ଏଭେରେଷ୍ଟ୍ ଦିବସରେ ଗଣେଶଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଶୁକ୍ରବାର ଅନ୍ତର୍ଜାତୀୟ ଏଭେ‌ରେଷ୍ଟ୍ ଦିବସ ପାଳିତ ହେବାକୁ ଯାଉଥିଲେ ମଧ୍ୟ ଏ ବର୍ଷ ନିରାଶାର ବାତାବରଣ ରହିଛି। ଠିକ୍ ୬୭ ବର୍ଷ ତଳେ ଆଜିର ଦିନ (ମଇ ୨୯ ତାରିଖ, ୧୯୫୩) ରେ ସାର ଏଡମଣ୍ଡ୍ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରି ଦୁଃସାହସିକ ପର୍ବତାରୋହଣରେ ଶୀ‌ର୍ଷ ସଫଳତା ପାଇଥିଲେ। ତେନଜିଂ ନର୍ଗେଙ୍କର ୨୦୦୮ ମସିହାରେ ଦେହାନ୍ତ ଘଟିଥିଲେ ମଧ୍ୟ ଏହି ଦିନଟିକୁ ଅନ୍ତର୍ଜାତୀୟ ଏଭେରେଷ୍ଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହି ଦୁଃସାହସିକ ଯାତ୍ରା ଏବଂ ଏଭେରେଷ୍ଟ୍ ମାରାଥନ୍ ବନ୍ଦ ରହିଛି। ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ଏଭ‌େରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ରାଜ୍ୟର ସମସ୍ତ ଏଭେରେଷ୍ଟ୍ ବିଜେତା, ଦୁଃସାହସିକ କ୍ରୀଡ଼ାବିତ୍‌ ଓ ଯୁବ ପର୍ବତାରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ଚନ୍ଦ୍ର ଜେନା ୨୦୧୧ ମସିହାରେ ଏଭେରେଷ୍ଟ୍ ଆରୋହଣ କରିଥିବା ବେଳେ ୨୦୧୩ରେ ଏକମାତ୍ର ଭାରତୀୟ ଭାବେ ଏଭେରେଷ୍ଟ୍ ମାରାଥନ୍‌ରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଏଭେରେଷ୍ଟ୍ ବାଲକୋନିରେ ପ୍ରାଣ ହରାଇଥିବା କଳ୍ପନା ଦାଶ ଦୁଇ ଥର ଏଭେରେଷ୍ଟ ଅରୋହଣର ଗୌରବ ରଖିଥିଲେ। କଳ୍ପନା ଓ ଗଣେଶଙ୍କ ବାଦ୍‌ ଓଡ଼ିଶାର ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସ୍ବର୍ଗତ ପ୍ରଦୀପ ସାହୁ ପ୍ରମୁଖ ଏଭେରେଷ୍ଟ୍ ଆରୋହଣରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର