ମନିକା ବାତ୍ରାଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମ୍ୟାଚ୍‌ ହାରିବାକୁ କହିଥିଲେ ପ୍ରଶିକ୍ଷକ ସୌମ୍ୟଦୀପ୍‌

ନୂଆଦିଲ୍ଲୀ: ଭାରତର ତାରକା ମହିଳା ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଶୁକ୍ରବାର ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗତ ମାର୍ଚ୍ଚ ମାସର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଜାଣିଶୁଣି ହାରିଯିବା ଲାଗି ତାଙ୍କୁ କେଉଁଠି ଭାରତୀୟ ଦଳ ପ୍ରଶିକ୍ଷକ ସୌମ୍ୟଦୀପ ରୟ ପ୍ରବର୍ତାଇଥିଲେ। ଏହି କାରଣରୁ ସେ ଗତ ଟୋକିଓ ଅଲିମ୍ପିକ୍ସ ବେଳେ ସୌମ୍ୟଦୀପଙ୍କ ସହାୟତା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ଜାତୀୟ ଦଳର ପ୍ରଶିକ୍ଷକଙ୍କ ସେବାକୁ ପ୍ରତ୍ୟାଖାନ କରିଥିବାରୁ ମନିକାଙ୍କୁ ଭାରତୀୟ ଟେବୁଲ ଟେନିସ୍ ସଂଘ (ଟିଟିଏଫଆଇ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଜଣେ ପ୍ରଶିକ୍ଷକ ଯଦି ମ୍ୟାଚ୍‌ ଫିକ୍ସିଂ ସହ ଜଡ଼ିତ ତେବେ ତାଙ୍କୁ ମ୍ୟାଚ୍‌ ପାର୍ଶ୍ବରେ ବସାଇ ପରାମର୍ଶ ନେବାକୁ ମୁଁ ପସନ୍ଦ କରିନଥିଲି ବୋଲି ବିଶ୍ବର ଏହି ୫୬ ନମ୍ବର ଖେଳାଳି ନୋଟିସ୍‌ର ଜବାବରେ ପ୍ରକାଶ କରିଛନ୍ତି। ଜାତୀୟ ଦଳ ପ୍ରଶିକ୍ଷକ ‌ସୌମ୍ୟଦୀପଙ୍କ ହସ୍ତକ୍ଷେପ ବିନା ଅନେକ କିଛି ଗମ୍ଭୀର କାରଣ ବି ରହିଛି। ୨୦୨୧ ମାର୍ଚ୍ଚ ମାସରେ ଦୋହାରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ସେ ମୋତେ ଜାଣିଶୁଣି ହାରିଯିବାକୁ ଚାପ ପକାଇଥିଲେ। ମୁଁ ହାରିଯାଇଥିଲେ କିମ୍ବା ଓହରିଯାଇଥିଲେ ତାଙ୍କର ଜଣେ ଛାତ୍ରୀ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଥା’ନ୍ତେ। ଏହାକୁ ସଂକ୍ଷେପରେ ମ୍ୟାଚ୍‌ ଫିକ୍ସିଂ କୁହାଯିବ ବୋଲି ଖେଳରତ୍ନ ପୁରସ୍କାର ବିଜୟିନୀ ମନିକା ପ୍ରକାଶ କରିଛନ୍ତି।

ସୌମ୍ୟଦୀପଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥ‌ିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ଅନ୍ୟପକ୍ଷରେ ଚଳିତ ଜାତୀୟ ଶିବିରକୁ ମଧ୍ୟ ସୌମ୍ୟଦୀପଙ୍କୁ ଡକାଯାଇନାହିଁ। ସୌମ୍ୟଦୀପ ତାଙ୍କ ପକ୍ଷ ରଖି ସାରନ୍ତୁ, ଏହା ପରେ ଆମେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିବୁ’ ବୋଲି ଭାରତୀୟ ଟେବୁଲ ଟେନିସ୍ ସଂଘ ସମ୍ପାଦକ ଅରୁଣ ବାନାର୍ଜୀ କହିଛନ୍ତି। ଖେଳାଳିରୁ ପ୍ରଶିକ୍ଷକ ବନିଥିବା ସୌମ୍ୟଦୀପ ଜଣେ ପୂର୍ବତନ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଏବଂ ଅର୍ଜୁନ ପୁରସ୍କାର ହାସଲକାରୀ।

ସୂଚନାଯୋଗ୍ୟ, ସୌମ୍ୟଦୀପଙ୍କ ଏକାଡେମିରେ ପ୍ରଶିକ୍ଷଣ ନେଇ ଉଭୟ ମନିକା ବାତ୍ରା ଏବଂ ସୁତୀର୍ଥା ମୁଖାର୍ଜୀ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ‘ମୋ ନିକଟରେ ଅଭିଯୋଗର ପ୍ରମାଣ ରହିଛି ଏବଂ ଠିକଣା ସମୟରେ ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବି। ଦୋହା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ସେ ମୋତେ ହୋଟେଲ ରୁମ୍‌କୁ ଡାକି ୨୦ ମିନିଟ୍‌ ବୁଝାଇବା ସହ ମ୍ୟାଚ୍‌ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ। ଜାତୀୟ ସ୍ବାର୍ଥ ଆଳରେ ଏଭଳି ଅନୈତିକ ଉପାୟରେ ନିଜ ଛାତ୍ରୀ (ସୁତୀର୍ଥା ମୁଖାର୍ଜୀ)ଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ପ୍ରଦାନ କରାଇବା ଲାଗି ସେ ବୁଝାଇଥିଲେ। ଏଭଳି ଘଟଣାକୁ ବିରୋଧ କରିଥିଲି ଏବଂ ତୁରନ୍ତ ଟିଟିଏଫଆଇ ଅଧିକାରୀଙ୍କ ନଜରକୁ ଆଣିଥିଲି। ଜାତୀୟ ଦଳର ଏଭଳି ଅନୈତିକ କାର୍ଯ୍ୟଠାରୁ ମୁଁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲି। ଏଭଳି ଚାପ ମୋତେ ଟୋକିଓ ଅଲିମ୍ପିକ୍ସ ବେଳେ ମାନସିକ ଭାବେ ପ୍ରଭାବିତ କରିଥିଲା ଏବଂ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହୋଇଥିଲା। ତଥାପି ଦେଶର ପ୍ରତିନିଧିତ୍ବ କରୁଥିବାରୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲି‌ ବୋଲି ମନିକା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ମନିକା ତୃତୀୟ ରାଉଣ୍ଡକୁ ଉଠି ଇତିହାସ ରଚିଥିବା ବେଳେ ସୁତୀର୍ଥା ଦ୍ବିତୀୟ ରାଉଣ୍ଡ୍ ପହଞ୍ଚିପାରିଥିଲେ।
ଟୋକିଓ ଅଲିମ୍ପିକ୍ସ ବେଳେ ସୌମ୍ୟଦୀପଙ୍କ ସେବାକୁ ପ୍ରତ୍ୟାଖାନ କରିଥିବାରୁ ବିଶୃଙ୍ଖଳିତ ଆଚରଣ ପାଇଁ ମନିକାଙ୍କୁ ଟିଟିଏଫଆଇ କାରଣ ଦର୍ଶାଆ ନୋଟିସ୍ ପଠାଇଛି। କିନ୍ତୁ ମୁଁ ଟିଟିଏଫଆଇ, ଭାରତ ସରକାର କି ଦେଶ ପ୍ରତି କୌଣସି ଅସମ୍ମାନ କରିନାହିଁ। ଏକା ଏକା ମୁଁ ଶ୍ରେଷ୍ଠ ଖେଳିବାକୁ ଚେଷ୍ଟା କରିଥିଲି ବୋଲି ମନିକା ପ୍ରକାଶ କରିଛନ୍ତି। ବରଂ ମୁଁ ୨୦୨୧ ଅଗଷ୍ଟ ୧୪ ତାରିଖ‌ରେ ପ୍ରଶିକ୍ଷକଙ୍କ ନାମରେ ଆଣିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ମନିକା ଅଭିଯୋଗ କରିଛନ୍ତି। ଏକା ଏକା ମ୍ୟାଚ୍‌ ଖେଳି ମୁଁ କିଛି ଭୁଲ କରିନାହିଁ ବୋଲି ସେ ଦୋହରାଇଥିଲେ।

ସମ୍ବନ୍ଧିତ ଖବର