ଜିମ୍ବାୱେ ବିପକ୍ଷ ପ୍ରଥମ ଏକଦିବସୀୟ: ଭାରତର ୧୦ ୱିକେଟ୍ ବିଜୟ

ହରାରେ: ବୋଲରଙ୍କ ବଢ଼ିଆ ବୋଲିଂ ପରେ ଦୁଇ ଓପନର ଶିଖର ଧାୱନ (୮୧*) ଓ ଶୁବମନ ଗିଲ୍‌ (୮୨)ଙ୍କ ଅପରାଜିତ ବ୍ୟାଟିଂ ବଳରେ ଜିମ୍ବାୱେ ବିପକ୍ଷ ପ୍ରଥମ ଏକଦିବସୀୟକୁ ଭାରତ ୧୦ ୱିକେଟ୍‌ରେ ଜିତି ନେଇଛି। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଶୃଙ୍ଖଳାର ପରବର୍ତ୍ତୀ ତଥା ଶୃଙ୍ଖଳା ନିର୍ଣ୍ଣାୟକ ଦ୍ବିତୀୟ ମୁକାବିଲା ଶନିବାର ଖେଳାଯିବ। ଗୁରୁବାର ଭ୍ରମଣକାରୀ ଭାରତ ସମ୍ମୁଖରେ ଜିମ୍ବାୱେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଧାୱନ ଓ ଗିଲ୍ ଅବିଭାଜିତ ପ୍ରଥମ ୱିକେଟ୍‌ରେ ୧୯୨ ରନ୍ ଯୋଡ଼ିବା ପରେ ୧୧୫ ବଲ୍ ପୂର୍ବରୁ ସହଜ ବିଜୟ ହାସଲ କରି ନେଇଥିଲା ଭାରତ। ଏହା ମଧ୍ୟ ୧୦ ୱିକେଟ୍ ବିଜୟରେ ଭାରତର ଦ୍ବିତୀୟ ସର୍ବାଧିକ ପ୍ରଥମ ୱିକେଟ୍ ଭାଗୀଦାରି ଥିଲା। ଛୋଟିଆ ଲକ୍ଷ୍ୟ ହୋଇଥିବାରୁ ଶତକ ହାସଲ କରିପାରିନଥିବା ଧାୱନ ୩୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିଭଳି ତାଙ୍କଠାରୁ ଗୋଟିଏ ରନ୍ ଅଧିକ କରିଥିବା ଗିଲ୍ ନିଜ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

ଧାୱନଙ୍କ ଦାୟିତ୍ବବାନ ଏବଂ ଗିଲ୍‌ଙ୍କ ଦ୍ରୁତ ବ୍ୟାଟିଂ ପାଇଁ ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଅଧିନାୟକ କେଏଲ୍ ରାହୁଲଙ୍କୁ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିନଥିଲା। ହେଲେ ଆଘାତ ଜନିତ ସମସ୍ୟାରୁ ମୁକୁଳି ଭାରତୀୟ ଦଳକୁ ଫେରିଥିବା ଦ୍ରୁତ ବୋଲର ଦୀପକ ଚହରଙ୍କୁ ତାଙ୍କ ପୁରୁଣା ଯାଦୁ ଦେଖାଇବାର ସୁଯୋଗ ମିଳିଥିଲା। ୭ ଓଭରରେ ମାତ୍ର ୨୭ ରନ୍ ଖର୍ଚ୍ଚ କରି ୩ ୱିକେଟ୍ କରାୟତ୍ତ କରିଥିବା ଚହରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚନା କରାଯାଇଥିଲା। ଏହି ବିଜୟ ସହ ଭାରତ ମଧ୍ୟ ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଅପରାଜେୟ ଧରା ଲମ୍ବାଇ ଲଗାତାର ୧୦ମ ବିଜୟ ହାସଲ କରିବାର କୀର୍ତ୍ତିମାନ କରିଥିଲା। ମୋଟ ଉପରେ ଜିମ୍ବାୱେ ବିପକ୍ଷରେ ଭାରତ ସର୍ବା‌ଧିକ ୧୩ କ୍ରମାଗତ ବିଜୟ ପାଇଥିଲା।

ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ମିଳିଥିବାରୁ ଦ୍ବିତୀୟସ୍ତରୀୟ ଦଳ ନେଇ ଜିମ୍ବାୱେ ଯାଇଥିବା ଅଧିନାୟକ କେଏଲ୍ ରାହୁଲ ଆଜି ଟସ୍ ଜିତି ଜିମ୍ବାୱେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୩୧ ରନ୍‌ରେ ୪ ଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ହରାଇ ନିଜ ଦୁର୍ବଳତାର ପରିପ୍ରକାଶ କରିଥିବା ଜିମ୍ବାୱେ ଶେଷରେ ୪୦.୩ ଓଭରରେ ୧୮୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଧିନାୟକ ରେଜିସ୍ ଚକଭା ସର୍ବାଧିକ ୩୫ ଏବଂ ରିଚାର୍ଡ ଏନଗର୍ଭା ୩୪ ତଥା ବ୍ରାଡ୍ ଇଭାନ୍ସ ୩୩ ରନ୍ କରିଥିଲେ। ଭାରତ ପକ୍ଷରୁ ଚହରଙ୍କ ସହ ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ତିନିଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଜିମ୍ବାୱେର ଅନ୍ୟ ୱିକେଟ୍‌ଟି ମହମ୍ମଦ ସିରାଜ ଝାଡ଼ିଥିଲେ।

ସମ୍ବନ୍ଧିତ ଖବର