ଇଂଲଣ୍ଡର ନାଟକୀୟ ବିପର୍ଯ୍ୟୟ: ଛଡ଼ାଇ ଆଣିଲେ ବିଜୟ, ଫର୍ମକୁ ଫେରିଲେ ଧାୱନ-ରାହୁଲ

ଆୟର, ରୋହିତ ଆହତ

ପୁଣେ: ଅଦମ୍ୟ ସାହସ ଓ ଦୃଢ଼ ଆତ୍ମବିଶ୍ବାସ ଥି‌‌ଲେ କିଛି ବି କରିହୁଏ। ମଙ୍ଗଳବାର ୨୦ ଓଭର ପର୍ଯ୍ୟନ୍ତ ଅସହାୟ ଭାବେ ଇଂଲଣ୍ଡ ବ୍ୟାଟର୍‌ କରୁଥିବା ଛକା, ଚୌକା ବର୍ଷାକୁ ରୋକିବାକୁ ରାହା ପାଉନଥିବା ଭାରତ ଶେଷରେ ନାଟକୀୟ ଓ ଅଦ୍ଭୂତପୂର୍ବ ପ୍ରତ୍ୟାବର୍ତ୍ତନର ବଳିଷ୍ଠ ନମୁନା ଦେଖାଇଥିଲା। ମାତ୍ର ୧୧୬ ରନ୍ ଭିତରେ ପ୍ରତିପକ୍ଷ ଦଳର ସମସ୍ତ ୧୦ ୱିକେଟ୍ ଅକ୍ତିଆର କରିବା ସହ ପ୍ରଥମ ଦିନିକିଆରେ ୬୬ ରନ୍‌ର ଏକତରଫା ହେଲେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କଲା। ଆଜି ଭାରତ ୩୧୮ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରୟ (୪୬) ଓ ଜନି ବେୟାରଷ୍ଟୋ (୯୪) ଯେଭଳି ବିସ୍ଫୋରକ ବ୍ୟାଟିଂ କରୁଥିଲେ ମ୍ୟାଚ୍ ୪୦ ଓଭରରେ ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଏହି ଦୁଇ ଜଣଙ୍କ ସହ ବିପଜ୍ଜନକ ବେନ୍ ‌ଷ୍ଟୋକ୍ସଙ୍କୁ ୨୪ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ମ୍ୟାଚ୍‌କୁ ପେରିଥିଲା କୋହଲି ବାହିନୀ। ଆରମ୍ଭରୁ ନିର୍ଧୂମ ଛେଚା ଖାଇଥିବା କର୍ଣ୍ଣାଟକର ଯୁବ ବୋଲର ପ୍ରସିଦ୍ଧକୃଷ୍ଣ (୪/୫୪) ଓ ଶାର୍ଦୁଳ ଠାକୁର (୩/୩୭) ନିୟମିତ ବ୍ୟବଧାନରେ ୱିକେଟ୍‌ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଅଭିଜ୍ଞ ଭୁବନେଶ୍ବର କୁମାର (୨/୩୦) ବି ଉଚ୍ଚକୋଟୀର ବୋଲିଂ କରିଥିଲେ।

ଏହି ତିନି ଜଣ ୯ ୱିକେଟ୍ ବାଣ୍ଟିନେବା ପରେ ଏକଦା ୮ରୁ ଅଧିକ ହାରରେ ରନ୍ କରୁଥିବା ଇଂଲଣ୍ଡ ଅବିଶ୍ବସନୀୟ ଭାବେ ୪୨.୧ ଓଭରରେ ମାତ୍ର ୨୫୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ବୋଲିଂର ଶେଷ ୨୦ ଓଭର ଏବଂ ବ୍ୟାଟିଂର ‌ଶେଷ ୧୦ ଓଭରରେ ଚମତ୍କାର ଓ ଅତି ଉନ୍ନତଧରଣର କ୍ରିକେଟ୍ ଖେଳି ଭାରତ ମ୍ୟାଚ୍ ଜିତି ନେଇଥିଲା। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା। ଦୁଇ ପଦାର୍ପଣକାରୀ କ୍ରୁନାଲ ପାଣ୍ଡ୍ୟା (୫୮* ରନ୍, ୧/୫୯) ଓ ପ୍ରସିଦ୍ଧକୃଷ୍ଣ ମଧ୍ୟ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍‌ର ପ୍ରଥମ ମୁକାବିଲା‌ରେ ନିଜ ନିଜର ବଳିଷ୍ଠ ଛାପ ଛାଡ଼ିଥିଲେ। ୯୮ ରନ୍ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଫର୍ମକୁ ଫେରିଲେ ଧାୱନ-ରାହୁଲ

ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସଂପୂର୍ଣ୍ଣ ବିଫଳ ହୋଇ ୧, ୦, ୦ ବ୍ୟାଟିଂ ଚିତ୍ର ପାଇଥିବା କେଏଲ୍ ରାହୁଲ (୬୨*)ଙ୍କ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୯୮) ଫର୍ମକୁ ‌ଫେରିବା ମଙ୍ଗଳବାର ମ୍ୟାଚ୍‌ରେ ଭାରତ ପାଇଁ ଅନ୍ୟତମ ସକାରାତ୍ମକ ଦିଗ ଥିଲା। ଧାୱନ ଓ ରୋହିତ ଶର୍ମା (୨୮) ପ୍ରଥମ ୱିକେଟ୍‌ରେ ୬୪ ରନ୍ ଯୋଡ଼ିଥିଲେ। ରୋହିତ ସାମାନ୍ୟ ମନ୍ଥର ବ୍ୟାଟିଂ କରିଥିଲେ। ଧାୱନ କିନ୍ତୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ୩୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏକ ଚିତ୍ତାକର୍ଷକ ଶତକ ହାସଲ କରିବାର ୨ ରନ୍ ପୂର୍ବରୁ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସଙ୍କ ଶିକାର ହୋଇଯାଇଥିଲେ। ଅଧିନାୟକ ବିରାଟ କୋହଲି (୫୬) ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ପୁଣି ଥରେ ତିନି ଅଙ୍କ ଛୁଇଁବାରୁ ବଞ୍ଚିତ ହୋଇଥିଲେ। ଫଳରେ ରିକି ପଣ୍ଟିଂଙ୍କୁ ଟପିବା ଓ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବା ସୁଯୋଗ ହାତଛଡ଼ା କରିଥିଲେ। ତେବେ ଭାରତ ପାଳିରେ ଅସଲ ମଜା ପଦାର୍ପଣକାରୀ କ୍ରୁନାଲ ପାଣ୍ଡ୍ୟା (୫୮*) ଓ ରାହୁଲ ଭରିଥିଲେ। ଉଭୟ ଧମାକାଦାର ବ୍ୟାଟିଂ କରି ମାତ୍ର ୫୭ ବଲ୍‌ରୁ ୧୧୨ ରନ୍ ସଂଗ୍ରହ କରିନେଇଥିଲେ। ଫଳରେ ୪୦ ଓଭର ସୁଦ୍ଧା ୪ ୱିକେଟ୍ ହରାଇ ୨୦୫ ରନ୍ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୭ ରନ୍ କରିନେଇଥିଲା। ଋଷଭ ପନ୍ତଙ୍କ ବଦଳରେ ୱିକେଟ୍ ରକ୍ଷଣ କରିଥିବା ରାହୁଲ ନବମ ଅର୍ଦ୍ଧଶତକ ହାସଲ କରି ଆତ୍ମବିଶ୍ବାସ ଫେରିପାଇଥିଲେ।

ଆୟର, ରୋହିତ ଆହତ

ଯୁବ ତଥା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର କ୍ଷେତ୍ରରକ୍ଷଣ ବେଳେ ଆହତ ହେବା ଭାରତ ପାଇଁ ଏକ ଅପ୍ରତ୍ୟାଶିତ ଝଟ୍‌କା ଥିଲା। ଇଂଲଣ୍ଡ ପାଳିର ଅଷ୍ଟମ ଓଭରରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଶାର୍ଦୁଳ ଠାକୁରଙ୍କୁ ଜନି ବେୟାରଷ୍ଟୋ ମାରିଥିବା ଡ୍ରାଇଭ୍‌କୁ ଡାଇଭ୍ ମାରି ରୋକିବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଯନ୍ତ୍ରଣା ଜର୍ଜରିତ ଶ୍ରେୟସ୍ କାନ୍ଧକୁ ଜାବୁଡ଼ି ଧରି ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସେ ମାତ୍ର ୬ ରନ୍ କରିପାରିଥିଲେ। ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଡାହାଣ ହାତ କହୁଣୀରେ ଆଘାତ ଲାଗିବା ପରେ ସେ କ୍ଷେତ୍ରରକ୍ଷଣ କରିବାକୁ ଆସି ପାରିନଥିଲେ।

ସମ୍ବନ୍ଧିତ ଖବର