ଖଣି ଲିଜ୍‌ଧାରୀଙ୍କୁ ସୁପ୍ରିମକୋର୍ଟ ଝଟ୍‌କା : ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ନୂଆଦିଲ୍ଲୀ : ଖଣି ଲିଜ ନିୟମ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମିନେରାଲ କନସେସନ୍ ରୁଲ୍ ୩୭ ଓ ଏମ୍ଏମ୍‌ଡିଆର୍ ଆଇନର ସେକ୍ସନ ୬ ଉଲ୍ଲଂଘନ ନେଇ ଗତବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କ କମିଟି ଦ୍ବାରା ପ୍ରଦାନ କରାଯାଇଥିବା ରିପୋର୍ଟକୁ କୋର୍ଟ ଆଜି ଶୁଣିବା ‌ପରେ ଏହି ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏସ୍ ଏ ବୋବ୍‌଼ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଦ୍ବାରା ବିସ୍ତୃତ ଭାବେ ଏହାର ଶୁଣାଣି କରାଯାଇଥିଲା। ରିପୋର୍ଟରେ ଉଲ୍ଲେଖ ଥିବା ତଥ୍ୟକୁ ଅନୁଧ୍ୟାନ କରି ନିୟମ ଉଲ୍ଲଂଘନ କରିଥିବା ଖଣି ଲିଜ୍‌ଧାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ ଲିଜ୍‌ଧାରୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଯଦି ରିପୋର୍ଟ ସଂପର୍କରେ କୌଣସି ସନ୍ଦେହ ଥାଏ, ତେବେ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ସେହିଭଳି ଦୁଇଜଣିଆ କମିଟି ଦେଇଥିବା ରିପୋର୍ଟ ଉପସଂହାରରେ କିଛି ବିବାଦୀୟ ପ୍ରସଙ୍ଗ ରହିଛି। ଏଣୁ ମିନେରାଲ କନସେସନ୍ ନିୟମ ୧୯୬୦ର ରୁଲ୍ ୩୭ ଓ ଏମ୍‌ଏମ୍୍‌ଡିଆର୍ ଆଇନର ସେକ୍ସନ ୬ ଉଲ୍ଲଂଘନ କରିଥିବା ଖଣି ଲିଜଧାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନଙ୍କୁ ଶୁଣିବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଲିଜ୍‌ଧାରୀ ଉଲ୍ଲଂଘନ ନେଇ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟ ସରକାର ଚାହିେଁଲ ସଂପୃକ୍ତ ଖଣି ଲିଜ୍‌ଧାରୀଙ୍କୁ େନାଟିସ୍ କରିପାରିବେ। ତେବେ ଏହି ମାମଲାର ଆବେଦନକାରୀ କମନ୍‌କଜ୍‌କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯିବା ଦରକାର।

ଉଲ୍ଲେଖଯୋଗ୍ୟ ଯେ ବହୁଚର୍ଚ୍ଚିତ ଖଣି ଲିଜ୍‌ ମାମଲାରେ ୨୨ ନଭେମ୍ବର ୨୦୧୭ରେ ସୁପ୍ରିମକୋର୍ଟ ରୁଲ୍ ୩୭ ଓ ଏମ୍‌ଏମ୍୍‌ଡିଆର୍ ଆଇନର ସେକ୍ସନ ୬ ଉଲ୍ଲଂଘନ ସଂପର୍କରେ ଅନୁଧ୍ୟାନ କରିବା ଲାଗି ଅବସରପ୍ରାପ୍ତ ବିଚାରପତି ଜିଏସ୍ ସିଂଘ୍‌ଭି, ବିଚାରପତି ଏ ଆର୍ ଡାଭେଙ୍କୁ ନିଯୁକ୍ତି ଦେଇଥିଲେ। କମିଟି ମୋଟ ୨୪ଟି ଶୁଣାଣି କରି ୧୩ ଜଣ ଲିଜ୍‌ଧାରୀଙ୍କ ପକ୍ଷକୁ ଅନୁଧ୍ୟାନ କରିଥିଲେ। ପରେ ନଭେମ୍ବରରେ କୋର୍ଟରେ ତାଙ୍କ ରିପୋର୍ଟ ଦେଇଥିଲେ।

ସମସ୍ତ ତଥ୍ୟ ଓ ନ୍ୟାୟିକ ସ୍ଥିତିକୁ ଅନୁଧ୍ୟାନ କରି ୧୦ ଜଣ ଖଣିଲିଜ୍ ଧାରୀ ନିୟମ ଉଲ୍ଲଂଘନ କରିନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ସେହିପରି ୩ଜଣ ଲିଜ୍‌ଧାରୀ ନିୟମ ଉଲ୍ଲଂଘନ କରିଥିବା ଏଥିରେ ଦର୍ଶାଯାଇଥିଲା। ଏହି ରିପୋର୍ଟ ଉପରେ କୌଣସି ଲିଜ୍‌ଧାରୀ ସୁପ୍ରିମକୋର୍ଟରେ ଆପତ୍ତି ଦାଖଲ କରିନଥିବା ଆଜି ଶୁଣାଣି ବେଳେ ଜଣାପଡିଥିଲା। ୨୦୧୪ରେ କମନ୍‌କଜ୍ ପକ୍ଷରୁ ଦାଖଲ କରାଯାଇଥିବା ଖଣି ଦୁର୍ନୀତି ନେଇ ଜନସ୍ବାର୍ଥ ମାମଲା ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ ଯାହାର ରାୟ ୨୦୧୭ ଅଗଷ୍ଟରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର