୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜୟୀ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କୁ ୪୦ ଲକ୍ଷ ଟଙ୍କା ପୁରସ୍କାର ଦେବ ‘ବିସିସିଆଇ’

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ବକପ୍‌ ବିଜୟୀ ଭାରତୀ ଟିମ୍‌ର ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କ ନିମନ୍ତେ ରବିବାର ରାତିରେ ‘ଦି ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ’ (ବିସିସିଆଇ) ନଗଦ ଅର୍ଥ ପୁରସ୍କାର ଘୋଷଣା କରିଛି।

ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ବିଜୟୀ ଘୋଷିତ ହେବା କ୍ଷଣି ‘ବିସିସିଆଇ’ ସଚିବ ଜୟ ଶାହ ସାମାଜିକ ଗଣମାଧ୍ୟମରେ ଭାରତୀୟ ଟିମ୍‌ର ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କ ନିମନ୍ତେ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ଭାରତୀୟ ଟିମ୍‌ର ପ୍ରତ୍ୟେକ ଖେଳାଳି ପାଇଁ ୪୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ପ୍ରତ୍ୟେକ ସହଯୋଗୀ କର୍ମଚାରୀଙ୍କ ନିମନ୍ତେ ୨୫ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

Image Courtesy of Zee News

ଟୁର୍ଣ୍ଣାମେଣ୍ଟ୍‌ର ‘ଗ୍ରୁପ୍‌-ଷ୍ଟେଜ୍‌’ ସମୟରେ କୋଭିଡ୍-୧୯ଦ୍ବାରା ପ୍ରଭାବିତ ହୋଇଥିବା ଭାରତୀୟ ଦଳର ଏହି ଉଦ୍ୟମକୁ ମଧ୍ୟ ‘ବିସିସିଆଇ’ ସଚିବ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟ୍‌ କରି ଜୟ ଶାହ ଲେଖିଛନ୍ତି: ‘ୟୁ୧୯ସିଡବ୍ଲୁସି’ରେ ପ୍ରଶଂସନୀୟ ପାରଦର୍ଶିତା ପ୍ରଦର୍ଶନ ହେତୁ ‘ୟୁ୧୯ ଟିମ୍‌ ଇଣ୍ଡିଆ’ର ପ୍ରତି ଖେଳାଳିଙ୍କ ପାଇଁ ୪୦ ଲକ୍ଷ ଟଙ୍କା ଏବଂ ପ୍ରତି ସହଯୋଗୀ କର୍ମଚାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ। ଆପଣମାନେ ଭାରତକୁ ଗୌରବାନ୍ବିତ କରିଛନ୍ତି।

‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି: ଏଭଳି ଚମକପ୍ରଦ ଭାବେ ବିଶ୍ବକପ୍‌ ଜିଣିଥିବାରୁ ୧୯ ବର୍ଷର କମ୍‌ ଟିମ୍‌, ସହଯୋଗୀ କର୍ମଚାରୀ ଏବଂ ଚୟନକାରୀ ଅଭିନନ୍ଦନ। ଆମେ ଘୋ‌ଷଣା କରିଥିବା ୪୦ ଲକ୍ଷ ଟଙ୍କା ହେଉଛି ପ୍ରଶଂସାର କ୍ଷୁଦ୍ର ସନ୍ତକ ମାତ୍ର କିନ୍ତୁ, ସେମାନଙ୍କର ଉଦ୍ୟମ ଅମୂଲ୍ୟ… ଅତ୍ୟନ୍ତ ଚମକପ୍ରଦ।

ସମ୍ବନ୍ଧିତ ଖବର