‘ଫୋର୍ବସ୍‌’ର ୧୦୦ ଦାମୀ ଆଥ୍‌ଲେଟ୍‌ଙ୍କ ମଧ୍ୟରେ କୋହଲି ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ମାଗାଜିନ୍‌ ‘ଫୋର୍ବସ୍‌’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୦ ଋତୁର ସର୍ବାଧିକ ଆୟକାରୀ ୧୦୦ ଆଥ୍‌ଲେଟ୍‌ଙ୍କ ତାଲିକାରେ ବିରାଟ କୋହଲି ଏକମାତ୍ର କ୍ରିକେଟର୍‌ ତଥା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ଫୋର୍ବସ୍‌ ସୂତ୍ରରୁ ଜଣାପଡ଼ିଛି ଏହି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକଙ୍କ ବାର୍ଷିକ ଆୟ ୨୬ ମିଲିୟନ୍‌ ଡଲାର ରହିଛି। ଯେଉଁଥିରେ ବିଜ୍ଞାପନ ଚୁକ୍ତି ବାବଦରେ ୨୪ ମିଲିୟନ୍‌ ଡଲାର ରହିଥିଲା ବେଳେ ୨ ମିଲିୟନ୍‌ ଡଲାର ଦରମା ଓ ବିଜୟ ବାବଦକୁ ରହିଛି। ଆଉ ଏହି ଆୟ ଯୋଗୁଁ କୋହଲି ମଧ୍ୟ ଗତବର୍ଷ ତୁଳନାରେ ଫୋର୍ବସ୍‌ ତାଲିକାରେ ୩୦ରୁ ଅଧିକ ସ୍ଥାନ ଲମ୍ଫ ମାରିଛନ୍ତି। ଗତବର୍ଷ ଶ୍ରେଷ୍ଠ ୧୦୦ ତାଲିକାର ଠିକ୍‌ ୧୦୦ତମ ସ୍ଥାନରେ ରହିଥିବା କୋହଲି ଚଳିତ ବର୍ଷ ୬୬ତମ ସ୍ଥାନ ପାଇଛନ୍ତି। ୨୦୧୯ରେ ଆକଳନ କରାଯାଇଥିବା ତାଙ୍କର ରାଜସ୍ବ ଆୟ ପରିମାଣ ୨୫ ମିଲିୟନ୍‌ ଡଲାର ରହିଥିଲା ବେଳେ ଚଳିତ ବର୍ଷ ତାଙ୍କ ଆୟ ୧ ମିଲିୟନ୍‌ ଡଲାର ଅଧିକ ରହିଛି। ଏଥି ସହିତ କ୍ରମାଗତ ଦ୍ବିତୀୟ ବର୍ଷ ଧରି ଏକମାତ୍ର ଭାରତୀୟ ଭାବେ କୋହଲି ଫୋର୍ବସ୍‌ର ସର୍ବାଧିକ ଆୟକାରୀ ୧୦୦ ଆଥ୍‌ଲେଟ୍‌ଙ୍କ ତାଲିକାରେ ରହିଛନ୍ତି। ୨୦୧୯ ଜୁନ୍‌ ୧ ତାରିଖରୁ ୨୦୨୦ ଜୁନ୍‌ ୧ ତାରିଖ ମଧ୍ୟରେ ଆଥ୍‌ଲେଟ୍‌ମାନଙ୍କ ରାଜସ୍ବ ଆୟ (ପୁରସ୍କାର ରାଶି, ଦରମା/ଭତ୍ତା, ଚୁକ୍ତିଗତ ବୋନସ୍‌, ବିଜ୍ଞାପନ, ରୟାଲ୍‌ଟି ଏବଂ ଉପସ୍ଥିତି ଶୁଳ୍କ ସାମିଲ)କୁ ହିସାବକିତାବ କରି ଫୋର୍ବସ୍‌ ଏହି ତାଲିକା ପ୍ରସ୍ତୁତ କରିଥାଏ।

