କୋଣ୍ଟାଙ୍କୁ ହରାଇ ଫାଇନାଲ୍‌ରେ ମର୍କେଟା

ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାରୁ ୨୬ତମ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ ମହିଳା ଜୋହାନା କୋଣ୍ଟାଙ୍କ ଅଭିଯାନ ଶେଷ ହୋଇଯାଇଛି। ଶୁକ୍ରବାର ‌ମହିଳା ଏକକ ସେମିଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟ ଲଳନା ମର୍କେଟା ଭନ୍ଦ୍ରୋସୋଭା ସିଧାସଳଖ ୭-୫ ଓ ୭-୬ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେବା ସହିତ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ଏଥି ସହିତ ୨୦୦୭ରେ ଆନା ଇଭା‌ନୋଭିକ୍‌ଙ୍କ ପରେ ସର୍ବକନିଷ୍ଠ ଭାବେ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ ପହଞ୍ଚିବାରେ ମର୍କେଟା ପ୍ରଥମ ଖେଳାଳି ହୋଇଛନ୍ତି। ଏବେ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ପାଇଁ ମର୍କେଟା ଫାଇନାଲ୍‌ରେ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟିଙ୍କ ସହ ମୁକାବିଲା କରିବେ। ଅଷ୍ଟମ ମାନ୍ୟତାପ୍ରାପ୍ତ ବାର୍ଟି ଶୁକ୍ରବାରର ଦ୍ବିତୀୟ ସେମିଫାଇନାଲ୍‌ରେ ଆମେରିକାର ୧୭ ବର୍ଷ ବୟସ୍କା ଅମା‌ନ୍ଦା ଆନିଶିନୋଭାଙ୍କୁ ୬-୭, ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ବାର୍ଟି ମଧ୍ୟ ସାମନ୍ଥା ସ୍ତୋସୁର (୨୦୧୦)ଙ୍କ ପରେ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଥିବା ଆନିଶିମୋଭା କ୍ରୋଏସିଆର ଇଭା ମାଜୋଲି (୧୯୯୭)ଙ୍କ ପରେ ପ୍ରଥମ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଟ୍ରଫି ଜିତିବା ଆଶା ଧୂଳିସାତ୍‌ ହୋଇଯା‌ଇଛି।

ସମ୍ବନ୍ଧିତ ଖବର