୩୦୦୦ ରନ୍‌ କ୍ଲବ୍‌ରେ ମନୀଷ ପାଣ୍ଡେ

ଦୁବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦର ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ମନୀଷ ପାଣ୍ଡେ ଆଇପିଏଲ୍‌ରେ ୩୦୦୦ ରନ୍‌ ପୂରଣ କରିଛନ୍ତି। ରବିବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଅର୍ଧଶତକୀୟ ପାଳି ଖେଳିବା ଅବସରରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ରବିବାର ମ୍ୟାଚ୍‌କୁ ଓହ୍ଲାଇବା ପୂର୍ବରୁ ଏହି ସଫଳତାଠାରୁ ପାଣ୍ଡେ ୯ ରନ୍‌ ଦୂରରେ ଥିଲେ। ତେବେ ସେ ୩ ଛକା ଓ ୨ ଚୌକା ବଳରେ ୫୪ ରନ୍‌ କରିଥିଲେ। ଏଥି ସହିତ ସେ ଆଇପିଏଲ୍‌ ଇତିହାସରେ ୩୦୦୦ ରନ୍‌ କ୍ଲବ୍‌ରେ ଯୋଡ଼ି ହେବାରେ ମୋଟ ଉପରେ ୧୬ତମ ଖେଳାଳି ହୋଇଛନ୍ତି। ପାଣ୍ଡେ ମଧ୍ୟ ପ୍ରଥମ ଭାରତୀୟ ଖେଳାଳି ଭାବେ ଆଇପିଏଲ୍‌ (୨୦୦୯ ସଂସ୍କରଣ)ରେ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ସେହି ପ୍ରତିଯୋଗିତାରେ ରୟାଲ ଚ୍ୟାଲେଞ୍ଜ୍‌ର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପାଣ୍ଡେ ୭୩ ବଲ୍‌ରୁ ୧୧୪ ରନ୍‌ କରିଥିଲେ। ୨୦୧୪ ସଂସ୍କରଣରେ ସେ ସର୍ବାଧିକ ବ୍ୟକ୍ତିଗତ ୯୪ ସ୍କୋର୍‌ ସହ ମୋଟ ୪୦୧ ରନ୍‌ କରିଥିଲେ। ଆଇପିଏଲ୍‌ ଇତିହାସରେ ସର୍ବକାଳୀନ ଅଗ୍ରଣୀ ରନ୍‌ ସ୍କୋରର୍‌ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ଅଧିନାୟକ ବିରାଟ କୋହଲି ଶୀର୍ଷରେ ରହିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ତାରକା ସୁରେଶ ରାଇନା ଏବଂ ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା ପଛକୁ ପଛ ରହିଛନ୍ତି। ପାଣ୍ଡେଙ୍କ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ୱାର୍ନର ଚତୁର୍ଥ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର