ଲଦାଖ କ୍ରିକେଟର୍‌ ଜମ୍ମୁ ଓ କଶ୍ମୀର ପାଇଁ ଖେଳି ପାରିବେ

ମୁମ୍ବାଇ: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କ୍ରିକେଟ୍ ଖେଳାଳିମାନେ ଘରୋଇ ପ୍ରତିଯୋଗିତାରେ ସାମୟିକ ଭାବେ ଜମ୍ମୁ ଓ କଶ୍ମୀର ପାଇଁ ଖେଳିପାରିବେ ବୋଲି ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସକଙ୍କ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସୋମବାର ଜମ୍ମୁ ଓ କଶ୍ମୀରକୁ ବିଭାଜିତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଜମ୍ମୁ ଓ କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ବେଳେ ଅନ୍ୟଟି ହେଉଛି ଲଦାଖ। ବର୍ତମାନ ପାଇଁ ଆମେ ଲଦାଖ ଲାଗି ଅଲଗା କ୍ରିକେଟ୍‌ ସଂଘ ଗଠନ କଥା ଚିନ୍ତା କରିନାହୁଁ। କିନ୍ତୁ ଏହି ଅଞ୍ଚଳର ଖେଳାଳିମାନେ ଜମ୍ମୁ ଓ କଶ୍ମୀର ପାଇଁ ପ୍ରତିନିଧିତ୍ବ କରିପାରିବେ। କାରଣ ଜମ୍ମୁ ଓ କଶ୍ମୀର ଦଳ ରଣଜୀ ଟ୍ରଫି ସହିତ ବିସିସିଆଇର ଅନ୍ୟ ଘରୋଇ ପ୍ରତିଯୋଗିତାରେ ଖେଳି ଆସୁଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଲଦାଖରୁ ଜଣେ ହେଲେ ଆଜି ପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀର ରଣଜୀ ଦଳରେ ଖେଳି ନାହାନ୍ତି। ସେହିଭଳି ପୁଡୁଚେରି ଭଳି ଲଦାଖକୁ ବିସିସିଆଇ ଭୋଟିଂ ଅଧିକାର ମିଳିବ କି ବୋଲି ପ୍ରଶ୍ନ ହେବାରୁ ବିନୋଦ ରାଏ କହିଥ‌ିଲେ ଏଭଳି କୌଣସି ଆଲୋଚନା ହୋଇନାହିଁ। ଅନ୍ୟତମ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଖେଳାଳିମାନେ ଏବେ ବି ପଞ୍ଜାବ କିମ୍ବା ହରିଆନା ପାଇଁ ଖେଳୁଥିବାର ଉଦାହରଣ ଦେଇଥିଲେ ବିନୋଦ ରାଏ। କେନ୍ଦ୍ର ସରକାର ୩୭୦ ଧାରାକୁ ଉଚ୍ଛେଦ କରିବା ପରିପ୍ରେକ୍ଷୀରେ କଶ୍ମୀର ଉପତ୍ୟକାରେ କ୍ରିକେଟ୍ ପ୍ରଭାବିତ ହେବ ନାହିଁ କି ଏଥି ଲାଗି କିଛି ଚିନ୍ତା କରିବାର ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର