ଆର୍ଜେଣ୍ଟିନା ଉପରେ ଭାରତର ପ୍ରତିଶୋଧ

ଭୁବନେଶ୍ବର: ପାଲଟା ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଆର୍ଜେଣ୍ଟିନାଠାରୁ ମଧୁର ପ୍ରତିଶୋଧ ନେବା ସହ ପୂରା ୩ ପଏଣ୍ଟ କରାୟତ୍ତ କରିଛି। ଶନିବାର ପ୍ରଥମ ମ୍ୟାଚ୍‌କୁ ପେନାଲ୍ଟି ସୁଟଆଉଟ୍‌ରେ ଜିତିଥିଲା ଆର୍ଜେଣ୍ଟିନା। ରବିବାର ଭାରତ କିନ୍ତୁ ନିର୍ଦ୍ଧାରିତ ସମୟରେ ୪-୩ ଗୋଲ୍‌ ବ୍ୟବଧାନରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିଲା। ଫଳରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ର ଦୁଇ ମ୍ୟାଚ୍ ବିଶିଷ୍ଟ ମୁକାବିଲାରେ ଉଭୟ ଜର୍ମାନୀ ଏବଂ ଭାରତ ଗୋାଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ହେଲେ ଭାରତ ରବିବାର ମ୍ୟାଚ୍‌ରୁ ୩ ପଏଣ୍ଟ୍‌ ପାଇଥିଲା ବେଳେ ଜର୍ମାନୀ କୌଣସି ପଏଣ୍ଟ୍‌ ପାଇନଥିଲା। ଫଳରେ ଏବେ ଟେବୁଲର ଶୀର୍ଷରେ ଥିବା ନେଦରଲାଣ୍ଡ୍ସ ସହ ସମାନ ୧୬ ପଏଣ୍ଟ୍‌ ପାଇ ଦ୍ବିତୀୟରେ ରହିଛି। ଆର୍ଜେଣ୍ଟିନା (୧୧) ଚତୁର୍ଥରେ ଏବଂ ଜର୍ମାନି (୧୨) ତୃତୀୟରେ ରହିଛନ୍ତି।

ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୧୭ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ହାର୍ଦିକ ସିଂହ। ଏହାପରେ ୨୦ତମ ମିନିଟ୍‌ରେ ପେନାଲ୍ଟି ଗୋଲ୍‌ ଜରିଆରେ ଯୁଗରାଜ ସିଂହ ପ୍ରଥମାର୍ଦ୍ଧରେ ଭାରତକୁ ୨-୦ରେ ଅଗ୍ରଣୀ ରଖିଥିଲେ। ୪୦ତମ ମିନିଟ୍‌ରେ ନିକୋଲାସ ଡେଲିଆ ଟୋରେ ଗୋଟିଏ ଗୋଲ୍‌ ଶୁଝିଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଆର୍ଜେଣ୍ଟିନାକୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ଟୋମାସ ଡୋମିନେ (୫୧ ମିନିଟ୍‌)ଗୋଲ୍‌ରେ ପରିଣତ କରି ସ୍ଥିତି ସାମନ କରିଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ଯୁଗରାଜ (୫୨ ମିନିଟ୍‌) ପୁଣି ଦଳକୁ ଆଗୁଆ କରିବା ସହ ଯୁଗଳ ସଫଳତା ମୁଠାଇଥିଲେ। ୫୬ ମିନିଟ୍‌ରେ ଏହାକୁ ମାର୍ଟିନ୍‌ ଫେରେଇରୋ ଶୁଝି ସ୍ଥିତି ୩-୩ କରିଥିଲେ। ଶେଷ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଜରିଆରେ ମନଦୀପ ସିଂହ ‌ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ।

ଶନିବାର ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ଶେଷ ହେବାରୁ ପୋନାଲ୍‌ଟି ସୁଟ୍‌ଆଉଟ୍‌ରେ ଫଳାଫଳ ବାହାରିଥିଲା। ଏଥିରେ ଆର୍ଜଣ୍ଟିନା ୩-୧ରେ ଜିତି ୨ ପଏଣ୍ଟ୍‌ କରାୟତ୍ତ କରିଥିଲା ବେଳେ ଭାରତକୁ ଗୋଟିଏ ପଏଣ୍ଟ୍‌ ମିଳିଥିଲା। ଶନିବାର ଭାରତ ପକ୍ଷରୁ ଗୁରଜାନ୍ତ ସିଂହ (୩୮ ମିନିଟ୍‌) ଓ ମନଦୀପ ସିଂହ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ‌ଆର୍ଜେଣ୍ଟିନା ପକ୍ଷରୁ ନିକୋଲାସ ଆକୋଷ୍ଟା (୪୫ ମିନିଟ୍‌) ଓ ନିକୋଲାସ କେନାନ (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର