍ଟି କରି ପାରିଥିଲେ। ଲୋକମାନେ ବହୁତ କିଛି କହିବେ। ଏବେ ସେହି କଥାକୁହା ବିଶେଷଜ୍ଞମାନେ ଗଲେ କୁଆଡ଼େ?

ସେଞ୍ଚୁରିଅନ୍‌ରେ ଭୁବିଙ୍କୁ ବିଶ୍ରାମ
ସେଞ୍ଚୁରିଅନରେ ଭାରତର ପ୍ରଥମ ପାଳିକୁ ଦେଖନ୍ତୁ। ଭର୍ନାନ ଫିଲାଣ୍ଡରଙ୍କ ପାଇଁ କ୍ୱିଣ୍ଟନ ଡି’ କକ୍‌ ଆଗକୁ ଆସି ଓ୍ଵିକେଟ୍‌ ରକ୍ଷଣ କରୁଥିଲେ। ଏହି ପିଚ୍‌ ଅତ୍ୟନ୍ତ ମନ୍ଥର ଥିଲା। ଈଶାନ୍ତ ଶର୍ମାଙ୍କୁ ଖେଳାଇବା ବୃହତ୍‌ ପାର୍ଥକ୍ୟ ହୋଇଥିଲା। ସେ ଚମତ୍କାର ବୋଲିଂ କରିଥିଲେ। ଆମେ ଜାଣିଥିଲୁ ଓ୍ଵାଣ୍ଡରର୍ସରେ ଭୁବନେଶ୍ୱରଙ୍କୁ ଦଳକୁ ଫେରାଇ ଆଣିବାକୁ ହେବ। ତୃତୀୟ ଟେଷ୍ଟ୍‌ ବେଳକୁ ସେ ସତେଜ ମନ ଏବଂ ନୂଆ ଉତ୍ସାହ ନେଇ ପଡ଼ିଆକୁ ଆସନ୍ତୁ ବୋଲି ଆମେ ଚାହୁଁଥିଲୁ। ସେଞ୍ଚୁରିଅନ ଟେଷ୍ଟ୍‌ର ପ୍ରଥମ ପାଳିରେ ଈଶାନ୍ତ ଅତି ସୁନ୍ଦର ବୋଲିଂ କରିଥିଲେ। ସେ ଆମକୁ ଉଭୟ ଡିଭିଲିୟର୍ସ ଏବଂ ଡୁ ପ୍ଲେସିସଙ୍କ ଓ୍ଵିକେଟ୍‌ ଦେଇଥିଲେ। ଆଗରୁ କେବେ ଈଶାନ୍ତ ଏମିତି ବୋଲିଂ କରିଥିଲେ ? ମୁଁ ଭାବୁଛି ପର୍ଥରେ ବି ନୁହେଁ।

ଦଳରେ ବାରମ୍ବାର ଅଦଳ ବଦଳ
ସେଥିପାଇଁ ମୁଁ କହୁଛି ସମାଲୋଚକମାନେ ଗଲେ କୁଆଡ଼େ? କି ଅଦଳ ବଦଳ କଥା ଆପଣ କହୁଛନ୍ତି। ସେଞ୍ଚୁରିଅନରେ ରାହାଣେ ଲୟକୁ ଫେରୁଥିଲେ। ନେଟ୍ସରେ ସେ ଭଲ କରୁଥିଲେ। ଅନ୍ୟ ପକ୍ଷରେ ରୋହିତ ସଂଘର୍ଷ କରୁଥିଲେ। ସେଥିପାଇଁ ସେହି ସମୟରେ ଯିଏ ଭଲ କରୁଥିଲେ ତାଙ୍କୁ ଆମେ ଦଳରେ ନେଲୁ। ରାହାଣେ ଚୂଡ଼ାନ୍ତ ଏକାଦଶରେ ଥିଲେ ରୋହିତ ବେଞ୍ଚରେ ବସିଲେ। ଓ୍ଵାଣ୍ଡରର୍ସରେ ରାହାଣେ ରନ୍‌ କଲେ। ଭୁବିଙ୍କୁ ବାଦ ଦେବା ଏବଂ ପୁଣି ଥରେ ଦଳରେ ନେବାକୁ ମୁଁ ବଡ଼ ଧରଣର ଅଦଳ ବଦଳ ବୋଲି କହିବି ନାହିଁ। ଏହି ନିଷ୍ପତ୍ତି ପିଚ୍‌ ଏବଂ ପରିବେଶକୁ ଦେଖି ନିଆ ଯାଇଥିଲା। କେପଟାଉନ୍‌ ଏବଂ ସେଞ୍ଚୁରିଅନ୍‌ ଟେଷ୍ଟ୍‌ର ଦ୍ୱିତୀୟ ପାଳିରେ ଆମେ ଅଧିକ ରନ୍‌ କରି ପାରିଥିଲେ ଶୃଙ୍ଖଳାର ଫଳାଫଳ ପୂରା ଅଲଗା ହୋଇଥାଆନ୍ତା।

ବିଦେଶରେ ବଡ଼ ପାଳି ଖେଳିବାକୁ କୋହଲି ପୂରା ସକ୍ଷମ: କାଲିସ୍‌

ଡର୍ବାନ: ଡର୍ବାନ ଦିନିକିଆରେ ମ୍ୟାଚ୍‌ ବିଜୟୀ ଶତକୀୟ ପାଳି ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିସ୍‌ ଭୂୟଶୀ ପ୍ରଶଂସା କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ କୋହଲିଙ୍କ ବ୍ୟାଟିଂରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି। ଆଇପିଏଲ୍‌ ଖେଳିବା ଏଥିରେ ତାଙ୍କୁ ବେଶ୍‌ ସହାୟକ ହୋଇଛି। ଅଧିନାୟକ ଦାୟିତ୍ୱକୁ କୋହଲି ଭଲ ଭାବରେ ତୁଲାଉଥିଲା ବେଳେ ବିଦେଶ ମାଟିରେ ବଡ଼ ପାଳି ଖେଳିବାକୁ ପୂରା ସକ୍ଷମ ବୋଲି ପ୍ରମାଣିତ କରି ଦେଇଛନ୍ତି ବୋଲି କାଲିସ୍‌ କହିଛନ୍ତି। ସଂପ୍ରତି ବିଶ୍ୱ କ୍ରିକେଟ୍‌ରେ ବୋଲିଂ ଅଲରାଉଣ୍ଡରଙ୍କର ଅଭାବ ଥିବା ସେ ସ୍ୱୀକାର କରିଛନ୍ତି। ଏଥିଲାଗି କାଲିସ୍‌ ମାତ୍ରାଧିକ କ୍ରିକେଟ୍‌କୁ ଦାୟୀ କରିଛନ୍ତି। ଭଲ ଅଲରାଉଣ୍ଡର ଅଧିକ ମାତ୍ରାରେ ଆସନ୍ତି ବୋଲି ମୁଁ ଭାବୁନାହିଁ। ତା’ଛଡ଼ା ସଂପ୍ରତି ବର୍ଷସାରା କ୍ରିକେଟ୍‌ ଖେଳ ହେଉଛି। ଏହା ଅଲରାଉଣ୍ଡରଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେଉନାହିଁ।

ସମ୍ବନ୍ଧିତ ଖବର