ଲକ୍‌ଡାଉନ୍‌ ପରେ ମ୍ୟାଚ୍‌ସ୍ତରକୁ ଫେରିବାକୁ ଖେଳାଳିଙ୍କୁ ୩ ସପ୍ତାହ ଲାଗିବ

ନୂଆଦିଲ୍ଲୀ: କରୋନା ଲାଗି ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଛି। ଏଥିସହ ଭାରତରେ କରୋନା ଲାଗି ସଂପ୍ରତି ଲକ୍‌ଡାଉନ୍‌ ଚାଲିଛି। ପ୍ରଥମ ଦୁଇ ପର୍ଯ୍ୟାୟ (୨୧ ଦିନ, ୧୯ ଦିନ) ଲକ୍‌ଡାଉନ୍‌ ପରେ ଏହାକୁ ଚଳିତ ମାସ ୧୭ ତାରିଖକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ କୌଣସି ଖେଳାଳି ବାହାରକୁ ଯାଉନାହାନ୍ତି। ପଡ଼ିଆ ଅଭ୍ୟାସ ବନ୍ଦ ରହିଛି। କେବଳ ଫିଟ୍‌ ରହିବା ଲାଗି ଘରେ କିଛି କିଛି ବ୍ୟାୟାମ କରୁଛନ୍ତି। ଏଭଳି ପରିସ୍ଥିତିକୁ ନଜ‌ରରେ ରଖି ପ୍ରଶିକ୍ଷକମାନେ ଚିନ୍ତା ପ୍ରକଟ କଲେଣି। ବାହାର ଅଭ୍ୟାସ ବନ୍ଦ ଥିବାରୁ କ୍ରିକେଟର୍‌ ହୁଅନ୍ତୁ ବା ଅନ୍ୟ କ୍ରୀଡ଼ାବିତ ମ୍ୟାଚ୍‌ସ୍ତରକୁ ଫେରିବା ଲାଗି ପ୍ରାୟ ୩ ସପ୍ତାହ ଲାଗିଯିବ ବୋଲି କିଛି ପ୍ରମୁଖ ପ୍ରଶିକ୍ଷକମାନେ ମତ ରଖିଛନ୍ତି।

ଏହା ନୁହେଁ ଯେ ଖେଳାଳିମାନେ ଘରେ ଖାଲିରେ ବସିଛନ୍ତି। ଆମେ ସେମାନଙ୍କ ସହ ଯୋଗାଯୋଗରେ ଅଛୁ ଏବଂ ସେମାନଙ୍କୁ ବ୍ୟାୟାମ କାର୍ଯ୍ୟସୂଚୀ ପ୍ରଦାନ କରୁଛୁ। କିନ୍ତୁ ଏହା ବାହାର ପ୍ରଶିକ୍ଷଣର ବିକଳ୍ପ ହୋଇପାରିବ ନାହିଁ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରାମଜୀ ଶ୍ରୀନିବାସନ୍ କହିଛନ୍ତି। ସଂପ୍ରତି ସେ ଶରତ କମଲ, ଜି ସାଥିଆନ୍, ରାମକୁମାର ରାମନାଥନ୍ ଓ ନାରାୟଣ କାର୍ତ୍ତିକେୟାନ୍‌ଙ୍କ ପ୍ରଶିକ୍ଷକ ଅଛନ୍ତି। ପ୍ରଶିକ୍ଷଣ ସମୟରେ ପଡ଼ିଆର ପ୍ରତିକ୍ରିୟା ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭୂମିରେ ଦୌଡ଼ିବା ଏବଂ ଘର ଭିତରେ ଚାଲିବା ସମ୍ପୂର୍ଣ୍ଣ ଭିନ୍ନ। ଟ୍ରାଡମିଲରେ ଚାଲିବା କେବଳ ଏକ ଟପ୍ ଅପ୍ ବ୍ୟାୟାମରେ ଗଣାଯିବ ବୋଲି ସେ କହିଛନ୍ତି। କ୍ରିକେଟ୍‌ଠୁ ବହୁଦିନ ଦୂରରେ ରହି ଫେରିବା ଦ୍ରୁତ ବୋଲରଙ୍କ ପାଇଁ ଅଧିକ ଅସୁବିଧା ହେବ। ଦ୍ରୁତ ବୋଲର ଦୌଡ଼ିବା ପରେ ପରେ ଡେଇଁ ଥାଆନ୍ତି। ଲକ୍‌‌ଡାଉନ୍‌ ପରେ ସଂଗେସଂଗେ ପଡ଼ିଆକୁ ଓହ୍ଲାଇ ବୋଲିଂ କଲେ ଆଘାତ ସମସ୍ୟା ଦେଖାଦେବ। ଧୀରେ ଧୀରେ ଅଭ୍ୟାସ କଲେ ଏହା ହୋଇଯିବ। କିନ୍ତୁ ଅତିକମ୍‌ରେ ୨୧ ଦିନ ଲାଗିବ ବୋଲି ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାୟାମ ପ୍ରଶିକ୍ଷକ ଥିବା ସୁଦର୍ଶନ କହିଛନ୍ତି।

