ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭାରତର ପ୍ରତିଶୋଧ; ସ୍ପେନ୍‌କୁ ସୁଟ୍‌ଆଉଟ୍‌ କଲା

ଭୁବନେଶ୍ବର: ଗତ ରବିବାର ପ୍ରଥମ ଚରଣରେ ସ୍ପେନ୍‌ଠୁ ୩-୧ ଗୋଲ୍‌ରେ ହାରିଯାଇଥିଲା ଭାରତ। ଏହାର ଠିକ୍‌ ୮ ଦିନ ପରେ ପ୍ରତିଶୋଧ ନେଇଯାଇଛି। ରବିବାର ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ଦ୍ବିତୀୟ ଚରଣରେ ସ୍ପେନ୍‌କୁ ସୁଟ୍‌ଆଉଟ୍‌ କରିଦେଇଛି ଭାରତୀୟ ଦଳ। ଦର୍ଶକରେ ଭରପୁର କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୨-୨ ଗୋଲ୍‌ରେ ଶେଷ ହୋଇଥିଲା। ଫଳରେ ମ୍ୟାଚ୍‌ ସୁଟ୍‌ଆଉଟ୍‌କୁ ଯାଇଥିଲା। ଏଥିରେ ଭାରତ ୩-୧ରେ ସ୍ପେନ୍‌କୁ ମାତ୍‌ ଦେଇଥିଲା। ନିର୍ଦ୍ଧାରିତ ସମୟରେ ଭାରତ ପକ୍ଷରୁ ଦୁଇଟିଯାକ ଗୋଲ୍‌ ଅଧିନାୟକ ହର୍ମନପ୍ରୀତ ସିଂହ ଦେଇଥିଲା ବେଳେ ସ୍ପେନ୍‌ ପକ୍ଷରୁ ଅଧିନାୟକ ମାର୍କ ମିରାଲେସ ଓ ଅମାତ‌ ପେରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସୁଟ୍ଆଉଟ୍‌ରେ ଭାରତର ହର୍ମନପ୍ରୀତ, ରାଜକୁମାର ପାଲ ଓ ଅଭିଷେକ ସଫଳ ହୋଇଥିଲା ବେଳେ ଶାମଶେର ସିଂହ ବିଫଳ ହୋଇଥିଲେ। ସ୍ପେନ୍‌ର ଗେରାଡ କ୍ଲାପେସ କେବଳ ସଫଳ ହୋଇଥିଲା ‌ବେଳେ ଜୋକ୍ବିନ ମେନିନି, ରାଲେ ଭିଲାଲୋଙ୍ଗା ଓ ମାର୍କ ମିରାଲେସ ବିଫଳ ହୋଇଥିଲେ। ଭାରତୀୟ ଗୋଲି କୃଷ୍ଣ ବାହାଦୁର ପାଠକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ରାଜ୍ୟ ନିର୍ବାଚନ ଅଧିକାରୀ ଅଦିତ୍ୟ ପାଢ଼ୀ ତାଙ୍କୁ ପୁରସ୍କୃତ କରିଥିଲେ।

ଆରମ୍ଭରୁ ଦୁଇ ଦଳ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ନବମ ମିନିଟ୍‌ରେ ଭାରତ ‌ପ୍ରଥମ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ଏହାକୁ ଗୋଲ୍‌ରେ ପରିଣତ କରିପାରିନଥିଲା। ଦ୍ବାଦଶ ମିନିଟ୍‌ରେ ଆଉ ଏକ ପେନାଲ୍‌ଟି ପାଇଥିଲା ଘରୋଇ ଦଳ। ଏହାକୁ ଅଧିନାୟକ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ଭାରତକୁ ୧-୦‌ରେ ଅଗ୍ରଣୀ ଦେଇଥିଲେ। ଫଳରେ ଭାରତ ପକ୍ଷରେ ପ୍ରଥମ କ୍ବାର୍ଟର ରହିଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥଲେ। ୧୭ତମ ମିନିଟ୍‌ରେ ଭାରତ ମ୍ୟାଚ୍‌ର ତୃତୀୟ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ ଦେଇପାରିନଥିଲା। ୨୩ତମ ମିନିଟ୍‌ରେ ଫାଉଲ ମାରି ମନ୍‌ପ୍ରୀତ ସିଂହ ଗ୍ରିନ୍‌ କାର୍ଡ ପାଇଥିଲେ। ଫଳରେ ଭାରତ ୧୦ ଜଣଙ୍କୁ ନେଇ ପରବର୍ତୀ ୨ ମିନିଟ୍‌ ଖେଳିଥିଲା। ହେଲେ ଏହାର ଫାଇଦା ସ୍ପେନ୍‌କୁ ଉଠାଇ ପାରିନଥିଲା। ପେନାଲ୍‌ଟି କର୍ଣ୍ଣରକୁ ମଧ୍ୟ‌ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା।

ତୃତୀୟ କ୍ବାର୍ଟର କିନ୍ତୁ ସବୁଠୁ ରୋମାଞ୍ଚ ଭରା ରହିଥିଲା। ଦୁଇଟି ଗୋଲ୍‌ ଦେଖିବାକୁ ମିଳିଥିଲା ବେଳେ ଏଥିରେ ଉଭୟ ଦଳର ଭାଗୀଦାରି ଥିଲା। ୩୨ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ଯୁଗଳ ସଫଳତା ହାତେଇବା ସହ ଦଳକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ଏହାର ୨ ମିନିଟ୍‌ ପରେ ସ୍ପେନ୍‌ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ କୃଷ୍ଣ ବାହାଦୁର ପାଠକଙ୍କ ଚମତ୍କାର ରକ୍ଷଣ ଏହାକୁ ନିଷ୍ଫଳ କରିଦେଇଥିଲା। ସ୍ପେନ୍‌ ୪୩ତମ ମିନିଟ୍‌ରେ ଲଗାତାର ୨ଟି ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ଗୋଟିଏକୁ ପାଠକ୍‌ ଅଟକାଇଥିଲା ବେଳେ ପରବର୍ତୀଟିକୁ ଅଧିନାୟକ ମାର୍କ ମିରାଲେସ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଏଥିସହ ଭ୍ରମଣକାରୀ ଦଳ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୨ କରିଥିଲା। ଚତୁର୍ଥ ତଥା‌ ଶେଷ କ୍ବାର୍ଟରରେ ଭାରତୀୟ ଗୋଲି ପାଠକଙ୍କ ଚମତ୍କାରିତା ଦେଖିବାକୁ ମିଳିଥିଲା। ଏହି କ୍ବାର୍ଟରରେ ସ୍ପେନ୍‌ ୭ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ସବୁକୁ ଅଟକାଇ ଦେଇଥିଲେ ପାଠକ। ହେଲେ ଭ୍ରମଣକାରୀ ଦଳ ‌ଗୋଟିଏ ଫିଲ୍ଡ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା। ଅମାତ ‌ପେରେ (୫୫ ମିନିଟ୍‌) ଏହି ଗୋଲ୍‌ଟି ଦେଇ ସ୍ଥିତି ସମାନ କରିଥିଲେ। ସ୍ପେନ୍‌କୁ ୪୭, ୫୨ (ଦୁଇଟି), ୫୮ ଓ ୬୦ (ଦୁଇଟି) ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ମିଳିଥିଲା।

ସମ୍ବନ୍ଧିତ ଖବର