ଅନ୍ୟପକ୍ଷରେ ସ୍ବିଜରଲାଣ୍ଡ୍‌ ଟେନିସ ତାରକା ରୋଜର ଫେଡେରର୍‌ ସର୍ବାଧିକ ଆୟକାରୀ ଶ୍ରେଷ୍ଠ ୧୦୦ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ନିଜ କ୍ରୀଡ଼ା ଟେନିସ୍‌ରୁ ମଧ୍ୟ ପ୍ରଥମ ଖେଳାଳି ଭାବେ ଫେଡେରର୍‌ ଶୀର୍ଷରେ ରହିଛନ୍ତି। ଗତ ୧୨ ମାସ ମଧ୍ୟରେ ତାଙ୍କର ମୋଟ ରାଜସ୍ବ ଆୟ ପରିମାଣ ୧୦୬.୩ ମିଲିୟନ୍‌ ଡଲାର ବୋଲି ଆକଳନ କରାଯାଇଛି। ଫେଡେରର୍‌ ମଧ୍ୟ ଏକ୍ଷେତ୍ରରେ ପର୍ତୁଗାଲ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ ଫୋର୍ବସ୍‌ର ଏହି ତାଲିକାରେ ପ୍ରଥମ ସ୍ଥାନରେ ରହୁଥିବା ରୋନାଲ୍‌ଡୋ ଏଥର କିନ୍ତୁ ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି। ତାଙ୍କ ଆକଳନ କରାଯାଇଥିବା ରାଜସ୍ବ ଆୟ ୧୦୫ ମିଲିୟନ୍‌ ଡଲାର ରହିଛି। ତାଙ୍କ ପଛକୁ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ୍‌ ମେସି (୧୦୪ ମିଲିୟନ୍‌ ଡଲାର) ତୃତୀୟରେ ରହିଥିଲା ବେଳେ ବ୍ରାଜିଲ୍‌ ଫୁଟ୍‌ବଲ୍‌ ତାରକା ନେମାର (୯୫.୫ ମିଲିୟନ୍‌ ଡଲାର) ଚତୁର୍ଥ ସ୍ଥାନ ପାଇଛନ୍ତି। ଟେନିସ୍‌ (ଫେଡେରର୍‌) ପରେ ଫୁଟ୍‌ବଲ୍‌ (ରୋନାଲ୍‌ଡୋ, ମେସି ଓ ନେମାର) ଲଗାତାର ୩ ସ୍ଥାନ ଅକ୍ତିଆର କରିନେଇଥିଲା ବେଳେ ବାସ୍କେଟ୍‌ବଲ୍‌ ଲେବ୍ରନ୍‌ ଜେମ୍‌ସ (ବାସ୍କେଟ୍‌ବଲ), ଷ୍ଟିଫେନ୍‌ କୁରି (ବାସ୍କେଟ୍‌ବଲ୍‌, କେଭିନ୍‌ ଡୁରାଣ୍ଟ୍‌ (ବାସ୍କେଟ୍‌ବଲ୍‌) ମଧ୍ୟ କ୍ରମାଗତ ୩ ସ୍ଥାନ ତଥା ପଞ୍ଚମରୁ ସପ୍ତମ ସ୍ଥାନ ମାଡ଼ିବସିଛି। ଏହା ପଛକୁ ଟାଇଗର ଉଡ୍‌ସ (ଗଲ୍‌ଫ), କିର୍କ କଜିନ୍‌ସ (ଆମେରିକାନ୍‌ ଫୁଟ୍‌ବଲ) ଏବଂ କାର୍ସନ ୱେଞ୍ଜ୍‌ (ଆମେରିକାନ୍‌ ଫୁଟ୍‌ବଲ୍‌) ଅଷ୍ଟମରୁ ଦଶମ ସ୍ଥାନ ସହ ଫୋର୍ବସ୍‌ ସର୍ବାଧିକ ଆୟକାରୀ ଶ୍ରେଷ୍ଠ ୧୦୦ ଆଥ୍‌ଲେଟ୍‌ଙ୍କ ତାଲିକାର ଶୀର୍ଷ-୧୦ ମଣ୍ଡନ କରିଛନ୍ତି। ତେବେ କୋଭିଡ୍‌-୧୯ ମହାମାରୀ ସଂକଟ ଯୋଗୁ ଚଳିତ ବର୍ଷର ବିଶେଷକରି ଶେଷ ୩ ମାସ (ଏପ୍ରିଲ, ମେ ଓ ଜୁନ୍) ବିଶ୍ବ ସାରା ସମସ୍ତ କ୍ରୀଡ଼ା କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିବାରୁ ଏହି ସମସ୍ତ ଆଥ୍‌ଲେଟ୍‌ଙ୍କ ଆୟ ପ୍ରଭାବିତ ହୋଇଥିବା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର