ଇତିହାସରେ ପ୍ରଥମ: ଇନ୍‌ଡୋର୍‌ରେ‌ ଜାତୀୟ ପ୍ରତିଯୋଗିତା

ସିରାଜ ନେବେ ଓଡ଼ିଶାର ନେତୃତ୍ବ, କ୍ବାର୍ଟରଫାଇନାଲ୍‌ ଆଶା

ଭୁବନେଶ୍ବର: ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ରୋମାଞ୍ଚକ ଦିନିକିଆ ସହିତ ମଞ୍ଚେଶ୍ବର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏବେ ଓଡ଼ିଶା କ୍ରୀଡ଼ା ପ୍ରଶଂସକଙ୍କ ନଜର ଭଲିବଲ୍‌ର ଆକ୍ସନ ଉପରକୁ ସ୍ଥାନାନ୍ତରିତ ହୋଇଯିବ। ବୁଧବାରଠାରୁ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ୬୮ତମ ଜାତୀୟ ବରିଷ୍ଠ ବର୍ଗ ଭଲିବଲ୍‌ ପ୍ରତ‌ିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସପ୍ତାହେବ୍ୟାପୀ (୨୦୨୦ ଜାନୁଆରି ୨ ପର୍ଯ୍ୟନ୍ତ) ଖେଳ‌ାଯିବାକୁ ଥିବା ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ୩୦ ଓ ମହିଳା ବର୍ଗରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦଳ ଭାଗନେବେ। ପ୍ରାୟ ସହିତ ୧୫୦୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗନେବେ। ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ରଖିଥିବା ଦେଶର ଏକମାତ୍ର ବିଶ୍ବବିଦ୍ୟାଳୟ କିଟ୍‌ରୁ ମଧ୍ୟ ଜାତୀୟ ଭଲିବଲ୍‌ ଇତିହାସର ନୂଆ ଅଧ୍ୟାୟ ଯୋଡ଼ି ହେବ। ଏହି ପ୍ରମୁଖ ପ୍ରତିଯୋଗିତା ୭ ଦଶନ୍ଧି ଇତିହାସରେ ପ୍ରଥମ ଥର ପାଇଁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରାୟ ୨୦୦ ଅନ୍ତର୍ଜାତୀୟ ଖେଳାଳି ଅଂଶଗ୍ରହଣ କରିବେ ବୋଲି ସୋମବାରର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏଥି ପାଇଁ ୪ କୋର୍ଟ ପ୍ରସ୍ତୁତ ରହିଛି ଏବଂ ସମସ୍ତ ମ୍ୟାଚ୍‌ ଗୁଡିକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି କହିଥିଲେ ଓଡ଼ିଶା ଭଲିବଲ୍ ସଂଘର ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ। ଜାତୀୟ ଭଲିବଲ୍‌ ଇତିହାସରେ ଏହା ସର୍ବଶ୍ରେଷ୍ଠ ସଂସ୍କରଣ ହେବାକୁ ଯାଉଛି ବୋଲି ମଧ୍ୟ ଆଶା ପ୍ରକାଶ କରିଥିଲେ ଜାତୀୟ ସଂଘ ପର୍ଯ୍ୟବେକ୍ଷକ ନିଲକମଲ ଦତ୍ତ।

ସିରାଜ ନେବେ ଓଡ଼ିଶାର ନେତୃତ୍ବ, କ୍ବାର୍ଟରଫାଇନାଲ୍‌ ଆଶା

ଭୁବନେଶ୍ବର: ଡିସେମ୍ବର ୨୫ରୁ ୨୦୨୦ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଖେଳାଯିବାକୁ ଥିବା ଜାତୀୟ ବରିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ଲାଗି ଓଡ଼ିଶାର ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ସେକ୍‌ ସିରାଜ୍ ଅଲୀଙ୍କୁ ଓଡ଼ିଶା ପୁରୁଷ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ମହିଳା ଦଳର ନେତୃତ୍ବ ମୋନାଲିସା ପାତ୍ର କିମ୍ବା ଶୀରିଷା କରାମି ନେବା ସମ୍ଭାବନା ରହିଛି। ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ଉଭୟ ଦଳକୁ ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ପୁରୁଷ-‌ଏସ୍‌କେ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ୍‌ ବିଘ୍ନେଶ୍ବରନ୍, ଦୀପ୍ତରାଜ ମିଶ୍ର, ପିପି ଅଫଜଲ, ପ୍ରତ୍ୟୁଷ କୁମାର ନନ୍ଦ, ଅଭୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ବର ଜେନା, ପ୍ରଜ୍ଞା ସାରଥୀ ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବଳ। ମୁଖ୍ୟ ପ୍ରଶିକ୍ଷକ ମହମ୍ମଦ ମସିଉଜା ଜମା, ସହକାରୀ ପ୍ରଶିକ୍ଷକ-ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା। ପ୍ରବଂଧକ-ସଂଜୟ କୁମାର ଦାସ, ଟ୍ରେନର: ସିକ୍ସର୍‌ ଆଲୋକ ଦାସ। ମହିଳା ଦଳ: ସୁଶ୍ରୀ ସଂଗୀତା ଜେନା, ଶୁଭଲକ୍ଷ୍ମୀ ମଲ୍ଲିକ, ଶୀରଷା କରାମି, ରଶ୍ମିତା ବାରିକ, ମୁକ୍ତା ବାର୍ଲା, ଜୟଶ୍ରୀ ପଲ୍ଲାଇ, ଚରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଂଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ-ମେଘ୍ନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝୀ। ମୁଖ୍ୟ ପ୍ରଶିକ୍ଷକ: ଜଗନ୍ନାଥ ସିହି, ସହକାରୀ ପ୍ରଶିକ୍ଷକ: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ। ପ୍ରବଂଧକ: ସୁଷମା ନନ୍ଦ।

