ମୁମ୍ବାଇର ଅଭିଜ୍ଞ ବ୍ୟାଟସମ୍ୟାନ୍‌ ଆମୋଲ ମଜୁମଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ: ମୁମ୍ବାଇର ଅଭିଜ୍ଞ ବ୍ୟାଟସମ୍ୟାନ୍‌ ଆମୋଲ ମଜୁମଦାର ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଅକ୍ଟୋବରରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଲାଗି ମଜୁମଦାରଙ୍କୁ ଏହି ଦାୟିତ୍ବ ମିଳିଛି। ୪୪ ବର୍ଷୀୟ ମଜୁମଦାର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୪୮.୧୩ ହାରରେ ମୋଟ ୧୧,୧୬୭ ରନ୍ କରିଥିଲେ ମଧ୍ୟ କେବେ ଭାରତୀୟ ଦଳର ପ୍ରତିନିଧିତ୍ବ କରିପାରିନଥିଲେ। ‘ଗତ ସପ୍ତାହରେ ମୋତେ ଅନୁରୋଧ ଆସିଥିଲା, ଏହି ଆହ୍ବାନକୁ ଗ୍ରହଣ କରିଛି’ ବୋଲି ମଜୁମଦାର କହିଛନ୍ତି। ଘରୋଇ କ୍ରିକେଟ୍‌ରେ ସେ ମୁମ୍ବାଇ ପରେ ଶେଷକୁ ଆସାମ ପାଇଁ ଖେଳିଥିଲେ। ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ସେ ୩୨୮୬ ରନ୍ କରିଥିଲେ। ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଭାରତ ବିପକ୍ଷ ୩ ଟେଷ୍ଟ୍ ଶୃଙ୍ଖଳା ଅକ୍ଟୋବର ୨ରୁ ବିଶାଖାପାଟଣାରେ ଆରମ୍ଭ ହେଉଛି। ପରବର୍ତୀ ଦୁଇ ଟେଷ୍ଟ୍‌ ପୁନେ (ଅକ୍ଟୋବର ୧୦-୧୪) ଏବଂ ରାଞ୍ଚି (ଅକ୍ଟୋବର ୧୯-୨୪)ରେ ଖେଳାଯିବ। ଏହି ଶୃଙ୍ଖଳା ମଜୁମଦାରଙ୍କ ପାଇଁ ଆହ୍ବାନଭରା ରହିବ।

ସମ୍ବନ୍ଧିତ ଖବର