ପ୍ରଥମ ମହିଳା ଟ୍ବେଣ୍ଟି-୨୦: ଭାରତକୁ ୯ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ମୁମ୍ବାଇ : ଭାରତ ଗସ୍ତରେ ଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିନେଇଛି। ଡି ୱାଇ ପାଟିଲ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓପ୍‌ନର ବେଥ୍‌ ମୁନିଙ୍କ ଅପରାଜିତ (୮୯* ରନ୍‌, ୫୭ ବଲ୍‌, ୧୬ ଚୌକା) ଅର୍ଦ୍ଧଶତକ ସାଙ୍ଗକୁ ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ତାଲିହା ମ୍ୟାକ୍‌ଗ୍ରା (୪୦* ରନ୍‌, ୨୯ ବଲ୍‌, ୪ ଚୌକା, ୧ ଛକା)ଙ୍କ ସହ ୧୦୦ ରନ୍‌ (୫୬ ବଲ୍‌) ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ୧୧ ବଲ୍‌ ପୂର୍ବରୁ ୯ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏକମାତ୍ର ୱିକେଟ୍‌ଟି ଦେବିକା ବୈଦ୍ୟଙ୍କୁ ମିଳିଥିଲା। ସେ ଏଲିସା ହିଲି (୩୭ ରନ୍‌, ୨୩ ବଲ୍‌, ୪ ଚୌକା, ୨ ଛକା)ଙ୍କୁ ଆଉଟ୍‌ କରିଥିଲେ। ଅଷ୍ଟ୍ରେଲିଆ ୧୮.୧ ଓଭରରେ ୧୭୩/୧ କରିନେଇଥିଲା। ମୁନି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଥିବା ଘରୋଇ ଦଳ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା (୩୬ ରନ୍‌, ୧୫ ବଲ୍‌, ୮ ଚୌକା), ୱିକେଟ୍‌ରକ୍ଷକ ରିଚା ଘୋଷ (୩୬ ରନ୍‌, ୨୦ ବଲ୍‌, ୫ ଚୌକା, ୨ ଛକା), ଓପ୍‌ନର ଶେଫାଳି ବର୍ମା (୨୧* ରନ୍‌, ୧୦ ବଲ୍‌, ୨ ଚୌକା, ୨ ଛକା)ଙ୍କ ବିସ୍ଫୋରକ ପାଳି ସାଙ୍ଗକୁ ସ୍ମୃତି ମନ୍ଧାନା (୨୮ ରନ୍‌, ୨୨ ବଲ୍‌, ୫ ଚୌକା), ଦେବିକା ବୈଦ୍ୟ (୨୫ ରନ୍‌, ୨୪ ବଲ୍‌, ୧ ଚୌକା, ୧ ଛକା) ଏବଂ ଅଧିନାୟିକା ହର୍ମନପ୍ରୀତ୍‌ କୌର (୨୧ ରନ୍‌, ୨୩ ବଲ୍‌, ୨ ଚୌକା)ଙ୍କ ଧୈର୍ଯ୍ୟପୁର୍ଣ୍ଣ ଅବଦାନ ବଳରେ ୫ ୱିକେଟ୍‌ ବିନିମୟରେ ୧୭୨ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଏଲିସା ପେରି (୨/୧୦) ସଫଳ ବୋଲର ରହିଥିଲା ବେଳେ କିମ୍‌ ଗାର୍ଥ, ଆସ୍‌ଲେ ଗାର୍ଡନର, ଆନାବେଲ୍‌ ସଦରଲାଣ୍ଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଦେବିକା ଓ ରିଚାଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ହୋଇଥିବା ୫୬ ରନ୍‌ (୩୩ ବଲ୍‌) ଏବଂ ଦେବିକା ଓ ଦୀପ୍ତିଙ୍କ ମଧ୍ୟରେ ଅସମାପ୍ତ ଷଷ୍ଠ ୱିକେଟ୍‌ରେ ୪୦ ରନ୍‌ (୧୯ ବଲ୍‌)ର ଭାଗୀଦାରି ଭାରତୀୟ ପାଳିର ଉଲ୍ଲେଖନୀୟ ଥିଲା।

ସମ୍ବନ୍ଧିତ ଖବର