ଖେଲୋ ଇଣ୍ଡିଆ: ଶେଷ ଦିନ ଓଡ଼ିଶାକୁ ୪ ପଦକ

ପ୍ରତ୍ୟାଶାଙ୍କୁ ରୌପ୍ୟ, ବନିତାଙ୍କୁ କାଂସ୍ୟ, ବାଳିକା ଫୁଟ୍‌ବଲ୍‌ରେ ରୌପ୍ୟ ଓ କାଂସ୍ୟ

ଭୁବନେଶ୍ବର/ ବ୍ରହ୍ମପୁର: ଆସାମର ଗୁଆହାଟୀରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ବୁଧବାର ‌ଶେଷ ଦିବସରେ ଓଡ଼ିଶାକୁ ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ ପଦକ ଅମଳ ହୋଇଛି। ଏହି ୪ ସହ ଓଡ଼ିଶା ପ୍ରତିଯୋଗିତାରେ ମୋଟ ୨୧ (୫ ସ୍ବର୍ଣ୍ଣ, ୮ ରୌପ୍ୟ, ୮ କାଂସ୍ୟ) ପଦକ ପାଇ ତାଲିକାର ସପ୍ତଦଶ ସ୍ଥାନରେ ଅଭିଯାନ ଶେଷ କରିଛି। ବୁଧବାର ସନ୍ତରଣରେ ପ୍ରତ୍ୟାଶା ରାୟ ଏବଂ ୧୭ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍‌ ଦଳ ରୌପ୍ୟ ଜିତିଥିଲେ। ସେହିଭଳି ୨୧ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍‌ ଦଳ ଓ ଭାରୋତ୍ତୋଳନରେ ବନିତା ଘଡ଼େଇ (୮୭ କେଜି) କାଂସ୍ୟ ପଦକ ଜିତିଥିଲେ। ୫୦ ମିଟର ବ୍ୟାକ୍‌‌ ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ୩୨.୧୬ ସେକେଣ୍ଡ ‌ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିବା ସହ ଏହି ପ୍ରତିଯୋଗିତାରେ ତୃତୀୟ ରୌପ୍ୟ ପଦକ ନିଜ ନାମରେ କରିଥିଲେ। ପୂର୍ବରୁ ସେ ୧୦୦ ଓ ୨୦୦ ମିଟର ବ୍ୟାକ୍‌ ‌ଷ୍ଟ୍ରୋକ୍‌ରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ସଂପ୍ରତି ପ୍ରତ୍ୟାଶା ଏବେ କଳିଙ୍ଗ ଷ୍ଟାଡିୟମରେ ଜାପାନୀ ପ୍ରଶିକ୍ଷକ କୋଇଚି ୱାତାନାବେଙ୍କ ଅଧୀନରେ ଅଭ୍ୟାସ କରୁଛନ୍ତି। ପ୍ରଶିକ୍ଷକ ଗଙ୍ଗାଧର ଓରାମଙ୍କ ସହ ସେ ଗୁଆହାଟୀ ଗସ୍ତ କରିଥିଲେ। ତାଙ୍କର ସଫଳତା ଲାଗି ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଅଭିନନ୍ଦନ ଜଣାଇଛି। ୧୭ ବର୍ଷରୁ କମ୍‌ ବୟସ ବର୍ଗର ବାଳିକା ଫୁଟ୍‌ବଲ୍‌ ଫାଇନାଲ୍‌ରେ ହରିଆଣାଠୁ ୧-୩ ଗୋଲ୍‌ରେ ହାରି ଓଡ଼ିଶା ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଦଳ ପକ୍ଷରୁ ଏକମାତ୍ର ଗୋଲ୍‌ ସରିତା ସୋରେଙ୍ଗ (୫୫ ମିନିଟ୍‌) ଦେଇଥିଲେ। ମମତା ସାମନ୍ତଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଏହି ସଫଳତା ପାଇଥିଲା। ସେହିପରି ୨୧ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍‌ରେ ତୃତୀୟ ସ୍ଥାନ ଲାଗି ହୋଇଥିବା ମୁକାବିଲାରେ ଓଡ଼ିଶା ୩-୦ ଗୋଲ୍‌ରେ ଆସାମକୁ ପରାସ୍ତ କରି କାଂସ୍ୟ ପଦକ କବ୍‌ଜା କରିଥିଲା। ଦଳ ପକ୍ଷରୁ ଦୀପା ନା‌ୟକ (୯ ମିନିଟ୍‌), ସୁମନ ମହାପାତ୍ର (୪୪ ମିନିଟ୍‌) ଓ ଯଶୋଦା ମୁଣ୍ଡା (୫୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦଳର ପ୍ରଶିକ୍ଷକ ଗୀତାଞ୍ଜଳି ଖୁଣ୍ଟିଆ ଥିଲେ।

