ବର୍ମିଂହାମ: ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଏଜବେଷ୍ଟନ୍ ପଡ଼ିଆରେ ଖେଳ ଜାରି ରହିଛି। ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଟିମ୍ ୧୬.୧ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଛି। ଓପନର ଆଲିଷ୍ଟର କୁକ୍ ୨୮ ବଲ୍ ଖେଳି ୧୩ ରନ୍ ଯୋଡ଼ିଥିଲେ। ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇ ପାଭଲିଅନ୍ ଫେରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ଜୋଏ ରୁଟ୍(୧୭) ଓ କିଏଟନ୍ ଜେନିଙ୍ଗସ୍(୨୨) କ୍ରିଜ୍ରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘରୋଇ ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ୍ ମ୍ୟାଚ୍। ଏହି ଐତିହାସିକ ମୁକାବିଲାକୁ ନେଇ ଇଂଲଣ୍ଡ ଖେଳାଳି ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ବିଶ୍ୱର ଏକ ନମ୍ବର ଟେଷ୍ଟ୍ ଦଳ ଭାରତ ସେମାନଙ୍କ ଖୁସିକୁ ଫିକା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ବିଦେଶ ଗସ୍ତରେ ଖରାପ ପ୍ରଦର୍ଶନ କରୁଥିବା ଦାଗକୁ ଲିଭାଇବାକୁ ମଧ୍ୟ ଭାରତ ଚେଷ୍ଟା କରିବ। ଭାରତ ଶେଷ ଥର ପାଇଁ ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଥିଲା। ବର୍ତମାନର ଅଧିନାୟକ ବିରାଟ କୋହଲିଙ୍କ ପାଇଁ କିନ୍ତୁ ସେହି ସଫଳତା ଦୋହରାଇବା ଆଦୌ ସହଜ ହେବନି।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଇଂଲଣ୍ଡରେ ଭାରତ ୨୦୧୧ ଏବଂ ୨୦୧୪ରେ ୦-୪ ଓ ୧-୩ରେ ଶୃଙ୍ଖଳା ହାରିଥିଲା। ମୋଟ ଉପରେ ଭାରତ ଇଂଲଣ୍ଡ ମାଟିରେ ୫୭ ଟେଷ୍ଟ୍ ଖେଳି ସେଥିମଧ୍ୟରୁ ମାତ୍ର ୬ଟିରେ ବିଜୟ ଲାଭ କରିଛି। ଯାହା କୋହଲିଙ୍କୁ ଚିନ୍ତାରେ ପକାଇଛି। ତେବେ ଇଂଲଣ୍ଡ ନିକଟ ଅତୀତରେ ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଯାହା ଭାରତ ପାଇଁ ଏକ ମନୋବଳ ବୃଦ୍ଧିକାରୀ କଥା।