ଆଇପିଏଲ : ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୮ ରନରେ ହରାଇଲା ଗୁଜୁରାଟ୍

ମୁମ୍ବାଇ : ମୁମ୍ବାଇର ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୨୨ର ୩୫ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୮ ରନରେ ହରାଇଛି ଗୁଜୁରାଟ ଟାଇଟନ୍ସ (ଜିଟି) । ଗୁଜୁରାଟ ଦ୍ବାରା ରଖାଯାଇଥିବା ୧୫୭ ରନ ଜବାବରେ କୋଲକାତା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୮ ରନ କରିପାରିଥିଲା ।

କୋଲକାତା ଦଳ ନିଜର ଇନିଂସ ଆରମ୍ଭରୁ ଶୀଘ୍ର ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୩୪ ରନରେ ୪ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ରିଙ୍କୁ ସିଂ ଓ ଆନ୍ଦ୍ରେ ରସେଲ ଦଳ ପାଇଁ ଲଢେଇ କରିଥିଲେ । ରସେଲ ୨୫ଟି ବଲରୁ ୪୮ ରନ କରି ଦଳ ପାଇଁ ବିଜୟ ସମ୍ଭାବନା ଆଣିଦେଇଥିଲେ । କିନ୍ତୁ ଶେଷ ଓଭରରେ ସେ ଆଉଟ ହେବା ପରେ ଦଳ ଲକ୍ଷ୍ୟଠାରୁ ୮ ରନ ପଛରେ ପଡିଯାଇଥିଲା ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ଶୁଭମନ ଗିଲଙ୍କ ଓ୍ବିକେଟ ହରାଇଥିଲେ ବି ଋଦ୍ଧିମାନ ଶାହା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ପାଣ୍ଡ୍ୟା ସର୍ବାଧିକ ୬୭ ରନ କରିଥିବାବେଳେ ଶାହା ୨୫ ରନ କରିଥିଲେ । ଡେଭିଡ୍ ମିଲର ୨୭ ରନ କରିଥିବାବେଳେ ରାହୁଲ ତେଓ୍ବାତିଆ  ୧୭ ରନ କରିଥିଲେ । ତେବେ ଦଳ ଶେଷ ଓଭରରେ ଅଳ୍ପ ରନ ବ୍ୟବଧାନରେ କୋତୋଟି ଓ୍ବିକେଟ ହରାଇବାରୁ ରନଗତି କମିଯାଇଥିଲା । ଶେଷରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୬ ରନ କରିଥିଲା । କୋଲକାତା ପକ୍ଷରୁ ଟିମ ସାଉଦି ୩ଟି ଓ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର