କେରଳ ବିପକ୍ଷ କୁଚ୍‌ବେହାର ଟ୍ରଫି ମ୍ୟାଚ୍‌, ଆୟୁଷଙ୍କ ୯୨*: ଓଡ଼ିଶା ୨୮୯/୭

ସମ୍ବଲପୁର: କେରଳର ୬୫୧ ରନ୍‌ ଜବାବରେ ଓଡ଼ିଶା ତୃତୀୟ ଦିନ ଶେଷ ସୁଦ୍ଧା ନିଜ ପ୍ରଥମ ପାଳିରେ ୭ ୱିକେଟ୍ ହରାଇ ୨୮୯ ରନ୍ କରିଛି। ଫଳରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିର ଓଡ଼ିଶା-କେରଳ ମ୍ୟାଚ୍‌ ଅମୀମାଂସିତ ରହିବା ସମ୍ଭବନା ସୃଷ୍ଟି ହୋଇଛି। ତେବେ ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକି ଥିବାରୁ ଓଡ଼ିଶାର ଅବଶିଷ୍ଟ ୩ ୱିକେଟ୍‌ ଦଖଲ କରି ଭ୍ରମଣକାରୀ କେରଳ ପାଖରେ ପାଳି ଆଗୁଆ ହେବାର ସୁଯୋଗ ରହିଛି। ମଙ୍ଗଳବାରର ସ୍କୋର ୬୨/୧ରୁ ଖେଳ ଆରମ୍ଭ କରି ଓଡ଼ିଶାର ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ମିତ୍ରଭାନୁ ପଣ୍ଡା ଏବଂ ଅଧିନାୟକ ରଘୁନାଥ ମଲ୍ଲ ୩୦ ରନ୍‌ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ରଘୁନାଥ ୩୯ ରନ୍‌ରେ ଆଉଟ୍‌ ହୋଇଥିଲେ। ନାକ୍‌ସନ ରାହୁଲଙ୍କ ସେହି ଓଭରରେ ହିଁ କ୍ରିଜ୍‌କୁ ଆସିଥିବା ଅନିଲ ପରିଡ଼ା (୦) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଦୋହରା ଝଟ୍‌କା ପରେ ପଡ଼ିଆକୁ ଆସିଥିବା ସମ୍ବଲପୁରର ଆୟୁଷ ନାୟକ ନିଜ ଘରୋଇ ପଡ଼ିଆରେ ପାଳି ସମ୍ଭାଳିଥିଲେ। ସେ ମିତ୍ରଭାନୁ (୩୮)ଙ୍କ ସହ ୬୧, ଶୁଭମ ଶତ୍ରୁଜିତ (୧୮)ଙ୍କ ସହ ୨୭, ମାନସ ରଂଜନ ନାୟକ (୧୨)ଙ୍କ ସହ ୩୦, ଶେଖର ମାଝୀ (୧୭)ଙ୍କ ସହ ୨୫ ରନ୍ ଯୋଡ଼ି ଦଳକୁ ବିପଦରୁ ରକ୍ଷା କରିଥିଲେ। ଷ୍ଟମ୍ପ୍‌ସ ବେଳକୁ ଆୟୁଷ ୧୬ ଚୌକା ସହ ୯୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ସହ ନିହାର ଭୂୟାଁ (୨୩*) ବ୍ୟାଟିଂ କରୁଥିଲେ। କେରଳର କିରଣ ସାଗରଙ୍କୁ ୩, ନାକସନ ରାହୁଲଙ୍କୁ ୨, ଅକ୍ଷୟ ମନୋହର ଓ ଅନନ୍ତ କ୍ରିଷ୍ଣନ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥି‌ଲା।

ସମ୍ବନ୍ଧିତ ଖବର