ଇଣ୍ଡିଆନ୍ ଗ୍ରାଁପ୍ରିରେ ଦୂତିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ପାତିଆଲାରେ ଥିବା ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରେ ଶନିବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।  ମହିଳା ୧୦୦ ମିଟର ଦୌଡ଼କୁ ୧୧.୫୧ ସେକେଣ୍ଡରେ ସମାପ୍ତ କରି ଦୂତି ଏହି ସଫଳତା ଲାଭ କରିଛନ୍ତି।  ଏହି ବର୍ଗରେ ତାମିଲନାଡୁର ଏସ୍ ଧନଲକ୍ଷ୍ମୀ  (୧୧.୯୮ ସେକେଣ୍ଡ) ରୌପ୍ୟ ଏବଂ ପଞ୍ଜାବର ଅମୃତ କୌର (୧୨.୪୭ ସେକେଣ୍ଡ) କାଂସ୍ୟ ପଦକ ପାଇଥିଲେ। ଚଳିତ ଋତୁରେ ଦୂତିଙ୍କର ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଅନ୍ୟତମ ଓଡ଼ିଆ ଅମୀୟ ମଲ୍ଲିକ ପୁରୁଷ ୧୦୦ ମିଟରର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଥିଲେ। ତାଙ୍କ ସମୟ ଥିଲା ୧୧.୦୯ ସେକେଣ୍ଡ। ଏହି ବର୍ଗର ସ୍ବର୍ଣ୍ଣ ଓ ରୌପ୍ୟ ତାମିଲନାଡୁକୁ ଯାଇଥିଲା। ତାମିଲନାଡୁର ରାଜୀବ ଆରୋକଲା (୧୦.୬୫ ସେକେଣ୍ଡ) ପ୍ରଥମ  ଏବଂ ଭିକେ ଏଲାକିଆ ଦାସନ (୧୦.୭୨ ସେ‌କେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ବର୍ଗରେ ଅଂଶ ଗ୍ରହଣ କରିଥିବା ଓଡ଼ିଶାର ଅନ୍ୟତମ ପ୍ରତିଯୋଗୀ ଅଭିଜିତ ସାହୁ (୧୧.୮୦ ସେକେଣ୍ଡ) ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। ଇଣ୍ଡିଆନ୍ ଗ୍ରାଁ ପ୍ରିର ଦ୍ବିତୀୟ ପର୍ଯ୍ୟାୟ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର