ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ: ଫ୍ରାନ୍ସ ପ୍ରଶିକ୍ଷକ

ଭୁବନେଶ୍ବର: ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ ହେଲା ଫ୍ରାନ୍ସ। ବିଶ୍ବ ମାନ୍ୟତାର ବିଂଶ ସ୍ଥାନରେ ଥିବା ଫରାସି ଦଳ କିନ୍ତୁ ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଗୁରୁବାର ଅପରାହ୍ନରେ ଭୁବନେଶ୍ବର ପହଞ୍ଚିବା ପରେ ଫ୍ରାନ୍ସର ମୁଖ୍ୟ ପ୍ରଶିକ୍ଷକ ଡେଲମି ଜେରୋନ ଏହି ଦାବି କରିଛନ୍ତି। ଜେରୋନ୍ କହିଛନ୍ତି, ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌ର ଆମେ ସର୍ବନିମ୍ନ ମାନ୍ୟତା ଦଳ। ଆମ ଲକ୍ଷ୍ୟ ହେଲା ଶ୍ରେଷ୍ଠ ୧୦ର ନିକଟତର ହେବା। ଆମେ ଏକ କଠିନ ଗ୍ରୁପରେ ସ୍ଥାନ ପାଇଛୁ। ହେଲେ ଭଲ ପ୍ରସ୍ତୁତି କରିଛୁ। ପ୍ରତିଯୋଗିତାରେ ଆମେ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିବୁ। ଫ୍ରାନ୍ସ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା, ସ୍ପେନ୍ ଏବଂ ନ୍ୟୁଜିଲାଣ୍ଡ ସହ ପୁଲ-ଏରେ ସ୍ଥାନ ପାଇଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ତତଃ ଗୋଟିଏ ମ୍ୟାଚ୍ ଜିତି ପାରିଲେ ଏହି ଦଳ କ୍ରସ୍ଓଭର ଖେଳିବା ଲାଗି ଟିକେଟ ପାଇଯିବ। ତେବେ ଏହା ସେତେଟା ସହଜ ହେବନି। ନେଦରଲାଣ୍ଡର ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ଜେରୋନ୍ କିନ୍ତୁ ଢେର ଆଶାବାଦୀ ଅଛନ୍ତି। ଆମ ପାଖରେ ଏକ ଭଲ ଦଳ ଅଛି। ନୂଆଦିଲ୍ଲୀରେ ଆୟୋଜିତ ୨୧ ବର୍ଷରୁ କମ୍ ବିଶ୍ବକପ୍‌ରେ ଉପବିଜେତା ହୋଇଥିବା ଦଳର କେତେକ ଖେଳାଳି ଭୁବନେଶ୍ବର ବିଶ୍ବକପ୍ ଦଳରେ ଅଛନ୍ତି। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତିରେ ଉଚ୍ଚ ମାନ୍ୟତା‌ପ୍ରାପ୍ତ ଦଳଗୁଡ଼ିକୁ ଆମେ କଡ଼ା ଟକ୍କର ଦେବୁ। ସେମାନଙ୍କ କାର୍ଯ୍ୟକୁ ପୂରା କଠିନ କରିଦେବୁ। ଅନ୍ତତଃ ଗ‌ୋଟିଏ ବିପର୍ଯ୍ୟୟ ସୃଷ୍ଟି କରି ପରବର୍ତୀ ପର୍ଯ୍ୟାୟ ଯିବା‌ ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଜେରୋନ୍‌ କହିଛନ୍ତି। ଫ୍ରାନ୍ସ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

ସ୍ବାଗତଂ ସ୍ପେନ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ
ଭୁବନେଶ୍ବର: ବିଶ୍ବକପ୍ ପାଇଁ ଭୁବନେଶ୍ବରରେ ସୃଷ୍ଟି ହୋଇଥିବା ମନ୍ତ୍ରମୁଗ୍ଧକର ହକି ପରିବେଶରେ ବିଦେଶୀ ଖେଳାଳିମାନେ ଆହୁରି ରୋମାଞ୍ଚ ଭରି ଦେଇଛନ୍ତି। ବୁଧବାର ଓ ଗୁରୁବାର ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଓ ଚୀନ୍‌ ଭଳି ଦଳ ଭୁବନେଶ୍ବର ପହଞ୍ଚି ସାରିଥିଲା ବେଳେ ଶୁକ୍ରବାର ବିଶ୍ବ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ସ୍ପେନ୍, ସପ୍ତମରେ ଥିବା ଇଂଲଣ୍ଡ ଏବଂ ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ପହଞ୍ଚିବାର ଅଛି। ସ୍ପେନ୍ ଆସନ୍ତାକାଲି ସକାଳ ୯ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଦଳୀୟ ହୋଟେଲକୁ ଯିବ। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ରାତି ୧୧ଟା ୨୫ରେ ପହଞ୍ଚିବେ। ଏହି ତିନିଟି ଦଳ ପହଞ୍ଚିବା ପରେ ଭୁବନେଶ୍ବର ଏକ ମିନି ହକି ବିଶ୍ବରେ ପରିଣତ ହେବ। ଆର୍ଜେଣ୍ଟିନା ଓ ଫ୍ରାନ୍ସ ସହ ସ୍ପେନ୍ ଏବଂ ନ୍ୟୁଜିଲାଣ୍ଡ ପୁଲ-ଏରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ ଓ ଚୀନ୍‌ ସହ ଇଂଲଣ୍ଡ ପୁଲ୍ ବିରେ ରହିଛି।

ସମ୍ବନ୍ଧିତ ଖବର