ଏହି ବିରତି କ୍ରିକେଟର୍‌ଙ୍କ ପାଇଁ ସହାୟକ ହେବ ବୋଲି ଥିବା ଧାରଣା ଭୁଲ। ଯେପରି ଗୋଟେ କାର୍‌ ନିୟମିତ ଚାଲୁଥିବା ବେଳେ ହଟାତ୍‌ ବନ୍ଦ ହେଲେ ବ୍ୟାଟେରି ଚାର୍ଜ ପାଇଁ ସମୟ ଦରକାର। ସେହିପରି ଜଣେ କ୍ରିକେଟର୍‌ ହଟାତ ଖେଳ ବନ୍ଦ କରିଦେଲେ ତା’ ଶରୀର ମଧ୍ୟ ଅଟକିଯାଏ। ଜଣେ ବୋଲର ଦିନକୁ ୬ରୁ ୭ରାଉଣ୍ଡ ପଡ଼ିଆରେ ଦୌଡ଼ିବା ସହ ଡ୍ରିଲ ମଧ୍ୟ କରିଥାଏ। ଘରେ ଏସବୁ କରି ହେବନି। ଖାଲି ଫିଟ୍‌ ରହିବା ଲାଗି ସାଧାରଣ ବ୍ୟାୟାମ କରାଯାଉଛି। ଦ୍ରୁତ ବୋଲରଙ୍କ ପାଇଁ ଘର ଭିତର ଅଭ୍ୟାସ ପ୍ରାୟ ଅସମ୍ଭବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ସଂପ୍ରତି ସିଏସ୍‌କେର ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ।ସମସ୍ତ ଭାରତୀୟ ଖେଳାଳିଙ୍କ ପାଖରେ ସବୁ ପ୍ରକାରର ବ୍ୟାୟାମ ଉପକରଣ ନ ଥାଇପାରେ। ବ୍ୟାୟାମ ରୁଟିନ୍‌କୁ ଖେଳାଳିମାନେ ଠିକ୍‌ ଭାବରେ କାମରେ ଲଗାଇବା ଦରକାର। କାରଣ ଏବେ ଆମେ ସେମାନଙ୍କ ପାଖରେ ରହୁନାହୁଁ। ସେମାନେ ଜାଣିଛନ୍ତି କ’ଣ ଖାଇଲେ ଭଲ। ହେଲେ ଘରେ ରହୁଥିବାରୁ ଏହାକୁ ସେମନେ ଠିକ୍‌ରେ ନିୟନ୍ତ୍ରଣ କରିପାରୁନଥିବେ। ଏହା ହେଉଛି ଏବର ସମୟର ପ୍ରମୁଖ ସମସ୍ୟା। କିଛି ଦିନ ଦୂରେଇ ରହିଗଲେ ପୁଣି ଥରେ ଲୟକୁ ଫେରିବା ଲାଗି ସମୟ ଲାଗିବ ବୋଲି ରଣଜୀ ବିଜେତା ବେଙ୍ଗଲ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ସଂଜୀବ ଦାସ କହିଛନ୍ତି।