କ୍ବାର୍ଟରଫାଇନାଲ୍‌ ଆଶା
ନବେ ଦଶକରେ ଓଡ଼ିଶା ଭଲିବଲ୍‌ ଭଲ ସମୟରେ ଥିବାବେଳେ ଓଡ଼ିଶା ପୁରୁଷ ଦଳ ୩ ଥର କ୍ବାର୍ଟରଫାଇନାଲ୍‌ (୧୯୯୨, ୧୯୯୫, ୨୦୦୬) ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ୩ ଦଶନ୍ଧି ଭିତରେ ଦଳ ପାଇଁ ଏହା ଶ୍ରେଷ୍ଠ ଏବଂ ଶେଷ ସଫଳତା ହୋଇ ରହିଛି। ପତନ ମୁଖରେ ଥିବାରୁ ଓଡ଼ିଶା ଭଲିବଲ୍‌ ଆଗକୁ ବଢ଼ି ପାରିନାହିଁ। କିନ୍ତୁ ଏଥର ଆମେ ନିଜକୁ ଭଲ ପ୍ରସ୍ତୁତ କରିଛୁ। ପ୍ରତିପକ୍ଷକୁ ଦେଖି ନିଜ କୌଶଳ ପ୍ରସ୍ତୁତ କରିବୁ, ଅନ୍ୟୁନ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଆଶା ରହିଛି ବୋଲି କହିଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ତଥା ରାଜ୍ୟ ପୁରୁଷ ଦଳର ପ୍ରଶିକ୍ଷକ ମହମ୍ମଦ ମସିଉଜ ଜମା। ପିଲା‌ମାନେ ମୋ କଥା ମାନୁଛନ୍ତି ଏବଂ କଠିନ ପରିଶ୍ରମ କରୁଛନ୍ତି। ଆତ୍ମବିଶ୍ବାସ ରହିଛି ଭଲ କରିବାକୁ। ଦଳୀୟ ସମନ୍ବୟ ଏବଂ ବ୍ଲକିଂରେ କିଛି ଦୁର୍ବଳତା ରହିଛି ବୋଲି ମଧ୍ୟ ସ୍ବୀକାର କରିଥ‌ିଲେ ଏହି ଅନ୍ତର୍ଜାତୀୟ ଅଭିଜ୍ଞ ଭାରତୀୟ ପ୍ରଶିକ୍ଷକ। ଓଏନ୍‌ଜିସିର ଅଧିକାଂଶ ଖେଳାଳି ଏବେ ଆସାମ ପାଇଁ ଖେଳିବାକୁ ଯାଉଛି। ଏହା ଆମ ପାଇଁ ବଡ଼ ପ୍ରତିବଂଧକ ଭଳି। ଏହି ଦଳ ସହିତ ଓଡ଼ିଶା ପ୍ଲେ ଅଫ୍‌ରେ ରହିଥିବାରୁ ଆମ ଅଗ୍ରଗତି ପଥ ନିଶ୍ଚିତ କଷ୍ଟକର ବୋଲି ସ୍ବୀକାର କରିଥିଲେ ଜମା। ଏଥିର ଆସାମ, ପଞ୍ଜାବ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଭଳି ଭଲ ଭଲ ଦଳ ଆସୁଛନ୍ତି ବୋଲି ମଧ୍ୟ ଜମା କହିଥିଲେ। ଏଭଳି ଏକ ବଡ଼ ପ୍ରତିଯୋଗିତା ଓଡ଼ିଶାରେ ହେବାର ନିଶ୍ଚିତ ଭଲ ପ୍ରଭାବ ରହିବ। ଓଡ଼ିଶା ଭଲିବଲ୍ ଆଗକୁ ଯିବ ଏବଂ ଲୋକପ୍ରିୟତା ବଢ଼ାଇବାରେ ମଧ୍ୟ ସହାୟକ ହେବ ବୋଲି କହିଥିଲେ ୪୯ ବର୍ଷୀୟ ଏହି କେନ୍ଦ୍ରାପଡ଼ା ପ୍ରତିଭା।

ସମ୍ବନ୍ଧିତ ଖବର