ପରାଜୟର ପ୍ରମୁଖ କାରଣ, ଶୀର୍ଷକ୍ରମ ବିପର୍ଯ୍ୟୟ

ନୂଆଦିଲ୍ଲୀ: ରବୀନ୍ଦ୍ର ଜା‌ଜେଦାଙ୍କ ବିଳମ୍ବିତ ଆକ୍ରମଣ ସାଙ୍ଗକୁ ମନ୍ଥର ଖେଳୁଥିବା ମହେନ୍ଦ୍ର ସିଂହ ଧୋନିଙ୍କ ରନ୍‌ ଆଉଟ୍‌ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଭାରତ ପରାଜୟ ପାଇଁ ଯଥେଷ୍ଟ ଥିଲା। ଯାହା ଫଳରେ ନ୍ୟୁଜିଲାଣ୍ଡ୍‌ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଫାଇନାଲ୍‌ ପ୍ରବେଶ କଲା। ସିଧାସଳଖ ତିନିଟି (ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିକଟରୁ) ପରାଜୟ ସତ୍ତ୍ବେ ଉନ୍ନତ ରନ୍‌ ରେଟ୍‌ରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିବା ନ୍ୟୁଜିଲାଣ୍ଡ୍‌ ଶେଷରେ ଲୟକୁ ଫେରିଥିଲା ଏବଂ ଭାରତର ଫାଇନାଲ୍‌ ପଥକୁ ରୋକି ଦେଇଥିଲା। ୧୦ ଦଳୀୟ ଏହି ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ଅକ୍ତିଆର କରିବା ସତ୍ତ୍ବେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରି ଭାରତ ବିଦା ନେବାକୁ ଦେଶବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। କେଉଁଠି ଭୂଲ୍‌ ରହିଲା ସେନେଇ କାରଣ ଖୋ‌ଜୁଛନ୍ତି। ଏପରିସ୍ଥଳେ ଭାରତ ପରାଜୟ ପାଇଁ ୪ କାରଣ ପ୍ରମୁଖ ଦାୟୀ ବୋଲି କୁହାଯାଉଛି। ଆସନ୍ତୁ ଏହି ୪ କାରଣ ଉପରେ ନଜର ପକାଇବା।

ଶୀର୍ଷକ୍ରମ ବିପର୍ଯ୍ୟୟ
ପବନରେ ଏବଂ ପିଚ୍‌ ଉପରେ ଜଳୀୟ ବାସ୍ପ ଭରି ରହିଥିବା ଏକ ମେଘୁଆ ପାଗ ଦିନରେ ଭାରତୀୟ ଶୀର୍ଷ କ୍ରମ ବିଗିଡ଼ି ଯାଇଥିଲା। ନ୍ୟୁଜିଲାଣ୍ଡ୍‌ର ଚମତ୍କାର ସୁଇଂ ବୋଲିଂକୁ ସାମ୍‌ନା କରିବାରେ ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ଭଳି ତାରକା ବ୍ୟାଟ୍‌ସମ୍ୟାନ୍‌ ପୂରା ଆତ୍ମସମର୍ପଣ କରିଥିଲେ। ଦୀନେଶ କାର୍ତିକ ମଧ୍ୟ ଏଭଳି ବୋଲିଂ ନିକଟରେ ସଂପୂର୍ଣ୍ଣ ହାର୍‌ ମାନିଥିଲେ। ଯାହାଫଳରେ ଭାରତ ୨୪/୪ରେ ସଂଘର୍ଷ କରିବାକୁ ବାଧ୍ୟ ହୋଇଥିଲା। ଏହାହିଁ ଭାରତ ପରାଜୟ ପାଇଁ ବାଟ ଖୋଲି ଯାଇଥିଲା। ଏହା ପୂର୍ବରୁ ରୋହିତ ଶର୍ମା (୧) ଓ ବିରାଟ କୋହଲି (୧) ୨୦୧୭ ଚାମ୍ପିଅନ୍‌ସ ଟ୍ରଫି ଫାଇନାଲ୍‌ରେ ମଧ୍ୟ ଏକ ଅଙ୍କ ବିଶି‌ଷ୍ଟ ସ୍କୋର୍‌ରେ ପାଭିଲିୟନ୍‌ ଫେରିଥିଲେ। ଆଉ ସେହି ଫାଇନାଲ୍‌ରେ ଭାରତ ପରାଜୟ ବରଣ କରିଥିଲା।

ନ୍ୟୁଜିଲାଣ୍ଡର ଦମ୍‌ଦାର କ୍ଷେତ୍ରରକ୍ଷଣ
ଚଳିତ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ରୋହିତ ଶର୍ମା ୪ ଥର ଜୀବନଦାନ ପାଇଥିଲେ। ଆଉ ସେହି ସବୁ ମ୍ୟାଚ୍‌ରେ ହିଁ ସେ ୩ ଶତକ ଓ ଗୋଟିଏ ଅର୍ଧଶତକ ହାସଲ କରିଥିଲେ। ହେଲେ ବୁଧବାର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌ରକ୍ଷକ ଟମ୍‌ ଲାଥାମ୍‌ କୌଣସି ତ୍ରୁଟି କରିଥନଥିଲେ। ସେ ରୋହିତଙ୍କୁ ଜୀବନଦାନ ଦେଇନଥିଲେ। ଲାଥାମ୍‌ ଏବଂ ଜେମ୍‌ସ ନିସାମ୍‌ ମିଳିତ ଭାବେ ଏଡାପରେ ଲୋକେଶ ରାହୁଲ୍‌ (୧) ଓ ଦୀନେଶ କାର୍ତିକ (୬)ଙ୍କୁ ପା‌ଭିଲିୟନ୍‌ ପଠାଇ ଦେଇଥିଲେ। କିନ୍ତୁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା ମାର୍ଟିନ୍‌ ଗପ୍ଟିଲଙ୍କ କ୍ଷେତ୍ରରକ୍ଷଣ। ତାଙ୍କର ଏକ ସିଧାସଳଖ ଥ୍ରୋ’ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ରନ୍‌ ଆଉଟ୍‌ କରି ଗପ୍ଟିଲ ହିଁ ଗେମ୍‌ ଚେଞ୍ଜର ବନି ଯାଇଥିଲେ। ତେଣୁ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ର ଦମ୍‌ଦାର କ୍ଷେତ୍ରରକ୍ଷଣ ହିଁ ଭାରତ ପରାଜୟର ଅନ୍ୟତମ କାରଣ।

ଖରାପ ସଟ୍‌ ଚୟନ
ସେମିଫାଇନାଲ୍‌ ଭଳି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସଟ୍‌ ଚୟନରେ ଦୁର୍ବଳତା ହିଁ ଭାରତ ପରାଜୟର ଆଉ ଏକ କାରଣ ଥିଲା। ଉଭୟ ଋଷଭ ପନ୍ତ (୩୨) ଓ ହାର୍ଦିକ୍‌ ପାଣ୍ଡ୍ୟା (୩୨) କ୍ରିଜ୍‌ରେ ଜମି ଯିବା ପରେ ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର୍‌ଙ୍କୁ ପ୍ରହାର କରିବା ପ୍ରୟାସ କରିଥିଲେ। ହେଲେ ସଟ୍‌ ଚୟନରେ ତ୍ରୁଟି କରି ଉଭୟେ ସାଣ୍ଟନରଙ୍କୁ ନିଜ ନିଜ ୱିକେଟ୍‌ ଭେଟି ଦେଇଥିଲେ। ଯାହାକି ଭାରତର ସ୍ଥିତି ‌ ଦୋହଲାଇ ଦେଇଥିଲା।

ବିଳମ୍ବିତ ଆକ୍ରମଣ
୨୪୦ ରନ୍‌ର ପିଛା କରୁଥିବା ଶକ୍ତିଶାଳୀ ଭାରତୀୟ ଦଳ ଆରମ୍ଭରୁ ମନ୍ଥର ଖେଳିବା ଏବଂ ବିଳମ୍ବରେ ଆକ୍ରମଣ କରିବା ହିଁ ପରାଜୟର ୪ ମଧ୍ୟରୁ ଶେଷ କାରଣ ଥିଲା। ପାୱାର ପ୍ଲେ-୧ରେ ୧୦ ଓଭରରେ ୨୪ ରନ୍‌ କରି ୪ ୱିକେଟ୍‌ ହରାଇ ସଂକଟରେ ପଡ଼ି ଯାଇଥିବା ଭାରତ ଆଉ ରନ୍‌ ଗତି ତ୍ବରାନ୍ବିତ କରିବାରେ ସମର୍ଥ ହୋଇନଥିଲା। ଯାହାର ଫଳସ୍ବରୂପ ଭାରତ ୪୦ତମ ଓଭର ବେଳକୁ ୧୫୦ ରନ୍‌ରେ ପହଞ୍ଚିଥିଲା ଏବଂ ୬ ୱିକେଟ୍‌ ହରାଇ ସାରିଥିଲା। ତେବେ ରବୀନ୍ଦ୍ର ଜାଦେଜା (୭୭) ଓ ଧୋନି (୫୦) ନିଜ ନିଜ ଅର୍ଧଶତକ ପୂରଣ ସାଙ୍ଗକୁ ସପ୍ତମ ୱିକେଟ୍‌ରେ ୧୧୬ ରନ୍‌ ଯୋଡ଼ିଥିଲେ ମଧ୍ୟ ରନ୍‌ ଗତି ବଢ଼ାଇ ପାରିନଥିଲେ। ଅବଶ୍ୟ ଏହି ଭାଗୀଦାରି ବିଶ୍ବକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସପ୍ତମ ୱିକେଟ୍‌ରେ କୀର୍ତ୍ତିମାନ ଥିଲା। ହେଲେ ଭାରତକୁ ଶେଷ ୩ ଓଭରରେ ବିଜୟ ପାଇଁ ୩୭ ରନ୍‌ ଦରକାର ହେଉଥିଲା। ଯାହାକି ଦଳ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଆଗରୁ ଆକ୍ରମଣ କରିଥିଲେ ହୁଏତ ସ୍ଥିତି ଭିନ୍ନ ହୋଇପାରିଥାନ୍ତା ବୋଲି କୁହାଯାଇଛି। ଶେଷ ଆଡ଼କୁ ଚାପ‌ ବଢ଼ି ବଢ଼ି ଯାଉଥିଲା ବେଳେ ଆକ୍ରମଣକୁ ଜୋର୍‌ଦାର କରିବାକୁ ଯାଇ ଜାଦେଜା ପାଭିଲିୟନ୍‌ ଫେରିଥିଲେ। ଧୋନି ମଧ୍ୟ ଶ୍ରେଷ୍ଠ ଫିନିସର୍‌ ଭୂମିକାକୁ ଏହି ମ୍ୟାଚ୍‌ରେ ନିର୍ବାହ କରିପାରିନଥିଲେ। ଏହା ମଧ୍ୟ ଭାରତ ପରାଜୟର ଗୋଟିଏ କାରଣ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର