ବେଦୀଙ୍କ ବିରୋଧରେ ଗମ୍ଭୀରଙ୍କ ଗୁରୁତର ଅଭିଯୋଗ

‘ଅଯୋଗ୍ୟ ପୁଅକୁ ଦିଲ୍ଲୀ ଦଳରେ ନେବାକୁ ଚାପ ପକାଉଥିଲେ’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିସନ ସିଂହ ବେଦୀଙ୍କ ବିରୋଧରେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଗୁରୁତର ଅଭିଯୋଗ ଆଣିଛନ୍ତି। ବେଦୀ ତାଙ୍କ ଅଯୋଗ୍ୟ ପୁଅ ଅଙ୍ଗଦ ବେଦୀକୁ ଦିଲ୍ଲୀ ଦଳରେ ନେବାକୁ ଚାପ ପକାଉଥିଲେ। ସେହିଭଳି ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହ୍ବାନ ତାଙ୍କ ଭଣଜାକୁ ଦିଲ୍ଲୀ ଦଳରେ ନେବାକୁ ବିଭିନ୍ନ ସମୟରେ ଚେଷ୍ଟା ଚଳାଇଥିଲେ ବୋଲି ମଧ୍ୟ ଗମ୍ଭୀର ଟ୍ବିଟ୍ କରି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଦ୍ରୁତ ବୋଲର ନଭଦୀପ ସଇନିଙ୍କୁ ବାହାର ପିଲା ବୋଲି କହି ତାଙ୍କୁ ଦିଲ୍ଲୀ ଦଳରେ ନ ନେବାକୁ ବେଦୀ ଚକ୍ରାନ୍ତ କରିଥିଲେ ବୋଲି ଗମ୍ଭୀର କହିଥିଲେ। ସଇନି ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ଟ୍ବେଣ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଗମ୍ଭୀର ଉଭୟ ଚୌହ୍ବାନ ଓ ବେଦୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଇନି ତାଙ୍କ ଖେଳ ଜୀବନ ଆରମ୍ଭ କରିବା ପୂର୍ବରୁ ‌ବେଦୀ ଓ ଚୌହ୍ବାନ ଏହାକୁ ନେଇ ଶୋକବାର୍ତା ଲେଖି ସାରିଥିଲେ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ। ସୂଚନାଯୋଗ୍ୟ ଯେ ବେଦୀ ଓ ଚୌହ୍ବାନ ଗୋଷ୍ଠୀର ତୀବ୍ର ବିରୋଧ ସତ୍ତ୍ବେ ଗମ୍ଭୀରଙ୍କ ସମର୍ଥନ ବଳରେ ସଇନି ୨୦୧୩ରେ ଦିଲ୍ଲୀ ରଣଜୀ ଦଳରେ ସ୍ଥାନ ପାଇଥିଲେ। ଏହା ପରେ ଦିଲ୍ଲୀର ପ୍ରମୁଖ ବୋଲର ପାଲଟିବା ସହ ଭାରତୀୟ ଦଳରେ ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର