ଢେଙ୍କାନାଳ : ୩ ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ, ଘର ବିହାରର ଖାଲିସ୍‌ପୁର, ସମ୍ପର୍କରେ ୩ ଭାଇ

ଢେଙ୍କାନାଳ : ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ୍‌ର ହରିପୁରସ୍ଥିତ ଶକ୍ତି ସୁଗାର୍ସଠାରେ ବିହାରର ୩ ଜଣ ଟ୍ୟାଙ୍କର ଚାଳକଙ୍କ ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁହୋଇଛି। ମୃତ ଚାଳକ ୩ ଜଣ ସଂପର୍କରେ ଭାଇ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ମୃତକମାନେ ବିହାର ରାଜ୍ୟର ଗୌରାଙ୍ଗ ଖାଲିସ୍‌ପୁର ଅଞ୍ଚଳର ରୁବେଲ୍ ଭାରତୀ, ଦିଲ୍ଲୀପ ଭାରତୀ, ହରେରାମ୍ ଭାରତୀ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଶକ୍ତିସୁଗାର୍ସକୁ ସ୍ପରିଟ୍ ନେବାକୁ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ମାଲିକଙ୍କ ୫ଟି ଟ୍ୟାଙ୍କର (ଡବ୍ଲ୍ୟୁବି୨୩ସି-୦୧୩୪, ଡବ୍ଲ୍ୟୁବି୨୩ବି -୮୭୪୩, ଡବ୍ଲ୍ୟୁବି୨୩ସି-୦୪୧୫, ଡବ୍ଲ୍ୟୁବି୨୩ଡି-୨୪୪୨, ଡବ୍ଲ୍ୟୁବି୨୩ବି-୬୮୨୮) ଆସିଥିଲା। ବାକାଡି କଂପାନି ଟ୍ରାନ୍ସପୋର୍ଟରରେ ଏହି ୫ଟି ଟ୍ୟାଙ୍କର ସ୍ପିରିଟ୍ ଟ୍ରାନ୍ସପୋର୍ଟ ପାଇଁ ଲାଗିଥିଲା। ଢେଙ୍କାନାଳ ଶକ୍ତି ସୁଗାରର୍ସରୁ ସ୍ପିରିଟ୍ ନେଇ ଏହା ଖୋର୍ଦ୍ଧାର ଜଟଣୀକୁ ଯାଇଥାଏ। ଗତ ମାର୍ଚ୍ଚ ୨୦ ତାରିଖରୁ ସଂପୃକ୍ତ ଟ୍ରାଙ୍କର ୫ଟି ଶକ୍ତି ସୁଗାର୍ସକୁ ସ୍ପିରିଟ୍ ନେବା ପାଇଁ ଆସିଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ କଂପାନି ବନ୍ଦ ରହିଥିବାରୁ ଗାଡି ସହ ଚାଳକ ୫ ଜଣ ଶକ୍ତି ସୁଗାର୍ସ ଫାଟକ ସମ୍ମୁଖରେ ଅଟକ ରହିଥିଲେ। ଗାଡ଼ି ସମେତ ୫ ଜଣ ଚାଳକ ଫାଟକ ସମ୍ମୁଖରେ ନିଜ ଗାଡ଼ି ପାଖରେ ରହିବା ସହ ସେଠାରେ ରୋଷେଇ କରି ଖାଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚାଳକ ନିଜ ଗାଡି ସେଠାରେ ରଖିଦେଇ ଘରକୁ ଚାଲିଯିବା ପରେ ଉପରୋକ୍ତ ୩ ଜଣଙ୍କ ସମେତ ବୌଦ୍ଧ ଅଞ୍ଚଳର ଅନ୍ୟ ଜଣେ ଚାଳକ ସେଠାରେ ରହୁଥିଲେ।

ଗତକାଲି ରାତି ୧୦ଟାରେ ସଂପର୍କୀୟ ୩ ଭାଇ ରୁବେଲ୍‌, ଦିଲ୍ଲୀପ, ହରେରାମ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କ କଷ୍ଟକୁ ଦେଖି ତାଙ୍କ ସହିତ ଥିବା ବୌଦ୍ଧ ଅଞ୍ଚଳର ଚାଳକ ସ୍ଥାନୀୟ ଜଣେ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାପନ୍ସକୁ ବାରମ୍ବାର ଫୋନ୍ କରିବା ପରେ ଏକ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିଲା। ଅସୁସ୍ଥ ଟ୍ୟାଙ୍କର ଚାଳକମାନେ ବାହାର ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ନେବାକୁ ରାଜି ନ ହୋଇ ୧୦୪ ସହ ସଂପର୍କ କରିବାକୁ କହି ଆମ୍ବୁଲାନ୍ସ ଫେରି ଯାଇଥିଲା। ପରେ ସେମାନେ ୧୦୪କୁ ଯୋଗାଯୋଗ କରିବାରେ ସେଠାରୁ ରୋଗର ଲକ୍ଷଣ ଶୁଣି ପୁନର୍ବାର ୧୦୮କୁ ଫୋନ୍ କରିବାକୁ କହିଥିଲେ। ୧୦୮କୁ ପୁନର୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗାଡି ନଥିବାରୁ ଯାଇପାରିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦିଆଯାଇଥିଲା। ଇତିମଧ୍ୟରେ ଦେଢ ଘଣ୍ଟା ବିତିଯାଇଥିଲା ଓ ଏହି ସମୟ ମଧ୍ୟରେ ରୁବେଲ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଅନ୍ୟ ଦୁଇ ଜଣ ଅସୁସ୍ଥ ଚାଳକଙ୍କୁ ବଞ୍ଚାଇବା ପାଇଁ ବୌଦ୍ଧ ଅଞ୍ଚଳର ସଂପୃକ୍ତ ଚାଳକ ବାଧ୍ୟ ହୋଇ ନିଜ ଟ୍ୟାଙ୍କରରେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା । ହରେରାମ୍‌ଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଖବର ପାଇ ଆଜି ସକାଳୁ ଏସ୍‌ପି ଅନୁପମା ଜେମ୍ସ, ତହସିଲ୍‌ଦାର ଲକ୍ଷ୍ମୀଧର ରାଉତ, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ୍ ଥାନା ଅଧିକାରୀ ଜ୍ଞାନ ରଂଜନ ସାମଲ ଶକ୍ତି ସୁଗାର୍ସ ଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କରୋନା ହୋଇଥିବା ସନ୍ଦେହରେ ଫାଟକ ସମ୍ମୁଖରେ ପଡିଥିବା ମୃତ ରୁବେଲ୍‌ଙ୍କ ଶବକୁ କେହି ଉଠାଇନଥିଲେ । ଏଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ପରେ ଦିନ ଗୋଟାଏ ସମୟରେ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ସଂପର୍କରେ ଟାଉନ୍ ଥାନାରେ କେସ୍ ନମ୍ବର ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଗତକାଲି ହଠାତ୍ ୩ ଜଣ ଟ୍ୟାଙ୍କର ଚାଳକଙ୍କ ଛାତିରେ ଏକକାଳୀନ ଯନ୍ତ୍ରଣା ହେବା ଓ ଗୋଟିଏ ପରେ ଗୋଟିଏ ଏପରି ୩ ଟି ଜୀବନ ଚାଲିଯିବ‌ା ଘଟଣାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି । କେହି କେହି ଖାଦ୍ୟାଭାବ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ବିଷାକ୍ତ ପାନୀୟ ଯୋଗୁଁ ଏପରି ହୋଇଥିବା କହୁଛନ୍ତି । ଅନ୍ୟ କେତେକ ଏହାକୁ କରୋନାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ ବ୍ୟକ୍ତ କରୁଛନ୍ତି।

ଏ ସଂପର୍କରେ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ଏସ୍‌ପି ଅନୁପମା ଜେମ୍ସଙ୍କୁ ପଚାରିବାରୁ ସେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର