ସେହି ବର୍ଷ ଏହି ତାରିଖ, ୨୭ ବର୍ଷ ‌ତଳେ ଭାରତ ଜିତିଥିଲା ପ୍ରଥମ ସାଫ୍‌ କପ୍‌

ହାରିକି ଫେରିବୁ ବୋଲି ଜଣେ ଆକ୍ଷେପ କରିଥିଲେ: ତେଜିନ୍ଦର

ନୂଆଦିଲ୍ଲୀ: ୨୭ ବର୍ଷ ତଳେ ଆଜିର ତାରିଖ ଅର୍ଥାତ୍ ଜୁଲାଇ ୨୩ରେ ଭାରତ ପ୍ରଥମ ଥର ସାଫ୍‌ କପ୍‌ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳକୁ ନେଇ ପ୍ରଥମ ଥର ୧୯୯୩ରେ ଏହି ପ୍ରତିଯୋଗିତା ଆୟୋଜିତ ‌ହୋଇଥିଲା। ଏହି ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭିପି ସାଥୀୟାନ୍‌ଙ୍କ ନେତୃତ୍ବାଧୀନ ଭାରତ ୨-୦ରେ ଶ୍ରୀଲଙ୍କାକୁ, ୧-୦ରେ ନେପାଳକୁ ହରାଇଥିଲା ବେ‌ଳେ ଆୟୋଜକ ପାକିସ୍ତାନ ସହ ମୁକାବିଲାକୁ ୧-୧ରେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା। ଫଳରେ ୩ ମ୍ୟାଚ୍‌ରୁ ଭାରତ ମୋଟ ୭ ପଏଣ୍ଟ୍‌ ପାଇଁ ଶୀର୍ଷରେ ରହି ଟ୍ରଫି କରାୟତ କରିଥିଲା। ଶ୍ରୀଲଙ୍କା (୪ ପଏଣ୍ଟ୍‌) ଦ୍ବିତୀୟ, ନେପାଳ ଓ ପାକିସ୍ତାନ ବିଜୟ ଶୂନ୍ୟ (୨ ଅମୀମାଂସିତ) ସହ ସମାନ ୨ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ପୂର୍ବତନ ଭ‌ାରତୀୟ ମିଡ୍‌ଫିଲ୍‌ଡର ତେଜିନ୍ଦର ସିଂହ ଏହି ବିଜୟର ସ୍ମୃତିଚାରଣ କରିଛନ୍ତି। ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ସାଫ୍‌ କପ୍‌ ଖେଳିବା ଲାଗି ‌ଆମେ ଖୁସିର ସହ ଲାହୋରରେ ପହଞ୍ଚିଥିଲୁ। ଆମକୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଣୁ ଘର ଭଳି ଅ‌ନୁଭବ ହୋଇଥିଲା।

ହେଲେ ସେହି ସମୟରେ ବିମାନ ବନ୍ଦରରେ ଥିବା ଜଣେ ବ୍ୟକ୍ତି ଆମକୁ ଦେଖି ହସିଥିଲେ ଏବଂ କଟାକ୍ଷ କରି କହିଥିଲେ ‘ଭାଇମାନେ ସ୍ବାଗତ କରୁଛୁ, କିନ୍ତୁ ଆପଣମାନେ ହାରିକି ହିଁ ଯିବେ’ ବୋଲି ତେଜିନ୍ଦର ପ୍ରକାଶ କରିଛନ୍ତି। ଆମକୁ ଦେଖିବାକୁ କିନ୍ତୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ହେଲେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇନଥିଲୁ। ହୋଟେଲ୍‌ରେ ସୁରକ୍ଷା କଡ଼ାକଡ଼ି ରହିଥିଲା। ସୁରକ୍ଷା କର୍ମଚାରୀ ବିନା କାହାରିକୁ ବାହରକୁ ଯିବାର ଅନୁମତି ମିଳୁ ନଥିଲା ବୋଲି ତେଜିନ୍ଦର କହିଛନ୍ତି। ଜିରି ପେସାକଙ୍କ ପ୍ରଶିକ୍ଷିତ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ (ଜୁଲାଇ ୧୬)ରେ ଶ୍ରୀଲଙ୍କାକୁ ୨-୦ ଗୋଲ୍‌ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହି ଦୁଇ ଗୋଲ୍‌ ଆଇଏମ୍‌ ବିଜୟନ ଓ ଗୁନବୀର ସିଂହ ଦେଇଥିଲେ। ଏହାର ୫ ଦିନ ପରେ ବିଜୟନଙ୍କ ଗୋଲ୍‌ ବଳରେ ନେପାଳକୁ ୧-୦ରେ ହରାଇ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ପହଞ୍ଚିଥିଲା ଭାରତ। ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚ୍‌କୁ ଭାରତ ୧-୧ ଗୋଲ୍‌ରେ‌ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା।

ସମ୍ବନ୍ଧିତ ଖବର