ପ୍ଲେ ଅଫ୍‌ ଚୂଡ଼ାନ୍ତ: କ୍ୱାଲିଫାୟରରେ ହାଇଦ୍ରାବାଦ-ଚେନ୍ନାଇ, ଏଲିମିନେଟରରେ କୋଲକାତା-ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲର ପ୍ଲେ ଅଫ୍‌ ଦଳ ଚୂଡ଼ାନ୍ତ ହୋଇଛି। ରବିବାର ଲିଗ୍‌ ପର୍ଯ୍ୟାୟର ସବୁ ମ୍ୟାଚ୍‌ ଶେଷ ହେବା ପରେ ପ୍ରଥମ ଚାରିି ସ୍ଥାନରେ ରହି ସନ୍‌ରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପଏଣ୍ଟ୍‌ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ହାଇଦ୍ରାବାଦ ଓ ଚେନ୍ନାଇ ପରସ୍ପର ବିପକ୍ଷରେ ମଙ୍ଗଳବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଖେଳିବେ। ଅନ୍ୟ ପକ୍ଷରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ଓ ରାଜସ୍ଥାନ ବୁଧବାର କୋଲକାତାରେ ଏଲିମିନେଟର ଖେଳିବେ। ଏହି ମ୍ୟାଚ୍‌ରେ ପରାଜିତ ହେବା ଦଳର ଅଭିଯାନ ସେହିଠାରେ ଶେଷ ହୋଇଯିବ। ବିଜେତା ଦଳ କିନ୍ତୁ ଦ୍ୱିତୀୟ କ୍ୱାଲିଫାୟରରେ ଶୁକ୍ରବାର ପ୍ରଥମ କ୍ୱାଲିଫାୟରର ପରାଜିତ ଦଳକୁ ସେହି କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଭେଟିବ। ଏହି ମ୍ୟାଚ୍‌ର ବିଜେତା ପ୍ରଥମ କ୍ୱାଲିଫାୟରର ବିଜେତାକୁ ରବିିବାର ମେଗା ଫାଇନାଲରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁକାବିଲା କରିବ। ୮ ଦଳରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ମାସାଧିକ କାଳର ଲିଗ୍‌ ଲଢ଼େଇ ପରେ ୪ ଦଳ ଅଟକି ଯାଇଥିଲା ବେଳେ ବଳକା ୪ ଦଳ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ।

ରାଜସ୍ଥାନକୁ ପ୍ଲେ-ଅଫ୍‌ ନେଲା ଚେନ୍ନାଇ
ପୁନେ: ପଞ୍ଜାବ ବିପକ୍ଷରେ ଚେନ୍ନାଇର ୫ ଓ୍ଵିକେଟ୍‌ ବିଜୟ କାରଣରୁ ରବିବାର ମ୍ୟାଚ୍‌ ନ ଖେଳି ରାଜସ୍ଥାନ ଯୋଗ୍ୟତା ଅର୍ଜନ କରି ନେଇଥିଲା। ଚେନ୍ନାଇକୁ ୧୦୦ ରନ୍‌ ଭିତରେ ରଖି ଜିତିଥିଲେ ପଞ୍ଜାବ ପ୍ଲେ-ଅଫ୍‌ ଯୋଗ୍ୟତା ଅର୍ଜନ କରିଥାନ୍ତା। କିନ୍ତୁ ଏହା କରିନପାରି ବିଦାୟ ନେଲା। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପ୍ରାରମ୍ଭିକ ଯୋଡ଼ି ଲୋକେଶ ରାହୁଲ ଏବଂ କ୍ରିସ୍‌ ଗେଲ୍‌ଙ୍କୁ ଶସ୍ତାରେ ହରାଇଥିଲା। ଉଭୟଙ୍କୁ ଦକ୍ଷିଣ ଆଫ୍ରିକୀୟ ଯୁବ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ଆଉଟ୍‌ କରିଥିଲେ। ଗେଲ୍‌ ଖାତା ଖୋଲି ପାରିନଥିବା ବେଳେ ରାହୁଲ ୧୧ ବଲରୁ ୭ ରନ୍‌ କରିଥିଲେ। ବାମହାତୀ ଅଷ୍ଟ୍ରେଲୀୟ ଆରୋନ୍‌ ଫିଞ୍ଚ୍‌ (୪)ଙ୍କୁ ଦୀପକ ଚହର ରାଇନାଙ୍କ ହାତରେ ଧରାଇ ନେଇଥିଲେ। ଲଗାତାର ୩ ଓଭରରେ ଏମାନେ ଆଉଟ୍‌ ହେବାରୁ ପଞ୍ଜାବ ୧୬/୩ରେ ସଂଘର୍ଷ କରିଥିଲା। ଏହି ସମୟରେ କିନ୍ତୁ ମନୋଜ ତିଓ୍ଵାରୀ (୩୫, ୩୦ ବଲ୍‌, ୩ ଚୌକା, ୧ ଛକା) ଏବଂ ଡେଭିଡ୍‌ ମିଲର୍‌ (୨୪, ୨୨ ବଲ୍‌, ୧ ଚୌକା, ୧ ଛକା) ଚତୁର୍ଥ ଓ୍ଵିକେଟ୍‌ ଭାଗୀଦାରିରେ ୬୦ ରନ୍‌ ଯୋଡ଼ି ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। କରୁଣ ନାୟାର ଆକର୍ଷଣୀୟ ଅର୍ଧଶତକ (୫୪, ୨୬ ବଲ୍‌, ୩ ଚୌକା, ୫ ଛକା) ହାସଲ କରି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସାଥୀ ହରା ହୋଇ ଦଳକୁ ବଡ଼ ସ୍କୋର୍‌ ଦେଇପାରିନଥିଲେ। ଏନ୍‌ଗିଡି କିନ୍ତୁ ଚଳିତ ଋତୁର ସବୁଠୁ ମିତ୍ତବ୍ୟୟୀ ବୋଲିଂ ଚିତ୍ର (୪-୧-୧୦-୪) ପାଇଥିଲେ।

ଜବାବରେ ଚେନ୍ନାଇ ପଞ୍ଚମ ଓଭର ବେଳକୁ ୨୭/୩ ଏବଂ ଏକାଦଶ ଓଭର ବେଳକୁ ୫୮/୪ରେ ସଂଘର୍ଷ କରିଥିଲା। ଅଙ୍କିତ ରାଜପୁତ୍‌ (୪-୧-୧୯-୨)ଙ୍କ ଘାତକ ସ୍ପେଲ୍‌ ହିଁ ଚେନ୍ନାଇକୁ ଚମକହୀନ ରଖିଥିଲା। ବ୍ୟାଟିଂ ପଦୋନ୍ନତି ସହ ଆସିଥିବା ହରଭଜନ ସିଂହ (୧୯, ୨୨ ବଲ୍‌, ୨ ଚୌକା, ୧ ଛକା) ଏବଂ ଦୀପକ ଚହର (୩୯, ୨୦ ବଲ୍‌, ୧ ଚୌକା, ୩ ଛକା) ଉପଯୋଗୀ ଅବଦାନ ଦେଇଥିଲେ। ସୁରେଶ ରାଇନା (୬୧*, ୪୮ ବଲ୍‌, ୪ ଚୌକା, ୨ ଛକା) ଦାୟିତ୍ୱର ସହ ଖେଳି ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ମାରି ମହେନ୍ଦ୍ର ସିଂହ ଧୋନି (୧୬*, ୭ ବଲ୍‌) ମ୍ୟାଚ୍‌ ଶେଷ କରିଥିଲେ। ଲୁଙ୍ଗି ଏନ୍‌ଗିଡି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ: ୧୯.୪ ଓଭରରେ ୧୫୩ (କରୁଣ ନାୟାର୍‌-୫୪, ମନୋଜ ତିଓ୍ଵାରୀ-୩୫, ଡେଭିଡ୍‌ ମିଲର୍‌-୨୪, ଲୁଙ୍ଗି ଏନଗିଡି-୪/୧୦, ସାର୍ଦୁଲ୍‌ ଠାକୁର୍‌-୨/୩୩, ଡ୍ଵାନ୍‌ ବ୍ରାଭୋ-୨/୩୯, ରବୀନ୍ଦ୍ର ଜାଦେଜା-୧/୨୩, ଦୀପକ ଚହର୍‌-୧/୩୦)। ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୧୯.୧ ଓଭରରେ ୧୫୯/୫ (ସୁରେଶ ରାଇନା-୬୧*, ଦୀପକ ଚହର୍‌-୩୯, ହରଭଜନ ସିଂହ-୧୯, ମହେନ୍ଦ୍ର ସିଂହ ଧୋନି-୧୬*, ଅଙ୍କିତ ରାଜପୁତ୍‌-୨/୧୯, ଆର୍‌ ଅଶ୍ୱିନ୍‌-୨/୩୬, ମୋହିତ ଶର୍ମା-୧/୨୮)।

ସମ୍ବନ୍ଧିତ ଖବର