ଚଉଦ ଚମକ ଆଶାରେ ଜର୍ମାନି ପହଞ୍ଚିଲେ ଆୟର୍ଲାଣ୍ଡ, କାନାଡା

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ରବିବାର ପୂର୍ବ ବିଜେତା ଜର୍ମାନି ସହ ଆୟର୍ଲାଣ୍ଡ ଏବଂ କାନାଡା ମଧ୍ୟ ପହଞ୍ଚି ଯାଇଛନ୍ତି। ଜର୍ମାନି ଏଠାରେ ୨୦୧୪ ବିଶ୍ବକପ୍ ବିଜୟକୁ ଦୋହରାଇବା ଆଶାରେ ରହିବ। ୨୦୧୪ରେ ପାକିସ୍ତାନକୁ ହରାଇ ଜର୍ମାନି ବିଶ୍ବ ବିଜେତା ହୋଇଥିଲା। ଗତବର୍ଷ ଭୁବନେଶ୍ବରରେ ଖେଳିଥିବା ବିଶ୍ବ ଲିଗ୍ ଫାଇନାଲରେ ଅବଶ୍ୟ ଏହି ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭୁବନେଶ୍ବର ପହଞ୍ଚିବା ପରେ ଜର୍ମାନି ଅଧିନାୟକ ଫ୍ଲୋରିଆନ୍ ଫକ୍ସ କହିଥିଲେ ଯେ ଏହାକୁ ଫେରି ବହୁତ ଭଲ ଲାଗୁଛି। କଳିଙ୍ଗ ଷ୍ଟାଡିୟମରେ ଆମେ ଦୁଇ ଥର ଖେଳିଛୁ। ଭୁବନେଶ୍ବର ପ୍ରଶଂସକଙ୍କ ଭଲ ପାଇବା ଅନ୍ୟ କେଉଁଠାରେ ଦେଖିବାକୁ ପାଇନାହିଁ। ଟର୍ଫକୁ ଯିବାକୁ ଆମେ ବ୍ୟଗ୍ର। ଆମ ପାଖରେ ଦକ୍ଷତା ଅଛି। କିଛି କରି ଦେଖାଇବାର ଲକ୍ଷ୍ୟ ନେଇ ଆମେ ଏଠାକୁ ଆସିଛୁ। ଜର୍ମାନି ବିଶ୍ବକପର ସଫଳତମ ଦଳ ପାକିସ୍ତାନ, ମାଲେସିଆ ଓ ନେଦରଲାଣ୍ଡ ସହ ପୁଲ୍-ଡିରେ ସ୍ଥାନ ପାଇଛି। ଜର୍ମାନି ଡିସେମ୍ବର ପହିଲାରେ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଆୟର୍ଲାଣ୍ଡ ପୁଲ୍ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଚୀନ ସହ ରହିଛି। ଅନ୍ୟପକ୍ଷରେ ଜାନାଡା ପୁଲ୍ ସିରେ ଭାରତ, ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ସହ ଅଛି।

ସମ୍ବନ୍ଧିତ ଖବର