ରୋହିତ ରୋମାଞ୍ଚ : ଶେଷ ୨ ବଲ୍‌ରେ ଛକା ମାରି ଜିତାଇଲେ, ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ

ହାମିଲଟନ : ନ୍ୟୁଜିଲାଣ୍ଡରେ ନୂଆ ଇତିହାସ ଲେଖିଛି ଭାରତୀୟ କ୍ରିକେଟ୍ ଦଳ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ତା’ ମାଟିରେ କ୍ରମାଗତ ୩ଟି ମ୍ୟାଚ୍‌ରେ ପରାସ୍ତ କରି ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିଛି। ଆଉ ଆଜିର ଏହି ଉତ୍କଣ୍ଠାଭରା ତୃତୀୟ ମ୍ୟାଚ୍‌ରେ ଅବିଶ୍ବସନୀୟ ପ୍ରଦର୍ଶନ କରି ରୋମାଞ୍ଚକର ବିଜୟରେ ନାୟକ ସାଜିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା। ଦ୍ରୁତ ଅର୍ଧଶତକ ସହ ସୁପରଓଭରର ଶେଷ ଦୁଇ ବଲ୍‌ରେ ଛକା ମାରି ନ୍ୟୁଜିଲାଣ୍ଡ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଛନ୍ତି ସେ।

ହାମିଲଟନର ସେଡନପାର୍କରେ ଖେଳା ଯାଇଥିବା ଏହି ହୃତ୍‌ସ୍ପନ୍ଦନ ବନ୍ଦ ହେଲା ଭଳି ଲଢ଼େଇ ପ୍ରଥମେ ଟାଇ ରହିଥିଲା। କୋହଲି ବାହିନୀ ପ୍ରଥମେ ବ୍ୟା‌ଟିଂ କରି ରୋହିତ ଶର୍ମାଙ୍କ ୬୫ ରନ୍ (୪୦ ବଲ୍‌, ୬ ଚୌକା, ୩ ଛକା) ବଳରେ ୨୦ ଓଭରରେ ୫ ୱିକେଟ୍‌ରେ ୧୭୯ ରନ୍ କରିଥିଲା। ଏହାର ପିଛା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ (୯୫ ରନ୍, ୪୮ ବଲ୍‌) ବଳରେ ୨୦ ଓଭରରେ ୬ ୱିକେଟ ହରାଇ ସମାନ ୧୭୯ ରନ୍ କରିବାରୁ ମ୍ୟାଚ୍ ‘ଟାଇ’ ହୋଇ ଯାଇଥିଲା। ଏହା ପରେ ସୁପରଓଭରରେ ନ୍ୟୁଜିଲାଣ୍ଡ ଭାରତକୁ ୧୮ ରନ୍‌ର ଲକ୍ଷ୍ୟ ଦେଇଥିଲା। କିୱି ଯୋଡ଼ି ମାର୍ଟିନ ଗପ୍ଟିଲ ଓ କେନ୍ ୱିଲିୟମସନଙ୍କ ରନ୍ ସଂଗ୍ରହଧାରା ଥିଲା ୧,୧, ୬, ୪, ୧, ୪। ଜବାବରେ ଭାରତ ପକ୍ଷରୁ ରୋହିତ ଓ ଲୋକେଶ ରାହୁଲଙ୍କ ଯୋଡ଼ି ପ୍ରଥମ ଚାରି ବଲ୍‌ରୁ ମାତ୍ର ୮ ରନ୍‌ କରିଥିଲେ। ଫଳରେ ଭାରତ ହାତରୁ ମ୍ୟାଚ୍ ଖସିଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ରୋହିତ ଭିନ୍ନ ଯୋଜନାରେ ଥିଲେ। ଶେଷ ୨ଟି ବଲ‌େର ବିଜୟ ପାଇଁ ୧୦ ରନ୍‌ର ଆବଶ୍ୟକତା ଥିବାବେଳେ ଟିମ୍ ସାଉଦିଙ୍କ ଶେଷ ଦୁଇ ବଲ୍‌ରେ ଦୁଇଟି ବିଶାଳ ଛକା ମାରି ଚିତ୍ତାକର୍ଷକ ଢଙ୍ଗରେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ ରୋହିତ। ସୁପର ଓଭରରେ ରାହୁଲ-ରୋହିତ ୨, ୧, ୪,୧, ୬, ୬ ଧାରାରେ ରନ୍ ସଂଗ୍ରହ କରି ଭାରତକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ।

ତୃତୀୟ ପ୍ରୟାସରେ ନ୍ୟୁଜିଲାଣ୍ଡରେ ଭାରତର ଏହାର ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ଥିଲା। ଗତବର୍ଷ ଭାରତ ସେଠାକୁ ଗସ୍ତ କରି ତିନି ଟିକିଆ ଶୃଙ୍ଖଳାକୁ ୧-୨ରେ ହାରିଥିଲା। ଏହା ପୂର୍ବ ଶୃଙ୍ଖଳା ବି ଭାରତ ଜିତି ପାରି ନଥିଲା।

ସମ୍ବନ୍ଧିତ ଖବର