ବାଳିକା ୨୧ ବର୍ଷରୁ କମ୍‌ ବୟସ ବିଭାଗର ୮୭ କେଜି ବର୍ଗ ଭାରୋତ୍ତୋଳନରେ ବ୍ରହ୍ମପୁରର ବନିତା ୭୨ କେଜି ସ୍ନାଚ୍ ଏବଂ ୮୬ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୫୮ କେଜି ଉଠାଇ ତୃତୀୟ ସ୍ଥାନରେ ରହିଥିଲେ। ଗତବର୍ଷ ବନିତା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରି ସର୍ବଭାରତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଅର୍ଜନ କରିଥିଲେ। ସେ ଏବେ ଚିକିଟି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ବ୍ରହ୍ମପୁର ସ୍ଥିତ ବୀର ହନୁମାନ କ୍ଲବ୍‌ରେ ତାଲିମ୍ ନେଉଛନ୍ତି। ଓଡ଼ିଶାର ମୋଟ ୧୨ ଜଣ ପ୍ରତିଯୋଗୀ ଭାରୋତ୍ତୋଳନରେ ଅଂଶଗ୍ରହଣ କରିଥିବା ବେଳେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଏବଂ ୨ କାଂସ୍ୟ ସହ ମୋଟ ୫ ପଦକ ଅର୍ଜନ କରି ଦଳଗତ ଭାବେ ୯ମ ସ୍ଥାନ ଅଧିକାର କରିଛି।

କ୍ରୀଡ଼ା କ୍ୟାପିଟାଲ ସପ୍ତଦଶ
ଓଡ଼ିଶାକୁ ଭାରତର କ୍ରୀଡ଼ା କ୍ୟାପିଟାଲ କୁହାଯାଉଛି। ଏଠାରେ ଗୋଟିକ ପରେ ଗୋଟିଏ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜିତ ହେଉଛି। ହେଲେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ରାଜ୍ୟ ଶ୍ରେଷ୍ଠ ୧୫ ଭିତରେ ବି ସ୍ଥାନ ପାଇ ନାହିଁ। ମୋଟ ୨୧ ପଦକ (୫ ସ୍ବର୍ଣ୍ଣ ଏବଂ ୮ ଲେଖାଏଁ ରୌପ୍ୟ ଓ କାଂସ୍ୟ) ଜିତି ଓଡ଼ିଶା ୩୭ ଦଳ ମଧ୍ୟରୁ ସପ୍ତଦଶ ସ୍ଥାନରେ ରହିଛି। ଏହି କ୍ରୀଡ଼ା ଲାଗି ଓଡ଼ିଶା ୧୪ଟି ଖେଳରେ ୧୯୪ ଜଣିଆ ବୃହତାକାର ଦଳ ପଠାଇଥିଲା। ତେବେ ଜିମ୍ନାଷ୍ଟିକ୍, ସାଇକ୍ଲିଂ, ସନ୍ତରଣ, ଭାରୋତ୍ତୋଳ, ଫୁଟବଲ୍ ଓ ହକି ଭଳି କେତେକ ଖେଳରେ ହିଁ ଓଡ଼ିଶା ପଦକ ଜିତିବାକୁ ସକ୍ଷମ ହୋଇଛି। ଚଣ୍ଡିଗଡ, ତେଲେଙ୍ଗାନା ଓ ମଣୀପୁର ଭଳି ଦଳ ଓଡ଼ିଶାଠାରୁ ଉପରେ ରହିଛନ୍ତି। ଅନେକ ଲୋକପ୍ରିୟ ଖେଳରେ ରାଜ୍ୟଦଳ ଖାତା ଖୋଲିପାରିନାହିଁ। ମହାରାଷ୍ଟ୍ର ୨୫୬, ହରିଆଣା ୨୦୦ ଓ ଦିଲ୍ଲୀ ୧୨୨ ପଦକ ଜିତି ପ୍ରଥମ ତିନି ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର