‘ଡବ୍ଲୁଡବ୍ଲୁଇ’ରେ ସ୍ୱାକ୍ଷର କରିଥିବା ପ୍ରଥମ ଭାରତୀୟ ମହିଳା ମଲ୍ଲଯୋଦ୍ଧ୍ରୀ କବିତା ଦେବୀ
ନୂଆଦିଲ୍ଲୀ: ‘ଓ୍ଵାର୍ଲଡ୍ ରେସ୍ଲିଙ୍ଗ୍ ଏଣ୍ଟର୍ଟେନ୍ମେଣ୍ଟ୍’ ପ୍ରଥମ ଭାରତୀୟ ମହିଳା ମଲ୍ଲଯୋଦ୍ଧ୍ରୀ ଭାବେ ପୂର୍ବତନ ଭାର ଉତ୍ତୋଳନକାରିଣୀ କବିତା ଦେବୀଙ୍କୁ ସ୍ୱାକ୍ଷର କରାଇଛି। ନିକଟରେ ଡବ୍ଲୁଡବ୍ଲୁଇ ଚାମ୍ପିୟନ୍ ଜିନ୍ଦର ମହଲ ଏକ ସ୍ୱତନ୍ତ୍ର ଗସ୍ତରେ ଦିଲ୍ଲୀ ଆସି ଏହି ଖବରକୁ ନିଶ୍ଚିତ କରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହରିୟାନାରୁ ଆସିଥିବା କବିତା ପେଶାଦାର ମଲ୍ଲଯୋଦ୍ଧ୍ରୀ ହେବା ନିମନ୍ତେ ‘ଦି ଗ୍ରେଟ୍ ଖାଲି (ଦିଲୀପ ସିଂହ ରାଣା)ଙ୍କ ତତ୍ତ୍ୱାବଧାନରେ ପଞ୍ଜାବରେ ଅବସ୍ଥିତ ତାଙ୍କର କୁସ୍ତି ପ୍ରସାର ଏବଂ ତାଲିମ ଏକାଡେମିରେ ତାଲିମ ନେଇଥିଲେ। ବି ବି ବୁଲ୍ ବୁଲ୍ ନାମ୍ନୀ ଜଣେ ମହିଳାଙ୍କ ସହ ସେ ଲଢ଼ିଥିବା କୁସ୍ତିର ଦୃଶ୍ୟାବଳୀ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ପ୍ରସିଦ୍ଧି ଲଭିଥିଲେ। ୨୦୧୬ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ପାଇଛନ୍ତି।
ଡବ୍ଲୁଡବ୍ଲୁଇ ରିଙ୍ଗ୍ରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରଥମ ମହିଳା ଭାବେ କବିତା ଦେବୀ ସୁଖ୍ୟାତି ଲାଭ କରିଛନ୍ତି। ମାଏ ୟଙ୍ଗ୍ କ୍ଲାସିକ୍ ଟୁର୍ଣ୍ଣାମେଣ୍ଟ୍ରେ ସେ ଥିଲେ ଜଣେ ଫିଚର୍ଡ ପ୍ରତିଯୋଗୀ। ଆସନ୍ତା ଜାନୁଆରି ମାସରୁ ସେ ଫ୍ଲୋରିଡାର ଅର୍ଲାଣ୍ଡ୍ଠାରେ ଥିବା ଡବ୍ଲୁଡବ୍ଲୁଇ ପର୍ଫର୍ମାନ୍ସ୍ ସେଣ୍ଟର୍ରୁ ତାଲିମ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଡବ୍ଲୁଡବ୍ଲୁଇରେ ପ୍ରତିଦ୍ୱନ୍ଦିତା କରିବା ଥିଲା ଏକ ସୁଯୋଗ। ମାଏ ୟଙ୍ଗ୍ କ୍ଲାସିକ୍ରେ ଅଂଶ ଗ୍ରହଣ କରିଥିବା ସର୍ବୋତ୍ତମ ମହିଳା ପାରଦର୍ଶିନୀଙ୍କ ସହ କୁସ୍ତି କରିବା ଥିଲା ଏକ ମହାନ ଶିକ୍ଷାନୁଭବ। ଭାରତରୁ ଡବ୍ଲୁଡବ୍ଲୁଇର ପ୍ରଥମ ମହିଳା ଚାମ୍ପିୟନ୍ ଭାବେ ମୁଁ ମୋର ସ୍ୱପ୍ନ ପୂରଣ କରିବାକୁ ଯାଉଛି।
କବିତାଙ୍କୁ ମୁଁ ଡବ୍ଲୁଡବ୍ଲୁଇକୁ ସ୍ୱାଗତ କରି ଗୌରବାନ୍ଵିତ। ଭାରତର ପ୍ରଥମ ମହିଳା ଡବ୍ଲୁଡବ୍ଲୁଇ ସୁପରଷ୍ଟାର୍ ହେବା ନିମନ୍ତେ ତାଙ୍କର ଉତ୍ତମ ସୁଯୋଗ ରହିଛି। ସେ ଭାରତର ଯୁବଗୋଷ୍ଠୀଙ୍କ ନିମନ୍ତେ ଏକ ପ୍ରେରଣା। ମୁଁ ତାଙ୍କର ସଫଳତା ଛଡ଼ା ଅନ୍ୟ କ’ଣ ବା କାମନା କରିବି ବୋଲି କହନ୍ତି ଜିନ୍ଦର୍ ମହଲ।
ଡବ୍ଲୁଡବ୍ଲୁଇର ଅନ୍ୟ ଏକ ପ୍ରଥମ ମହିଳା ବିକାଶ ମଧ୍ୟ ଘଟିଛି। ମଧ୍ୟ ପ୍ରାଚ୍ୟରୁ ପ୍ରଥମ ଆରବ ମହିଳା ଭାବେ ଜୋର୍ଡାନ୍ର ଶାଦିଆ ସେଇସୋ ଡବ୍ଲୁଡବ୍ଲୁଇର ଡେଭେଲପ୍ମେଣ୍ଟାଲ୍ କଣ୍ଟ୍ରାକ୍ଟ୍ ସ୍ୱାକ୍ଷର କରିଛନ୍ତି ବୋଲି ଡବ୍ଲୁଡବ୍ଲୁଇ ମଧ୍ୟ ଘୋଷଣା କରିଛି।