ବାଳିକା ହକି ଲିଗ୍‌ ଫେଜ୍‌-୧: ଓଡ଼ିଶା କ୍ରୀଡ଼ା ଛାତ୍ରାବାସ, ନାଭାଲ ଟାଟା ବିଜୟୀ

ନୂଆଦିଲ୍ଲୀ : ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବାଳିକା (୧୬ ବର୍ଷରୁ କମ୍‌) ହକି ଲିଗ୍‌ ଫେଜ୍‌-୧ର ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଏବଂ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ନିଜ ନିଜ ପୁଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ପୁଲ-ଏ’ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ୫-୧ ଗୋଲ୍‌ରେ ରାୟପୁରର ସ୍ମାର୍ଟ ହକି ଏକାଡେମୀକୁ ପରାସ୍ତ କରିଥିଲା। ଓଡ଼ିଶା ପକ୍ଷରୁ ଅଧିନାୟିକା ଅମିଷା ଏକ୍କା (୨୩, ୪୦, ୪୮ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ଅର୍ଚନା ଖାଲ୍‌ଖୋ (୧୨ ମିନିଟ୍‌) ଓ ସୁସ୍ମିତା ଡୁଙ୍ଗଡୁଙ୍ଗ (୧୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ରାୟପୁର ପକ୍ଷରୁ ଏକମାତ୍ର ଗୋଲ୍‌ଟି ନୀଶୁ ଭିହାନ ଦେଇଥିଲେ। ପୁଲ୍‌-ବି’ରେ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ୫-୧ ଗୋଲ୍‌ରେ ସାଲୁଟ ହକି ଏକାଡେମୀକୁ ହରାଇଥିଲା। ନାଭାଲ ଟାଟା ପକ୍ଷରୁ ନେହାରିକା ଟପ୍ପୋ (୪୦, ୪୨, ୬୦ ମିନିଟ୍‌) ହ୍ୟାଟ୍ରିକ୍‌ ‌‌ଗୋଲ୍‌ ଦେଇଥିଲେ। ପ୍ରଜ୍ଞା ପଟେଲ (୨୧ ମିନିଟ୍‌) ଓ ଅନୁଷ୍କା ଭାୱରେ (୨୬ ମିନିଟ୍‌) ଦଳ ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ସାଲୁଟ ହକି ଏକାଡେମୀର କାଜଲ (୫୩ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ।

ସମ୍ବନ୍ଧିତ ଖବର