ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଭୁବନେଶ୍ୱର ପହଞ୍ଚିଲେ ଜର୍ମାନୀ-ଆୟରଲାଣ୍ଡ ଟିମ୍‌

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ରବିବାର ଜର୍ମାନୀ ଏବଂ ଆୟରଲାଣ୍ଡ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଜର୍ମାନୀ ଏବଂ ଆୟରଲାଣ୍ଡର ଖେଳାଳିଙ୍କୁ ସ୍ୱାଗତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରୁ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍‌ ଆରମ୍ଭ ହେବ। ଆଗାମୀ ଡିସେମ୍ବର ୧୬ରେ ଫାଇନାଲ ହେଉଥିବା ଏହି ହକି ମହାକୁମ୍ଭ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ଜର୍ମାନୀ ୨୦୧୪ରେ ଏଫ୍‌ଆଇଏଚ୍‌ ଚାମ୍ପିଅନ୍‌ସିପ୍‌ରେ ପାକିସ୍ତାନକୁ ହରାଇ ଚମ୍ପିଆନ୍‌ ହୋଇଥିଲା। ଓଡ଼ିଶା ପୁରୁଷ ହକି ଓ୍ଵାର୍ଲ୍ଡ ଲିଗ୍‌ରେ ୨୦୧୭ରେ ଭାରତ ଠାରୁ ହାରି କାଂସ୍ୟ ପଦକ ହରାଇବା ପରେ ଜର୍ମାନୀ ନିଜକୁ ଶକ୍ତିଶାଳୀ କରିଛି। ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ୟାପ୍‌ଟେନ୍‌ ଫ୍ଲୋରିଆନ୍‌ ଫୁଚ କହିଛନ୍ତି ଏଠାରେ ଆମେ ଭଲ ପ୍ରଦର୍ଶନ କରିବୁ। କାରଣ ଏଠାରେ ଆମେ ଅନେକ ଗୁଡ଼ିଏ ମ୍ୟାଚ୍‌ ଖେଳିଛୁ। ଜର୍ମାନୀ ‘ଗ୍ରୁପ୍‌-ଡି’ରେ ପାକିସ୍ତାନ, ମାଲେସିଆ ଏବଂ ନେଦରଲାଣ୍ଡକୁ ମୁକାବିଲା କରିବ। ପାକିସ୍ତାନ ବିପକ୍ଷରେ ଡିସେମ୍ବର ୧ରେ ଅଭିଯାନ ଆରମ୍ଭ କରିବ।

‘ଗ୍ରୁପ୍‌-ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଚୀନ ସହିତ ସ୍ଥାନ ପାଇଥିବା ଆୟରଲାଣ୍ଡ ରବିବାର ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିଛି। ଆମ ପାଖରେ କିଛି ଅଭିଜ୍ଞ ସଂପନ୍ନ ଖେଳାଳି ଅଛନ୍ତି ବୋଲି ଅଧିନାୟକ ଡାଭିଡ ହାର୍ଟ କହିଛନ୍ତି। ଗତ ଥର ଚମ୍ପିଅନ ଅଷ୍ଟ୍ରେଲିଆକୁ ନଭେମ୍ବର ୩୦ରେ ଆୟରଲାଣ୍ଡ ଭେଟିବ।

ସମ୍ବନ୍ଧିତ ଖବର