ଭାରତ-ଇଣ୍ଡିଜ୍ ମ୍ୟାଚ୍ ଥିଲା ଚଳିତ ବର୍ଷର ‌ଶେଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍

କଟକ : ରବିବାରର ଭାରତ-ଇଣ୍ଡିଜ୍ ମ୍ୟାଚ୍ ଥିଲା ଚଳିତ ବର୍ଷର ଶେଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଏହାକୁ ଜିତି ଘଟଣା ବହୁଳ ୨୦୧୯କୁ ସଫଳତାର ସହ ‌ଶେଷ କରିଥିଲା। ଭାରତ ମଧ୍ୟ ଦୀର୍ଘ ୭ ବର୍ଷ ପରେ କୌଣସି କ୍ୟାଲେଣ୍ଡର ବର୍ଷକୁ ଏକ ଦିନିକିଆରେ ବିଦାୟ ଦେଇଥିଲା। ଶେଷ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳ ୨୦୧୨ରେ ପାକିସ୍ତାନ ବିପକ୍ଷରେ ବର୍ଷ ‌ଶେଷ କରିଥିଲା। ଏହାପର ବର୍ଷଗୁଡ଼ିକ ଭାରତୀୟ କ୍ରିକେଟ୍ ଦଳ ପାରମ୍ପରିକ ଭାବେ ଟେଷ୍ଟ ମ୍ୟାଚ୍‌ରେ ଶେଷ କରି ଆସୁଥିଲା।

ସାର୍ଦୁଲଙ୍କ ସୁଇଂରେ ଗଡ଼ିଲା ବଲ୍
ଭାରତ ବୋଲିଂର ଶୁଭାରମ୍ଭ ଯୁବ ବୋଲର ସାର୍ଦୁଲ ଠାକୁର କରିଥିଲେ। ଅଫ୍‌ଷ୍ଟମ୍ପରେ ଥିବା ତାଙ୍କର ଏହି ଫୁଲଲେନ୍ଥ ବଲ୍‌କୁ ରକ୍ଷଣାତ୍ମକ ଶୈଳୀରେ କଭର ଅଞ୍ଚଳକୁ ଖେଳିଥିଲେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏଭିନ ଲୁଇସ୍। ଦ୍ବିତୀୟ ବଲକୁ ଫାଇନ୍‌ଲେଗ୍ ଅଞ୍ଚଳକୁ ଖେଳି ଲୁଇସ୍ ସିଙ୍ଗଲ ରନ୍‌ ଚୋରାଇ ନେଇଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜ୍ ତାର ରନ୍ ଖାତା ଖୋଲିଥିଲା। ପରବର୍ତୀ ଚାରିଟି ବଲରୁ କୌଣସି ରନ୍ ନମିଳିବାରୁ ପ୍ରଥମ ଓଭରରେ ଇଣ୍ଡିଜ୍ ମାତ୍ର ୧ ରନ୍ କରିଥିଲା। ୧୦ ଓଭର ପର୍ଯ୍ୟନ୍ତ ଲୁଇସ୍ ଏବଂ ସାଥୀ ପ୍ରାରମ୍ଭିକ ଖେଳାଳି ସାଇ ହୋପ୍ ଦେଖିଚାହିଁ ଖେଳି ରନ୍ କରିବା ଅପେକ୍ଷା ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ଫଳରେ ଇଣ୍ଡିଜ୍ ପ୍ରଥମ ୧୦ ଓଭରରେ କୌଣସି ୱିକେଟ୍ ନହରାଇ ମାତ୍ର ୪୪ ରନ୍ କରିଥିଲା। ନବମ ଓଭରର ଶେଷ ବଲ୍‌ରେ ରବୀନ୍ଦ୍ର ଜାଦେଜା ଏକ କଠିନ କ୍ୟାଚ୍ ହାତଛଡ଼ା କରିବା ବ୍ୟତୀତ ଭାରତର ବୋଲିଂ ଓ କ୍ଷେତ୍ରରକ୍ଷଣ ବେଶ୍ ପ୍ରଶଂସନୀୟ ଥିଲା।

ହେଟମେୟର ଓ ଚେଜ୍‌ଙ୍କୁ ସଇନି ଚଖାଇଲେ ମଜା
ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂକ୍ରମର ମେରୁଦଣ୍ଡ ପାଲଟିଥିବା ସିମରନ୍ ହେଟମେୟର ଏବଂ ଅଲରାଉଣ୍ଡର ରସ୍ତନ ଚେଜ୍ ପଦାର୍ପଣକାରୀ ନଭଦୀପ ସଇନିଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ସଇନିଙ୍କ ପ୍ରଥମ ଏକଦିବସୀୟ ଶିକାର ହୋଇଥିଲେ ହେଟମେୟର। ସର୍ଟ ବଲ୍‌ରେ ତାଙ୍କୁ କୁଲଦୀପ ଯାଦବଙ୍କ ଦ୍ବାରା କ୍ୟାଚ୍ କରାଇବା ପରେ ଚେଜଙ୍କୁ ସଇନି କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ସଇନି ୧୪୦ କିଲୋମିଟର ବେଗରେ ପକାଇଥିବା ୟର୍କରକୁ ମୁକାବିଲା କରିବାକୁ ଚେଜ୍ ପୂରା ବିଫଳ ହୋଇଥିଲେ। ୨୬ତମ ଓଭରରେ ୧୦୦ ରନ୍ ପୂରଣ କରିଥିବା ୱେଷ୍ଟଇଣ୍ଡିଜ୍ ୧୪୪ ରନ୍‌ରେ ଚତୁର୍ଥ ୱିକେଟ୍ ହରାଇଥିଲା। ଆଉଟ୍ ହେଲା ବେଳକୁ ହେଟମେୟର ୩୭ ଓ ଚେଜ୍ ୩୮ ରନ୍ କରିଥିଲେ।

ଜାଦେଜା ଭାଙ୍ଗିଲେ ଯୋଡ଼ି
ଇଣ୍ଡିଜ୍ ତ୍ରୟୋଦଶ ଓଭରରେ ଅର୍ଧଶତକ ପୂରଣ କରିଥିଲା। ତା’ ଭିତରେ ହୋପ୍ ଦିନିକିଆରେ ୩୦୦୦ ରନ୍ ପୂରଣ କରିବାରେ ନିଜ ଦେଶର ଦ୍ରୁତତମ ଏବଂ ମୋଟ ଉପରେ ଦ୍ବିତୀୟ ଦ୍ରୁତତମ ଖେଳାଳି ହୋଇଥିଲେ। ୧୨ ବଲ୍ ପରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ତାର ପ୍ରଥମ ୱିକେଟ୍ ହରାଇଥିଲା। ଜାଦେଜାଙ୍କ ଲଙ୍ଗ ଅନ୍ ଉପରେ ଛକା ମରିବାକୁ ପ୍ରୟାସ କରୁଥିଲା ବେଳେ ଲୁଇସ୍ ସେଠାରେ ସଜାଗ ଥିବା ନଭଦୀପ ସଇନିଙ୍କ ହାତରେ ଧରା ପଡ଼ିଥିଲେ। ଦ୍ବିତୀୟ ୱିକେଟ୍ ପାଇଁ ଅବଶ୍ୟ ଭାରତୀୟ କ୍ରିକେଟ୍ ଦଳକୁ ‌ବେଶି ସମୟ ଅପେକ୍ଷା କରିବାକୁ ପଡ଼ି ନଥିଲା। ୨୦ତମ ଓଭରର ଦ୍ବିତୀୟ ବଲ୍‌ରେ ମହମ୍ମଦ ସାମି ଇନ୍‌ସୁଇଂଗରରେ ଖାଡ଼ି ଉଡ଼ାଇ ହୋପଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ହୋପଙ୍କ ଅର୍ଧଶତକ ଆଶା ସେହିଠାରେ ମଉଳି ଯାଇଥିଲା।

ସମ୍ବନ୍ଧିତ ଖବର