ଭାରତ- ଆଫ୍‌ଗାନିସ୍ତାନ ପ୍ରଥମ ଟେଷ୍ଟ: ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ: ବେଙ୍ଗାଲୁରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫ୍‌ଗାନିସ୍ତାନ ମଧ୍ୟରେ ଐତିହାସିକ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଥିବା ଆଜିଙ୍କ୍ୟ ରହାଣେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟେଷ୍ଟରେ ବିଶେଷକରି ଭ୍ରମଣକାରୀ ଦଳର ଦୁଇ ସ୍ପିନର ରସିଦ୍‌ ଖାନ୍‌ ଏବଂ ମୁଜିବୁର୍‌ ରହମନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ଦୁଇ ଜଣଙ୍କ ସହିତ ଅମୀର ହମ୍‌ଜା ଏବଂ ମହମ୍ମଦ ନବି ମଧ୍ୟ ବୋଲିଂରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି।

ଶିଖର ଧାଓ୍ଵନ୍‌, ମୁରଲୀ ବିଜୟ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଛନ୍ତି। ୟାମିନ ଅହମ୍ମଦଜାଇ ଆଫଗାନିସ୍ତାନନ ଟେଷ୍ଟ କ୍ରିକେଟ ଇତିହାସର ପ୍ରଥମ ବଲ ଫିଙ୍ଗିଛନ୍ତି।ପ୍ରଥମ ଓଭରରେ ଭାରତ ୬ ରନ୍‌ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଓଭରର ପ୍ରଥମ ବଲରେ ଶିଖର ଧାଓ୍ଵନ ଚୌକା ସହିତ ଓ୍ଵାଫାଦରଙ୍କ ବୋଲିଂକୁ ସ୍ୱାଗତ କରିଛନ୍ତି।
ଭ୍ରମଣକାରୀ ଦଳର ଅଧିନାୟକ ଅସ୍‌ଗର ସ୍ତାନିକ୍‌ଜାଇଙ୍କ ନେତୃତ୍ୱରେ ଦିନିକିଆରେ ମୋଟ ୧୮ ମ୍ୟାଚ୍‌ ଖେଳି ସାରିଥିବା ଆଫ୍‌ଗାନିସ୍ତାନ ମାତ୍ର ୫ଟି ମ୍ୟାଚ୍‌ରେ ହାରିଛି। ତେବେ ଟେଷ୍ଟ ହେଉଛି ଏକ ଭିନ୍ନ ଫର୍ମାଟ୍‌। ଆଫ୍‌ଗାନିସ୍ତାନ ଏହି ଫର୍ମାଟ୍‌ରେ ପ୍ରଥମ ପରୀକ୍ଷା ଦେବ। ଏହା ପୁଣି ବିଶ୍ୱର ଶ୍ରେଷ୍ଠ ଦଳ ବିରୋଧରେ। ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ପିଚ୍‌ ମୁଖ୍ୟତଃ ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ଏପରି ସ୍ଥିତିରେ ସ୍ପନିରଙ୍କ ଉପରେ ଭରସା କରୁଥିବା ଆଫଗାନିସ୍ତାନ ଭାରତକୁ ଘାଇଲା କରିବା ସହଜ ହେବନି ବୋଲି ଭ୍ରମଣକାରୀ ଦଳର ପ୍ରଶିକ୍ଷକ ଫିଲ୍‌ ସିମନ୍‌ସ କହିଛନ୍ତି। ଅନ୍ୟପକ୍ଷରେ ଭାରତର ବୋଲିଂ ଆକ୍ରମଣ ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କ ଉପରେ ନିର୍ଭର କରିବ। ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଦେଜା ମଧ୍ୟ ଆଫ୍‌ଗାନିସ୍ତାନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବେ।

ସମ୍ବନ୍ଧିତ ଖବର