ଏହି ପରି ପରିସ୍ଥିତିରେ କିଛି ଜିନିଷ ମଧ୍ୟ କରାଯାଇପାରିବ। ଶକ୍ତି ସହନଶୀଳତା, ସନ୍ତୁଳନ, ମୂଳ ଶକ୍ତି ଏବଂ ସ୍ଥିରତା, ହାତ-ଚକ୍ଷୁ ସମନ୍ୱୟ ଡ୍ରିଲ୍ସ, ନମନୀୟତା, ଯୋଗ ସହିତ ନିଶ୍ୱାସ ପ୍ରଶ୍ୱାସ କୌଶଳ କରାଯାଇପାରିବ ବୋଲି ରାମଜୀ କହିଛନ୍ତି। ବ୍ୟାଟିଂ ପାଇଁ ହାତ ଓ ଆଖିର ସମନ୍ୱୟ ନିତ୍ୟାନ୍ତ ଆବଶ୍ୟକ। ଏହି ଲକ୍‌ଡାଉନ୍‌ ସମୟରେ ବିରାଟ କୋହଲି ଏହା ଉପରେ ଧ୍ୟାନ ଦେବା ଦରକାର। ବ୍ୟାଟ୍ସମ୍ୟାନ୍ ଏବଂ କ୍ଷେତ୍ରରକ୍ଷକମାନେ ମ୍ୟାଚ୍ ସମୟରେ ପଡ଼ିଆରେ ପ୍ରାୟ ସମୟ ସ୍ଥିର ରହିଥାନ୍ତି। ଫଳରେ ସେମାନେ ଫେରିଲେ ‌ବେଶି ‌କିଛି ଅସୁବିଧାର ସମ୍ମୁଖୀନ ହେବେନି ବୋଲି ସୁଦର୍ଶନ କହିଛନ୍ତି।

ଖେଳାଳିମାନେ କ’ଣ କରିବେ ଓ କରିବେନି
ବ୍ୟାଟ୍ସମ୍ୟାନ୍‌ (କ’ଣ କରିବେ): ବ୍ୟାଟ୍ ସ୍ପିଡ୍ ଡ୍ରିଲ ପାଇଁ ‌ଟ୍ୟୁବ୍ କିମ୍ବା ପାୱାର୍ ବ୍ୟାଣ୍ଡ ବ୍ୟବହାର କରନ୍ତୁ। ସନ୍ତୁଳନ ଏବଂ ସ୍ଥିରତା ପାଇଁ ସ୍ୱିସ୍ ବଲ୍, ୱବଲ୍ ବୋର୍ଡ ଇତ୍ୟାଦି ବ୍ୟବହାର କରନ୍ତୁ। ଶକ୍ତି ଧୈର୍ଯ୍ୟ ପାଇଁ ଶରୀରର ଓଜନ କାମ ଏବଂ ଅଭିନବ ବାହ୍ୟ ଭାର ବ୍ୟବହାର କରନ୍ତୁ। ରିଆକ୍‌ସନ୍‌ ବଲ୍, ଟେନିସ୍ ବଲ୍ ବ୍ୟବହାର କରି ହାତ ଆଖି ସମନ୍ୱୟ ଉପରେ କାର୍ଯ୍ୟ କରନ୍ତୁ। ରିଙ୍ଗ, ସିଡ଼ି ଇତ୍ୟାଦି ବ୍ୟବହାର କରି ଫୁଟୱାର୍କ ଡ୍ରିଲ୍‌ କରନ୍ତୁ। ଶକ୍ତି ଓ ସ୍ଥରତା ପାଇଁ ସ୍ୱିସ୍ ବଲ୍/ ମେଡିସିନ୍ ବଲ୍ ବ୍ୟବହାର କରନ୍ତୁ।

କ’ଣ କରିବେନି: ସ୍ପ୍ରିଣ୍ଟ୍ କାର୍ଯ୍ୟ, ଚମତ୍କାର କାର୍ଯ୍ୟ, ବାହ୍ୟ ଏରୋବିକ୍ ଚାଲିବା, ନେଟ୍‌ ସେସନ୍‌, ବିସ୍ଫୋରକ ପ୍ଲାଇମେଟ୍ରିକ୍ ଡ୍ରିଲ୍।
ଦ୍ରୁତ ବୋଲର (କ’ଣ କରିବେ): ଟ୍ୟୁବ୍/ ପାୱାର୍ ବ୍ୟାଣ୍ଡ ବ୍ୟବହାର କରି ଘୂର୍ଣ୍ଣନ ଏବଂ ଆଣ୍ଟି-ଘୂର୍ଣ୍ଣନ ବ୍ୟାୟାମ। ସନ୍ତୁଳନ ଏବଂ ସ୍ଥିରତା ପାଇଁ ସ୍ୱିସ୍ ବଲ୍, ୱବଲ୍ ବୋର୍ଡ ଇତ୍ୟାଦି ବ୍ୟବହାର କରନ୍ତୁ। ଶରୀରର ଓଜନ କିମ୍ବା ଔଷଧ ବଲ/ ଡମ୍ବୁଲ ଓଜନ ଇତ୍ୟାଦି ବ୍ୟବହାର କରି ଏରୋବିକ ଏବଂ ଆନାରୋବିକ ହାଇବ୍ରିଡ କାମ କରନ୍ତୁ। ଗ୍ଲୁଟ୍ସ ଶକ୍ତି ଏବଂ ସ୍ଥିରତା ପାଇଁ ଲୁପ୍ ବ୍ୟାଣ୍ଡ/ ପାୱାର୍ ବ୍ୟାଣ୍ଡ ଏବଂ ଫ୍ରି-ହ୍ୟାଣ୍ଡ ବ୍ୟବହାର କରି ବ୍ୟାୟାମ କରନ୍ତୁ। ମୂଳ ମାଂସପେଶୀ, ମୂଳ ଶକ୍ତି ଉପରେ ମଧ୍ୟ ବ୍ୟାୟମ କରନ୍ତୁ।

କ’ଣ କରିବେନି: ଦୌଡ଼ିବା କୌଶଳ ଡ୍ରିଲ୍‌, ବାହ୍ୟ ଏରୋବିକ୍ ଫିଟନେସ୍ ସମ୍ବନ୍ଧୀୟ ପ୍ରୋଟୋକଲ୍, ନେଟ୍‌ ସେସନ୍‌, ଫିଲ୍ଡିଂ ଡ୍ରିଲ୍ସ, ସ୍ପ୍ରିଣ୍ଟ୍ କାର୍ଯ୍ୟ, ବିସ୍ଫୋରକ ପ୍ଲାଇମେଟ୍ରିକ୍ ଡ୍ରିଲ୍।

ୱିକେଟ୍‌ରକ୍ଷକ (କ’ଣ କରିବେ): ଟେନିସ୍‌ କିମ୍ବା ଗଲ୍ଫ ବଲ୍‌ ବ୍ୟବହାର କରି ହାତ-ଆଖି ସମନ୍ୱୟ ଡ୍ରିଲ କରନ୍ତୁ। ଫୋମ୍ ମ୍ୟାଟ୍, ତକିଆ, ପାଣି ଭର୍ତି ବାଲ୍ଟି ଇତ୍ୟାଦି ବ୍ୟବହାର କରି ସ୍ଥିରତା ଏବଂ ସନ୍ତୁଳନ ଉପରେ କାର୍ଯ୍ୟ କରନ୍ତୁ। ଶରୀରର ଓଜନ ବ୍ୟବହାର କରି ଏରୋବିକ୍ ଏବଂ ଆନାର୍ବୋବିକ୍ ସର୍କିଟ୍ କିମ୍ବା ହାଇବ୍ରିଡ୍ ଉପରେ କାମ କରନ୍ତୁ। ଗଲ୍ଫ ବଲ୍, ଟେନିସ୍ ବଲ୍ ବ୍ୟବହାର କରି କ୍ୟାଚିଂ ଅଭ୍ୟାସ କରନ୍ତୁ।

କ’ଣ କରିବେ ନାହିଁ: ନେଟ୍‌ ସେସନ୍‌, ୱିକେଟ୍ ଉପରେ ଡ୍ରିଲ୍, ଚମତ୍କାରତା କିମ୍ବା ଗତି କିମ୍ବା ଫୁଟ୍ ୱାର୍କ ଡ୍ରିଲ୍, ବାହ୍ୟ ଏରୋବିକ୍ ଚାଲିବା।

ସମ୍ବନ୍ଧିତ ଖବର